ଜାମିନ୍ ପାଇଁ ଆବେଦନ କରିବେନି ନବନୀତ-ରବି ରାଣା । କହିଲେ, ଆମ ବିରୋଧରେ ଲାଗିଛି ମିଛ ଅଭିଯୋଗ ।

289

କନକ ବ୍ୟୁରୋ: ମୁମ୍ବାଇର ନିର୍ଦ୍ଦଳୀୟ ସାଂସଦ ନବନୀତ ରାଣାଙ୍କ ବିରୋଧରେ ପୋଲିସ ବଡ କାର୍ଯ୍ୟାନୁଷ୍ଠାନ ନେଇଛି । ପୋଲିସ ଏବେ ତାଙ୍କୁ ଏବଂ ତାଙ୍କ ସ୍ୱାମୀଙ୍କୁ ଗିରଫ କରିଥିବାବେଳେ, ଆସନ୍ତାକାଲି ଅର୍ଥାତ ରବିବାର ବାନ୍ଦ୍ରା କୋର୍ଟରେ ହାଜର କରେଇବ । ତାଙ୍କ ଉପରେ ପୋଲିସ ଆଇପିସିର ଧାରା ୧୩୫ ଏ ଅନୁସାରେ ମାମଲା ଦାୟର କରିଛି । ଏଥିସହିତ ନବନୀତି ରାଣାଙ୍କ ଉପରେ ଅନେକ ଶିବସୈନିକ ବିଭିନ୍ନ ପୋଲିସ ଷ୍ଟେସନରେ ମାମଲା ଦାୟର କରିଛନ୍ତି ବୋଲି ଖବର ରହିଛି ।

ଶିବସେନାର କର୍ମୀମାନେ ଅଭିଯୋଗ କରିଛନ୍ତି ଯେ, ରଣନୀତି ପ୍ରସ୍ତୁତ କରି ତାଙ୍କ ବିରୋଧରେ ବୟାନବାଜି କରାଯାଇଛି । ଲୋକଙ୍କୁ ଉସୁକାଇବାକୁ ପ୍ରୟାସ କରାଯାଇଛି । ଅନ୍ୟପଟେ ନବନୀତ୍ କହିଛନ୍ତି, ତାଙ୍କୁ ହତ୍ୟା ପାଇଁ ମଧ୍ୟ ଚେଷ୍ଟା କରାଯାଉଛି । ତେବେ ସେ ତାଙ୍କର ଜାମିନ୍ ପାଇଁ କୌଣସି ଆବେଦନ କରିବେ ନାହିଁ, ତାଙ୍କ ବିରୋଧରେ ମିଛ ଆରୋପ୍ ଲଗାଯାଇଛି ବୋଲି ସେ ଗଣମାଧ୍ୟମକୁ କହିଛନ୍ତି ।

ନବନୀତିଙ୍କ ଓକିଲ କହିଛନ୍ତି ଯେ, ବିନା କୌଣସି ନୋଟିସରେ ନବନୀତଙ୍କୁ ଗିରଫ କରାଯାଇଛି । ତାଙ୍କ କହିବା ମୁତାବକ କାଲିଠୁ ନୋଟିସ୍ ଜାରି କରାଯାଇଥିଲା, ତେଣୁ ସେ ଘରୁ ବାହାରକୁ ବାହାରିନଥିଲେ । ଏହାସତ୍ତ୍ୱେ ବି ଆଜି ନବନୀତଙ୍କୁ ଗିରଫ କରାଯାଇଛି ବୋଲି ତାଙ୍କ ଓକିଲ ଅଭିଯୋଗ ଆଣିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ନବନୀତ ପ୍ରତିବର୍ଷ ହନୁମାନ ଜୟନ୍ତୀ ଅବସରରେ ପେଣ୍ଡାଲ ଲଗାନ୍ତି, ଏବଂ ବିଭିନ୍ନ କାର୍ଯ୍ୟକ୍ରମ କରିଥାନ୍ତି । ହେଲେ ଚଳିତ ଥର କିନ୍ତୁ ତାଙ୍କୁ ଗିରଫ କରାଯାଇଛି ।

ସୂଚନାଯୋଗ୍ୟ ଯେ, ମହାରାଷ୍ଟରେ ହନୁମାନ ଚାଳିଶା ଓ ଲାଉଡ ସ୍ପିକର ବିବାଦ ପୁଣିଥରେ ମୁଣ୍ଡ ଟେକିଛି । ଆଉ ଏହି ବିବାଦ ଅମରାବତୀ ସାସଂଦ ନବନୀତ ରାଣା ଓ ତାଙ୍କ ସ୍ୱାମୀ ବିଧାୟକ ରବି ରାଣାଙ୍କ ଏକ ବୟାନ ପରେ ଜୋର ଧରିଛି । ଉଭୟ ରାଣା ଦମ୍ପତି ମୁଖ୍ୟମନ୍ତ୍ରୀଙ୍କ ଘର ସାମ୍ନାରେ ହନୁମାନ ଚାଳିଶା ପାଠ କରିବାକୁ ଘୋଷଣା କରିଥିଲେ । କହିଥିଲେ, ନିଜେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବି ତାଙ୍କୁ ହନୁମାନ ଚାଳିଶା ପାଠ କରିବାରେ ରୋକି ପାରିବେ ନାହିଁ । ରାଣା ଦମ୍ପତିଙ୍କ ଏହି ଘୋଷଣା ତାଙ୍କୁ ସମସ୍ୟା ଘେରରେ ପକାଇଦେଇଛି ।

ସେମାନଙ୍କୁ ଏବେ ଶିବସେନା କର୍ମୀଙ୍କ ଆକ୍ରୋଷର ସାମ୍ନା କରିବାକୁ ପଡିଛି । ଶନିବାର ନବନୀତ ଓ ରବି ରାଣାଙ୍କ ବାସଭବନକୁ ଘେରି ଘର ଆଗରେ ଧାରଣାରେ ବସିଛନ୍ତି ଶିବସେନା କର୍ମୀ । ଏପରିକି ତାଙ୍କ ବାସଭବନକୁ ଧସେଇ ପସିବାକୁ ଶିବସେନା କର୍ମୀ ଉଦ୍ୟମ ବି କରିଛନ୍ତି । ଏହା ଭିତରେ ପୋଲିସ ଓ ଶିବସେନା କର୍ମୀ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି । ଘଟଣାକୁ ନେଇ ରାଜ୍ୟ ରାଜନୀତିରେ ବେସ ହଙ୍ଗମା ବି ଦେଖିବାକୁ ମିଳିଛି । ବିଜେପି ରାଣା ଦମ୍ପତିଙ୍କ ଉଦ୍ୟମକୁ ସ୍ୱାଗତ କରିଥିବାବେଳେ ସେମାନଙ୍କ ନିନ୍ଦା କରିଛି ଶିବସେନା ।