କନକ ବ୍ୟୁରୋ: ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ କହିଲେ ରୋହିତ୍ ଶର୍ମା ଆଉ ରୋହିତ୍ ଶର୍ମା କହିଲେ, ୫ ଥରର ଚାମ୍ପିୟନ କ୍ୟାପଟେନକୁ ବୁଝାଏ । ହେଲେ ଯେତେବେଳେ ରୋହିତଙ୍କୁ କ୍ୟାପଟେନ୍ ପଦରୁ ହଟାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପଟେନ୍ କରାଗଲା ସେତେବେଳେ ସୋସିଆଲ ମିଡ଼ିଆରେ ବର୍ଷିଛନ୍ତି ମୁମ୍ବାଇ ଫ୍ୟାନ୍ସ ।

Advertisment

ମାତ୍ର କେଇ ଘଣ୍ଟାରେ ମୁମ୍ବାଇ ଇଣ୍ଡିଆନ୍ସର ସମସ୍ତ ସୋସିଆଲ ସାଇଟରୁ ଲକ୍ଷ ଲକ୍ଷ ଫଲୋଅର୍ସ ଅନଫଲୋ କରିଦେଇଥିବା ଦେଖିବାକୁ ମିଳିଛି । ଏପରିକି ସୋସିଆଲ ମିଡ଼ିଆରେ ମୁମ୍ବାଇ ଟିମ୍ ମ୍ୟାନେଜମେଣ୍ଟଙ୍କ ବିରୁଦ୍ଧରେ ନୂଆ ନୂଆ ହାସଟ୍ୟାଗ୍ ଟ୍ରେଣ୍ଡ୍ କରୁଥିବା ଦେଖିବାକୁ ମିଳିଛି ।

ଆଇପିଏଲର ସବୁଠାରୁ ସଫଳ ଟିମ୍ ବୋଲାଉଥିବା ମୁମ୍ବାଇ ମୁଣ୍ଡରେ ବାରମ୍ବାର ମୁକୁଟ ପିନ୍ଧାଇଥିବା ବାଦଶାହ ହେଉଛନ୍ତି ହିଟ୍ମ୍ୟାନ୍ ତଥା କ୍ୟାପଟେନ୍ ରୋହିତ ଗୁରୁନାଥ ଶର୍ମା । ୩୬ ବର୍ଷୀୟ ରୋହିତ ୨୦୧୩ରେ ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପଟେନ୍ ଭାର ସମ୍ଭାଳିଥିଲେ । ମାତ୍ର ୧୦ଟି ସଂସ୍କରଣରେ ରୋହିତ ଏକମାତ୍ର କ୍ୟାପଟେନ୍ ଭାବେ ୫ ଥରର ଆଇପିଏଲ ଚମ୍ପିଆନ ଟିମ୍ ଭାବେ ଟାଇଟେଲ ହାତେଇଥିଲେ ।

ମୁମ୍ବାଇ କ୍ୟାପଟେନ୍ ଭାବେ ରୋହିତ ଶର୍ମା ୩ ହଜାର ୯୮୬ ରନ୍ କରିଥିବାବେଳେ ଆଇପିଏଲ ଇତିହାସରେ ଚତୁର୍ଥ ସର୍ବାଧିକ ରନ୍ କରିଥିବା ଖେଳାଳି । ଏଯାବତ୍ ରୋହିତ ଶର୍ମା ଆଇପିଏଲରେ ମୋଟ୍ ୬ ହଜାର ୨୧୧ ରନ୍ କରିଛନ୍ତି । ଏପରିକି ହାର୍ଦ୍ଦିକ ପାଣ୍ଡ୍ୟାକୁ ପରିପକ୍ୱ ଖେଳାଳି ଭାବେ ଗଢ଼ି ତୋଳିବାରେ ମଧ୍ୟ ରୋହିତଙ୍କ ପ୍ରମୂଖ ଭୂମିକା ରହିଛି । କାରଣ ହାର୍ଦ୍ଦିକ ୨୦୧୫ରରେ ଯେବେ ମୁମ୍ବାଇ ଦଳରେ ସାମିଲ ହୋଇଥିଲେ ସେତେବେଳେ ରୋହିତଙ୍କ କାନ୍ଧରେ ଦଳ ଚମ୍ପିଆନ ଦଳ ଭାବେ ଆଗକୁ ବଢ଼ିଚାଲିଥିଲା । ହେଲେ ଏବେ ଟିମ୍ ମ୍ୟାନେଜମେଣ୍ଟ ଗୁଜୁରାଟ ଟାଇଟନ୍ସରୁ ଟ୍ରେଡରେ ହାର୍ଦ୍ଦିକୁ ଆଣି ରୋହିତଙ୍କ ବଦଳରେ ହାର୍ଦ୍ଦିକଙ୍କୁ କ୍ୟାପଟେନ୍ ଭାର ଦେଇଛି । ଯାହାକି ଫ୍ୟାନ୍ସ ମାନଙ୍କ ମଧ୍ୟରେ ଅସନ୍ତୋଷ ଖେଳାଇଦେଇଛି ।

