କନକ ବ୍ୟୁରୋ: ପୁଣି ଏକ ଭୟଙ୍କର ରେଳ ଦୁର୍ଘଟଣା। ମଙ୍ଗଳବାର ଭୋର ପାଖାପାଖି ୪ଟା ବେଳେ ଲାଇନଚ୍ୟୁତ ହୋଇଯାଇଥିଲା ହାୱଡା-ମୁମ୍ବାଇ ମେଲ୍ ଏକ୍ସପ୍ରେସର ୧୮ଟି କୋଚ୍। ଯେଉଁଥିରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ଜଣ ଆହତ ହୋଇଛନ୍ତି। ପ୍ରାଣ ହରାଇଥିବା ଦୁଇ ମୃତକ ହେଉଛନ୍ତି ଓଡ଼ିଶାର । ରାଉରକେଲାର ଅଜିତ ସାମଲ ଓ ପି. ବିକାଶଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଛି।
ଏପଟେ ଦୁଇ ଓଡ଼ିଆଙ୍କ ମୃତ୍ୟୁ ପରେ ରାଉରକେଲାରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ଅଜିତ ସାମଲଙ୍କ ପରିବାରରେ ଯେପରି ଦୁଃଖର ପାହାଡ଼ ଛିଡ଼ା ହୋଇଛି। ପୁଅକୁ ହରାଇ ଆତ୍ମହରାଇ ହୋଇପଡ଼ିଛି ମାଆ। ସେପଟେ ଟ୍ରେନ ଦୁର୍ଘଟଣା ଯୋଗୁଁ ୩ଟି ଟ୍ରେନ ବାତିଲ କରାଯାଇଛି। ହାୱଡା-କଣ୍ଟାବାଞ୍ଜି-ଟିଟିଲାଗଡ଼ ଇସ୍ପାତ ଏକ୍ସପ୍ରେସ, ଖଡ଼ଗପୁର ଝାରଗ୍ରାମ ଧାନବାଦ , ହାୱଡା-ବଡବିଲ-ହାୱଡା ଜନଶତାବ୍ଦୀ ଏକ୍ସପ୍ରେସ ବାତିଲ କରାଯାଇଛି।
ଏପଟେ ସମ୍ବଲପୁର ସରଲାରେ ମଧ୍ୟ ମାଲଗାଡ଼ି ଟ୍ରେନର ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ରେଳ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। କେବଳ ଏତିକି ନୁହେଁ, ନିକଟରେ ଉତ୍ତରପ୍ରଦେଶର ଗୋଣ୍ଡା ଓ ବିହାରର ବକ୍ସରରେ ମଧ୍ୟ ରେଳ ଦୁର୍ଘଟଣା ଘଟିଥିଲା। ଏବେ ଆଉଏକ ଦୁର୍ଘଟଣା ଚିନ୍ତା ବଢ଼ାଇ ଦେଇଛି।