ପ୍ଲେ-ଅଫ୍ ରେସରୁ ମୁମ୍ବାଇ ଆଉଟ୍ । ରୋହିତ ବାହିନୀର ହାଟ୍ରିକ୍ ଚାମ୍ପିୟନ୍ ସ୍ୱପ୍ନ ଧୂଳିସାତ୍

209

କନକ ବ୍ୟୁରୋ: ପାଞ୍ଚ ଥରର ଆଇପିଏଲ୍ ଚାମ୍ପିୟନ ତଥା ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଆଇପିଏଲର ପ୍ଲେ-ଅଫ୍ ରେସରୁ ଆଉଟ୍ ହୋଇଯାଇଛି । ଏଥିସହିତ ମୁମ୍ବାଇର ହାଟ୍ରିକ୍ ଚାମ୍ପିୟନ ହେବାର ସ୍ୱପ୍ନ ମଧ୍ୟ ଧୂଳିସାତ୍ ହୋଇଛି । ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ରୋହିତ ଶର୍ମାଙ୍କ ଟିମ ଦମଦାର ପ୍ରଦର୍ଶନ କରିଥିଲେ ବି ଦଳ ପ୍ଲେ-ଅଫ୍ ରେସରୁ ବାଦ୍ ପଡିଛି ।

ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଚଳିତ ସିଜିନ୍ ସେତେଟା ଭଲ ଯାଇନି । ଦଳ ୭ଟି ମ୍ୟାଚରେ ପରାଜୟ ବରଣ କରିଛି, ଯେଉଁଥିପାଇଁ ଆଜି ଦଳ ପାଇଁ ପ୍ଲେ-ଅଫ୍ ରାସ୍ତା ବନ୍ଦ ହୋଇଯାଇଛି । ତେବେ ୨୦୧୮ ମସିହା ପରେ ପ୍ରଥମ କରି ଆଇପିଏଲ୍ ପ୍ଲେ-ଅଫରେ ସ୍ଥାନ ପାଇପାରିନି ରୋହିତ ବାହିନୀ । ଶୁକ୍ରବାର ଯଦି ମୁମ୍ବାଇ ଇଣ୍ଡିଆନ୍ସ ହାଇଦ୍ରାବାଦକୁ ୧୭୧ ରନରୁ ଅଧିକ ରନରେ ପରାଜିତ କରିଥାନ୍ତା, ତେବେ ଦଳ ପ୍ଲେ-ଅଫ୍ ଯାଇପାରିଥାନ୍ତା । ଏଥିପାଇଁ ଦଳ ପ୍ରଥମ ଇଂନିସରେ ଦମଦାର ଆରମ୍ଭ ସହିତ ୨୩୫ ରନ୍ ମଧ୍ୟ କରିଥିଲା । ହେଲେ ୧୭୧ ରନରେ ଦଳ ହାଇଦ୍ରାବାଦକୁ ପରାସ୍ତ କରିପାରିନି ।

ସୂଚନାଯୋଗ୍ୟ ଯେ, ଆଇପିଏଲ୍ ଇତିହାସରେ ସବୁଠୁ ସଫଳ ଦଳ ହେଉଛି ମୁମ୍ବାଇ ଇଣ୍ଡିଆନ୍ସ । ଦଳ ୨୦୧୩,୨୦୧୫,୨୦୧୭,୨୦୧୯,୨୦୨୦ ମସିହାରେ ଆଇପିଏଲ ଟାଇଟଲ ଜିତିଛି । ଅନ୍ୟ କୌଣସି ଦଳ ଏପରି ସଫଳତା ହାସଲ କରିପାରିନାହାଁନ୍ତି । ତେବେ ଚଳିତ ଥର କିନ୍ତୁ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍ ଟ୍ରଫିରେ ନିଜ ନାଁ ଲେଖିବାରୁ ବଞ୍ଚିତ ହେବ । ଏହି ମ୍ୟାଚ୍ ସହିତ ବର୍ତ୍ତମାନ ଆଇପିଏଲ୍ ପ୍ଲେ-ଅଫରେ ୪ଟି ଟିମ୍ ନିଜ ନିଜ ସ୍ଥାନ ପକ୍କା କରିଦେଇଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ, ଚେନ୍ନାଇ ସୁପରକିଙ୍ଗସ୍ , ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ନାଇଟ୍ ରାଇଡର୍ସ ଚାମ୍ପିୟନ ହେବା ପାଇଁ ପ୍ଲେ-ଅଫରେ ମୁହାଁମୁହିଁ ହେବେ ।