ସୋସିଆଲ ସାଇଟ୍ ଏକ୍ସରେ ଶେମ୍ ଅନ୍ ମୁମ୍ବାଇ, ରିପ୍ ମୁମ୍ବାଇ ଇଣ୍ଡିଆନ୍ସ ହାସଟ୍ୟାଗ୍ ଟ୍ରେଣ୍ଡ କରୁଥିବାବେଳେ ରୋହିତଙ୍କ ସମର୍ଥନରେ, ହିଟମ୍ୟାନ୍ ଭଳି ହାସଟ୍ୟାଗ୍ ଟ୍ରେଣ୍ଡ କରିବାରେ ଲାଗିଛି । ବର୍ଷ ବର୍ଷ ଧରି ମୁମ୍ବାଇ ଇଣ୍ଡିଆନ୍ସକୁ ସପୋର୍ଟ କରୁଥିବା ଫ୍ୟାନ୍ସମାନେ ମୁମ୍ବାଇ ଦଳଠୁ ମୁହଁ ଫେରାଇବାରେ ଲାଗିଛି । ଏପରିକି ବଡ଼ ବଡ଼ କ୍ରିକେଟ୍ ବିଶେଷଜ୍ଞ ମାନେ ମଧ୍ୟ ମୁମ୍ବାଇ ଟିମ୍ ମ୍ୟାନେଜମେଣ୍ଟଙ୍କ ଉପରେ ଖପ୍ପା ହୋଇଯାଇଛନ୍ତି । ୨୦୧୩, ୨୦୧୫, ୨୦୧୭, ୨୦୧୯ ଏବଂ ୨୦୨୦ରେ ରୋହିତଙ୍କ କ୍ୟାପଟେନ୍ସିରେ ୫ ଥରର ଚମ୍ପିଆନ ଟ୍ରଫିକୁ ମନେ ପକାଇଦେଇ ସୋସିଆଲ ମିଡ଼ିଆରେ ନିଜର କ୍ଷୋଭ ଜାହିର କରିଛନ୍ତି ରୋହିତଙ୍କ ଫ୍ୟାନ୍ସ ବା ମୁମ୍ବାଇ ସମର୍ଥକ ।

ସବୁଠାରୁ ବଡ଼କଥା ହେଲା କି, ୨୦୨୪ ଆଇପିଏଲ ପୂର୍ବରୁ ଫ୍ରାଞ୍ଚାଇଜର ଏଭଳି ନିଷ୍ପିତ୍ତିକୁ ଫ୍ୟାନ୍ସମାନେ ଗ୍ରହଣ କରିପାରୁନାହାନ୍ତି ସତ କିନ୍ତୁ ଏନେଇ ସୂର୍ଯ୍ୟକୁମାର ଯାଦବ ଯିଏ କି ରୋହିତଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଦଳରେ ଖେଳିଛନ୍ତି ସେ ମଧ୍ୟ ନିଜର ଅସନ୍ତୋଷ ନିଜ ଅଫିସିଆଲ ଇଂଷ୍ଟାଗ୍ରାମ ଷ୍ଟୋରୀରେ ଜାହିର କରିଛନ୍ତି । ଭଙ୍ଗା ହୃଦୟର ଇମୋଜୀ ଦେଇ ଟିମ୍ ମ୍ୟାନେଜମେଣ୍ଟଙ୍କ ଏଭଳି ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି ସୂର୍ଯ୍ୟକୁମାର । ତେବେ ହାର୍ଦ୍ଦିକଙ୍କ ହାତକୁ ଯାଇଥିବା ମୁମ୍ବାଇ ଇଣ୍ଡିଆନ୍ସ ଆଗାମୀ ଆଇପିଏଲରେ କେମିତି ପ୍ରଦର୍ଶନ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।