ମଝି ସମୁଦ୍ରରେ ଚାଲିଥିଲା ଡ୍ରଗ୍ସ ପାର୍ଟି । ଅଚାନକ ଜାହାଜ ଉପରେ ଚଢାଉ କଲା ଏନସିବି । ବଲିଉଡ୍ ଅଭିନେତାଙ୍କ ପୁଅ ସହ ୮ ଜଣ ହେପାଜତରେ।

711

କନକ ବ୍ୟୁରୋ: ଡ୍ରଗ୍ସ ପାର୍ଟି ଉପରେ ଏନସିବିର ଚଢାଉ । ଶନିବାର ବିଳମ୍ବିତ ରାତିରେ ମୁମ୍ବାଇରୁ ଗୋଆ ଯାଉଥିବା ଏକ ଜାହାଜରେ ଡ୍ରଗ୍ସ ପାର୍ଟି ହେଉଥିବା ବେଳେ ଏହା ଉପରେ ଚଢାଉ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ତେବେ ବଡ କଥା ହେଉଛି ଏହି ଚଢାଉ ସମୟରେ ଜଣେ ବଲିଉଡ୍ ଅଭିନେତାଙ୍କ ପୁଅକୁ ମଧ୍ୟ ଏନସିବି ନିଜ ହେପାଜତରେ ରଖିଛି ।

ଏନସିବିର ଜୋନାଲ ଡାଇରେକ୍ଟର ସମୀର ବାନଖେଡେଙ୍କ ନେତୃତ୍ୱରେ ଏହି ଅପରେସନ କରାଯାଇଥିଲା । ତେବେ ପ୍ରଥମେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ ଏନସିବିର ଅଧିକାରୀମାନେ ଜାହାଜ ଭିତରେ ନିଜକୁ ଯାତ୍ରୀ ବୋଲି ପରିଚୟ ଦେଇ ପ୍ରବେଶ କରିଥିଲେ । ଏହାପରେ ଯେତେବେଳେ ଜାହାଜଟି ମଝି ସମୁଦ୍ରରେ ପହଞ୍ଚିଥିଲା, ସେତେବେଳେ ଜାହାଜ ଭିତରେ ଡ୍ରଗ୍ସ ପାର୍ଟି ଆରମ୍ଭ ହୋଇଥିଲା । ନିଶାରେ ଝୁମିଥିଲେ ଯୁବକ ଓ ଯୁବତୀ । ଏହି ସମୟରେ ସ୍ରିକେଟ୍ ଅପରେସନରେ ଥିବା ଏନସିବି ଅଧିକାରୀମାନେ ଏହି ପାର୍ଟି ଉପରେ ଚଢାଉ କରିବା ସହିତ ସେହି ଲୋକମାନଙ୍କୁ ନିଜ ହେପାଜତକୁ ନେଇଥିଲେ ।

ମିଳିଥିବା ସୂଚନା ମୁତାବକ, ଏହି ଡ୍ରଗ୍ସ ପାର୍ଟିରେ ବହୁ ନାମୀଦାମୀ ହସ୍ତୀ ରହିଥିଲେ । ଏହା ଭିତରେ ଜଣେ ବଲିଉଡ୍ ଅଭିନେତାଙ୍କ ପୁଅ ମଧ୍ୟ ଏହି ପାର୍ଟିରେ ଥିବା ସୂଚନା ମିଳିଛି । ତା ସହିତ ଜାହାଜଟିକୁ ମୁମ୍ବାଇ ଅଣାଯାଇଥିବାବେଳେ ସେଠାରେ ସାତରୁ ଆଠ ଜଣ ଲୋକଙ୍କୁ ଏନସିବି ନିଜ ହେପାଜତରେ ନେଇଛି । ତେବେ ଏହି ଅପରେସନକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । କାହିଁକି ପ୍ରଥମ କରି ଏନସିବି ଗୋଟିଏ ଜାହାଜ ଭିତରେ ସିକ୍ରେଟ୍ ଅପରେସନ କରି, ଏହି ଚଢାଉ କରିଛି ।

ସୂଚନା ମୁତାବକ, ଦିଲ୍ଲୀର ଏକ କମ୍ପାନୀ ଏହି ଡ୍ରଗ୍ସ ପାର୍ଟିର ଆୟୋଜନ କରୁଥିଲା । ଯେଉଁଥିରେ ସାମିଲ ହେବାକୁ ଯାତ୍ରୀଙ୍କୁ ଜଣ ପିଛା ୮୦ ହଜାର ଟଙ୍କା ଦେବାକୁ ପଡୁଥିଲା । ଏହି ପାର୍ଟି ସମୁଦ୍ର ଭିତରେ ଆରମ୍ଭ ହେଉଥିଲା ଆଉ ଦୁଇରୁ ତିନି ଦିନ ଧରି ଚାଲୁଥିଲା । ତେବେ ଏ ସମ୍ପର୍କରେ ସୂଚନା ପାଇବା ପରେ ଏନସିବି ଏହା ଉପରେ ତୁରନ୍ତ ଆକ୍ସନ ନେଇଛି ।