ମହାରାଷ୍ଟ୍ର ‘ମହା’ ଡିଲ୍ ପଛରେ ବିଜେପିର ହାତ ! ଶିବସେନା କହିଲା, ମହାରାଷ୍ଟ୍ର ଉପରେ ବିଜେପି କରିଛି ସର୍ଜିକାଲ ଷ୍ଟ୍ରାଇକ, ଜବାବ ନିଶ୍ଚୟ ମିଳିବ

ସେପଟେ ଏନସିପି ମୁଖ୍ୟଙ୍କ ଦମ୍ଭୋକ୍ତି ‘ଆମେ ଗଢିବୁ ସରକାର’

1,417

କନକ ବ୍ୟୁରୋ: ମହାରାଷ୍ଟ୍ରରେ ଜାରି ରହିଛି ମହାନାଟକ । ଶିବସେନା ବଦଳରେ ଏବେ ମହାରାଷ୍ଟ୍ରର ମଙ୍ଗ ଧରିଛି ବିଜେପି ନେତୃତ୍ୱାଧିନ ସରକାର । ଆଜି ସକାଳୁ ସକାଳୁ ହଠାତ ରାଜଭବନରେ ଦେବେନ୍ଦ୍ର ଫଡନଭିସ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଏନସିପି ନେତା ଅଜିତ୍ ପାୱାର । ଯାହାକି ସମସ୍ତଙ୍କୁ ଚକିତ କରି ଦେଇଥିଲା । କାହିଁକି ଗତକାଲି ରାତି ସୁଦ୍ଧା ଯେଉଁଠି ଶିବସେନା, ଏନସିପି ଓ କଂଗ୍ରେସ ମିଳିତ ଭାବେ ସରକାର ଗଠନ କରିବା ନେଇ ଚିତ୍ର ସାମ୍ନାକୁ ଆସିଥିଲା । ଏପରିକି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେବା ନେଇ ସବୁଜ ସଂକେତ ମିଳିସାରିଥିଲା ହେଲେ ଆଜି ହଠାତ୍ ମହାରାଷ୍ଟ୍ର ରାଜନୀତି ସମସ୍ତଙ୍କୁ ଚମକାଇ ଦେଇଥିଲା ।

ଆଉ ବିଜେପି ନେତୃତ୍ୱରେ ନୂଆ ସରକାର ଗଠନ ପରେ ଶିବସେନା-ଏନସିପି ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ତେବେ ଏହି ସାମ୍ବାଦିକ ସମ୍ମିଳନୀରେ ଏନସିପି ମୁଖ୍ୟ ଶରଦ ପାୱାର ବିଜେପିକୁ ସମର୍ଥନ ଏହା ଅଜିତଙ୍କ ନିଜସ୍ୱ ନିଷ୍ପତି କହିଥିବା ବେଳେ ଏହା ବିଜେପିର ହୀନ ରାଜନୀତି ବୋଲି କହିଛି ଶିବସେନା । ଶିବସେନା ମୁଖ୍ୟ ଉଦ୍ଧବ ଠାକରେ କହିଛନ୍ତି ଯେ, ଗଣତନ୍ତ୍ରର ମଜାକ ଉଡାଉଛି ବିଜେପି । ଲୋକତନ୍ତ୍ର ନାଁରେ ଏ ଯେଉଁ ଖେଳ ଖେଳାଯାଇଛି । ତାକୁ ପୂରା ଦେଶବାସୀ ଦେଖିଛନ୍ତି । ଜନାଦେଶର ଆମେ ସମ୍ମାନ କରିବା ସହ ବିଜେପିକୁ ଟାର୍ଗେଟ କରି ଉଦ୍ଧବ କହିଛନ୍ତି, ଆମେ ଜୋଡିବାର କାମ କରୁଥିବା ବେଳେ ବିଜେପି ଭାଙ୍ଗିବାର କାମ କରୁଛିା ଏହି ସରକାର ସଂସଦରେ ବହୁମତ ପ୍ରମାଣିତ କରିପାରିବେ ନାହିଁ । ଉଦ୍ଧବ କହିଛନ୍ତି ଆମେ ଯାହା ବି କିଛି କରୁଛି ଦିବାଲୋକରେ କରୁଛୁ । କିନ୍ତୁ ବିଜେପି ଲୁଚାଇ ଛପାଇ ସରକରା ଗଠନ କରିଛି । ଯାହାକି ସେ ପୂର୍ବରୁ ନ ବିହାର ଏବଂ ହରିୟାଣାରେ କରିଥିଲା । ତେବେ ଏଇଟା ବିଜେପିର ମହାରାଷ୍ଟ୍ର ଉପରେ ସର୍ଜିକାଲ୍ ଷ୍ଟ୍ରାଇକ ଏବଂ ମହାରାଷ୍ଟ୍ରବାସୀ ନିଶ୍ଚୟ ଏହାର ଜବାବ ନେବେ ବୋଲି କହିଛନ୍ତି ଶିବସେନା ମୁଖ୍ୟ ।

