ମୁମ୍ବାଇର ବଡ଼ ବିଜୟ । ରାଜସ୍ଥାନକୁ ୮ ୱିକେଟରେ ମାତ୍ ଦେଲା ମୁମ୍ବାଇ ଇଣ୍ଡିଆନ୍ସ ।

132

କନକ ବ୍ୟୁରୋ : ରାଜସ୍ଥାନ ବିପକ୍ଷରେ ଦମଦାର ବିଜୟ ହାସଲ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ୮ ୱିକେଟରେ ରାଜସ୍ଥାନକୁ ହରାଇ ପ୍ଲେ-ଅଫ୍ ଆଡକୁ ଆଉ ଗୋଟିଏ ପାଦ ବଢାଇଛି ରୋହିତ ଶର୍ମାଙ୍କ ନେତୃତ୍ୱଧୀନ ମୁମ୍ବାଇ । ୯୧ ରନର ବିଜୟଲକ୍ଷ୍ୟକୁ ପିଛା କରି ମାତ୍ର ୮ ଓଭର ୨ଟି ବଲରେ ବିଜୟ ହାସଲ କରିଛି । ମୁମ୍ବାଇ ପକ୍ଷରୁ ଇଶାନ କିଷାନ୍ ଦମଦାର ପାଳି ଖେଳି ମାତ୍ର ୨୫ଟି ବଲରୁ ୩ଟି ବିଶାଳ ଛକା ଏବଂ ୫ଟି ଚୌକା ବଳରେ ଅର୍ଦ୍ଧଶତକ ହାସଲ କରିଛନ୍ତି । ସେହିପରି ଅଧିନାୟକ ରୋହିତ ଶର୍ମା ୨୨ ରନ୍ ଏବଂ ସୂର୍ଯ୍ୟକୁମାର ଯାଦବ ୧୩ ରନ୍ ସ୍କୋର କରିଥିଲେ ।

ଶାରଜାହା କ୍ରିକେଟ୍ ଷ୍ଟାଡିୟମରେ ଆଜି ଦମ ଦେଖାଇଛି ମୁମ୍ବାଇ ଇଣ୍ଡିଆନ୍ସ । ମୁମ୍ବାଇର ଦମଦାର ବୋଲିଂ ଆଗରେ ଧରାଶାୟୀ ହୋଇପଡିଛି ରାଜସ୍ଥାନ ରୟାଲ୍ସ । ନିର୍ଦ୍ଧାରିତ ୨୦ ଓଭରରେ ରାଜସ୍ଥାନ ୯ଟି ୱିକେଟ୍ ହରାଇ ମାତ୍ର ୯୦ ରନ୍ କରିବାକୁ ସକ୍ଷମ ହୋଇଥିଲା । ଫଳରେ ମୁମ୍ବାଇ ଆଗରେ ରହିଥିଲା ମାତ୍ର ୯୧ ରନର ବିଜୟଲକ୍ଷ୍ୟ ।

ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା । ପ୍ରଥମରୁ ଭଲ ବ୍ୟାଟିଂ ଆରମ୍ଭ କରିଥିଲେ ବି, ମୁମ୍ବାଇ ବୋଲରଙ୍କ ସାମ୍ନାରେ ରନ୍ କରିବାରେ ବିଫଳ ହୋଇଥିଲେ ରାଜସ୍ଥାନର ବ୍ୟାଟ୍ସମ୍ୟାନ୍ । ମାତ୍ର ୪ଜଣ ଖେଳାଳୀଙ୍କୁ ଛାଡିଦେଲେ ଅନ୍ୟ କୌଣସି ଖେଳାଳୀ ଦୁଇ ଅଙ୍କ ଛୁଇଁ ପାରିନଥିଲେ । ଦଳ ପକ୍ଷରୁ ଇଭିନ୍ ଲୁଇସ୍ ସର୍ବାଧିକ ୨୪ ରନ୍ ସଂଗ୍ରହ କରିଥିଲେ । ମୁମ୍ବାଇ ପକ୍ଷରୁ ନାଥନ୍ କୁଲଟର ନାଇଟ୍ ଦମଦାର ବୋଲିଂ କରି ୪ ଓଭରରେ ମାତ୍ର ୧୪ ରନ୍ ଦେଇ ୪ଟି ୱିକେଟ୍ ଅକ୍ତିଆର କରିଥିଲେ । ସେହିପରି ଜିମି ନିସମ୍ ୪ ଓଭରରେ ମାତ୍ର ୧୨ ରନ୍ ଦେଇ ୩ଟି ୱିକେଟ୍ ଅକ୍ତିଆର କରିଥିଲେ । ଜସପ୍ରିତ ବୁମରା ମଧ୍ୟ ଦମଦାର ବୋଲିଂ କରି ୪ ଓଭରରେ ମାତ୍ର ୧୪ ରନ ଦେଇ ୨ଟି ୱିକେଟ୍ ଅକ୍ତିଆର୍ କରିଥିଲେ ।