ପତ୍ନୀଙ୍କ ଫଟୋକୁ ନେଇ ଫଡନବିଶ୍- ନବାବ ମଲ୍ଲିକ ମୁହାଁମୁହିଁ । ଫଡନବିଶ୍ କହିଲେ ‘ଦିପାବଳୀ ପରେ ଫୁଟେଇବି ବୋମା’

244

କନକ ବ୍ୟୁରୋ: ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ କାରବାର ମାମଲାରେ ଶାହାରୁଖଙ୍କ ପୁଅ ଆରୟନଙ୍କ ଗିରଫ ପରେ ଚୁପ୍ ବସୁନାହାଁନ୍ତି ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲ୍ଲିକ । ଏହି ମାମଲାରେ ଏନସିବି ଆଂଚଳିକ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କୁ ଟାର୍ଗେଟ କରିବା ପରେ ଏବେ ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶଙ୍କୁ ଟାର୍ଗେଟ କରିଛନ୍ତି । ଫଡନବିଶଙ୍କ ପତ୍ନୀ ଅମୃତାଙ୍କର କିଛି ଫଟୋ ଭାଇରାଲ କରି ତାଙ୍କ ଭାବମୂର୍ତ୍ତିକୁ ଖରାପ କରିବାକୁ ଚେଷ୍ଟା କରିଛନ୍ତି ନବାବ ମଲ୍ଲିକ । ୪ ବର୍ଷ ତଳେ ଜୟଦୀପ ରାଣା ନାମକ ବ୍ୟକ୍ତିଙ୍କ ସହ ଅମୃତାଙ୍କ ଫଟୋକୁ ସେୟାର କରିବା ସହ ଏହି ବ୍ୟକ୍ତି ଜଣେ ଡ୍ରଗ୍ସ ମାଫିଆ ଓ ୟାଙ୍କ ସହ ଅମୃତାଙ୍କ ସମ୍ପର୍କ କ’ଣ ବୋଲି କହି ତାତ୍ସଲ୍ୟ କରିବା ସହ ଆସନ୍ତା କାଲି ଆହୁରି କିଛି ଖୁଲାସା କରିବେ ବୋଲି କହିଛନ୍ତି ନବାବ ମଲ୍ଲିକ ।

ଅନ୍ୟପଟେ ନବାବଙ୍କୁ ଠିକଣା ଜବାବ ଦେଇଛନ୍ତି ଦେବେନ୍ଦ୍ର ଫଡନବିଶ୍ । ମଲ୍ଲିକ ଜାଣିଶୁଣି ତାଙ୍କୁ ବିବାଦକୁ ଟାଣିବାକୁ ଅପଚେଷ୍ଟା କରୁଛନ୍ତି । ଏହି ଫଟୋ ୪ ବର୍ଷ ତଳର । ଏବେ କେମିତି ଏହା ତାଙ୍କ ଆଖରେ ପଡିଲା ବୋଲି ପ୍ରଶ୍ନ କରିଛନ୍ତି ଫଡନାବିଶ୍ । ଅନ୍ୟକୁ ଦୋଷ ଦେଉଥିବା ନବାବଙ୍କର ଅସଲ ଚେହେରା ବି ତାଙ୍କୁ ଜଣା । ଅଣ୍ଡରୱାର୍ଲ୍ଡ ସହ ନବାବଙ୍କ ସମ୍ପର୍କ ଥିବା ନେଇ ତାଙ୍କ ପାଖରେ ଯଥେଷ୍ଟ ପ୍ରମାଣ ରହିଛି । ‘ଅପେକ୍ଷା କର ଦିପାବଳୀ ପରେ ବୋମା ଫୁଟାଇବି’ ବୋଲି ନବାବଙ୍କୁ ଚେତାବନୀ ଦେଇଛନ୍ତି ଫଡନବିଶ ।

ସୂଚନା ମୁତାବକ, ଅମୃତା ଫଡନବିଶଙ୍କ ସହ ଫଟୋରେ ଥିବା ବ୍ୟକ୍ତି ଜଣକ ହେଉଛନ୍ତି ଜୟଦେବ ରାଣା । ଦେବେନ୍ଦ୍ର ଫଡନବିଶ୍ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଥିବାବେଳେ ଚଲଚଲ ମୁମ୍ବାଇ ନଦୀ ସଂରକ୍ଷଣ ଅଭିଯାନ ଆରମ୍ଭ ହୋଇଥିଲା । ଏଥିରେ ମୁମ୍ବାଇ ରିଭର ଆନ୍ଥେମ ଲଂଚ କରାଯାଇଥିଲା । ଏହି ସମୟରେ ‘ରିଭର ମାର୍ଚ୍ଚ ଅଗାନାଇଜେସନ୍’ର ସଭ୍ୟ ଭାବେ ସେଠାକୁ ଆସିଥିଲେ, ଏବଂ ଅମୃତାଙ୍କ ସହ ଫଟୋ ଉଠାଇଥିଲେ । ହେଲେ ଏହି ଫଟୋକୁ ନେଇ ନବାବ ମଲ୍ଲିକ ଯେଉଁ ଷଡଯନ୍ତ୍ରର ଜାଲ ବୁଣୁଛନ୍ତି ତାଙ୍କୁ ତାର ଭରଣା କରିବାକୁ ପଡିବ । ଦିପାବଳୀ ପରେ ସେ ଏହାର ଜବାବ କେବଳ ଗଣମାଧ୍ୟମକୁ ନୁହେଁ ନବାବଙ୍କୁ ବି ଦେବେ । ଆଉ ବୁଣୁଥିବା ଜାଲରେ ନିଜେ ନବାବ ପଡିବେ ବୋଲି ଚେତାଇଦେଇଛନ୍ତି ଫଡନବିଶ ।

ସୂଚନା ଅନୁସାରେ ପୂର୍ବରୁ ଡ୍ରଗ୍ସ କାରବାର ମାମଲାରେ ନବାବଙ୍କ ଜ୍ୱାଇଁଙ୍କୁ ଏନସିବି ଗିରଫ କରିଥିବାରୁ ତା’ର ପ୍ରତିଶୋଧ ନେବାକୁ ସେ ଏପରି କରୁଛନ୍ତି ବୋଲି ଆଲୋଚନା ହେଉଛି ।