ଅନ୍ୟପଟେ ସକାଳର ଖବର ଅପ୍ରତ୍ୟାଶିତ ଥିଲା ବୋଲି କହିଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର । ଅଜିତ୍ ପାୱାରଙ୍କ ପାଖରେ ସମସ୍ତ ବିଧାୟକଙ୍କ ଦସ୍ତଖତ ସମ୍ବଳିତ ଚିଠି ଥିଲା । ଓ ଏହାକୁ ସେ ରାଜ୍ୟପାଳଙ୍କ ନିକଟରେ ଦାଖଲ କରି ନୂଆ ସରକାର ପାଇଁ ଶପଥ ନେଇଛନ୍ତି । ଏହା ଅଜିତଙ୍କ ନିଜସ୍ୱ ନିଷ୍ପତି । ଏହା ଦଳର ନିଷ୍ପତି ନୁହେଁ । ଏବଂ ଅନାସ୍ଥା ଭୋଟରେ ଫଡନବିସ୍ ହାରିବେ । ଏବଂ ତାପରେ ପୁଣି ଶିବସେନା- ଏନସିପି- କଂଗ୍ରେସ ସରକାର ଗଠନ କରିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଶରଦ ପାୱାର । ଏଥିସହିତ ଅଜିତଙ୍କ ସହ ଯାଇଥିବା ବିଧାୟକମାନଙ୍କ ମଧ୍ୟରୁ ୩ଜଣ ବିଧାୟକ ତାଙ୍କ ପାଖକୁ ଫେରି ଆସିଥିବା କଥା କହିଛନ୍ତି ଶରଦ । ଏବଂ ଏନସିପିର କୌଣସି ସ୍ୱାଭିମାନୀ ବିଧାୟକ ବିଜେପିକୁ ସମର୍ଥନ କରିବେ ନାହିଁ ବୋଲି ଦମ୍ଭ ପ୍ରକାରଶ କରିଛନ୍ତି ପାୱାର । ତେବେ ଅଜିତଙ୍କ ବିରୋଧରେ ଅପରାହ୍ନ ବୈଠକ ପରେ ନିଷ୍ପତି ନିଆଯିବ ବୋଲି କହିଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର ।

ସେପଟେ ବିଧାୟକ ଦଳ ବୈଠକ ପରେ ସାମ୍ବାଦିକ ସମ୍ମିଳନୀ କରିଛି କଂଗ୍ରେସ । ବିଜେପିକୁ ଶାସନରୁ ଦୂରରେ ରଖିବା ତିନି ଦଳ ଏକାଠି ହୋଇଛନ୍ତି । ଏବଂ ସରକାର ଗଠନ କରିବାରେ କଂଗ୍ରେସ କୌଣସି ବିଳମ୍ବ କରିନାହିଁ ବୋଲି କହିଛନ୍ତି ବରିଷ୍ଠ ନେତା ଅହମ୍ମଦ ପଟେଲ୍ ।