ଏନସିବି ହାତରେ ଅନନ୍ୟା ପାଣ୍ଡେଙ୍କ ହ୍ୱାଟ୍ସଆପ୍ ଚାଟ୍ । ଆରୟନ୍ ଖାନଙ୍କୁ କହିଥିଲେ, “ମୁଁ ଯୋଗାଡ କରିଦେବି…”

315

କନକ ବ୍ୟୁରୋ: ଆରୟନ ଖାନ ଡ୍ରଗ୍ସ ମାମଲାରେ ଏବେ ଏନସିବି ଘେରକୁ ଆସିଛନ୍ତି ବଲିଉଡ୍ ଅଭିନେତ୍ରୀ ଅନନ୍ୟା ପାଣ୍ଡେ । ଗତକାଲି ଏନସିବି ଜେରା ପରେ ଆଜି ମଧ୍ୟ ତାଙ୍କୁ ଏନସିବି ଜେରା କରିବ । ହେଲେ ଏହାରି ଭିତରେ ଅନନ୍ୟା ଓ ଆରୟନଙ୍କ ଭିତରେ ହୋଇଥିବା ହ୍ୱାଟ୍ସଆପ୍ ଚାଟ୍ ସାମ୍ନାକୁ ଆସିଛି । ଯେଉଁଥିରେ ଉଭୟଙ୍କ ଚାଟ୍ ଏନସିବି ଅଫିସରଙ୍କ ହାତରେ ଲାଗିଛି ।

ଏନସିବି ଅଫିସରଙ୍କ ହାତରେ ଲାଗିଥିବା ଏହି ଚାଟ୍ ଆରୟନ ଖାନ ଡ୍ରଗ୍ସ ମାମଲାକୁ ନୂଆ ଦିଗ ଦେଇପାରେ ବୋଲି କୁହାଯାଉଛି । ତେବେ ଅନନ୍ୟାଙ୍କ ଫୋନ୍ ସିଜ୍ ହେବା ପରେ ଏନସିବିକୁ ଏହି ତଥ୍ୟ ମିଳିଛି । ସୂଚନା ମୁତାବକ, ୨୦୧୮ରୁ ୨୦୧୯ ଭିତରେ ଏହି ଚାଟ୍ ହୋଇଛି । ଯେଉଁଥିରେ ଅନନ୍ୟା ଓ ଆରୟନଙ୍କ ଭିତରେ ଗଞ୍ଜେଇକୁ ନେଇ କିଛି ଚାଟ୍ କରିଥିଲେ । ଏହି ଚାଟରେ ଆରୟନ, ଅନନ୍ୟାଙ୍କୁ ଗଞ୍ଜେଇ ଯୋଗାଡ କରିବାକୁ କହୁଛନ୍ତି । ଯାହାର ଉତ୍ତରରେ ଅନନ୍ୟା କହୁଛନ୍ତି , ହଁ ସେ ଖୁବଶୀଘ୍ର ଏହାକୁ ଯୋଗାଡ କରୁଛନ୍ତି ।

ଏହି ଚାଟକୁ ନେଇ ଗତକାଲି ଏନସିବି ଅଫିସର ଅନନ୍ୟା ପାଣ୍ଡେଙ୍କୁ ପ୍ରଶ୍ନ କରିଥିଲେ । ହେଲେ ଆରୟନ ଖାନଙ୍କ ସହିତ ଏହା ତାଙ୍କର ମଜାକ୍ ଥିଲା ବୋଲି କହିଥିଲେ ଅନନ୍ୟା ପାଣ୍ଡେ । ଏଥିସହିତ ତାଙ୍କ ଦୁହିଁଙ୍କ ଭିତରେ କେବଳ ସିଗାରେଟକୁ ନେଇ କଥାବାର୍ତ୍ତା ହୋଇଛି । ଯାହାକୁ ସେ ସ୍ୱୀକାର କରିଛନ୍ତି । ହେଲେ ଅନନ୍ୟା କଦାପି ଡ୍ରଗ୍ସ ନେଇନାହାଁନ୍ତି ବୋଲି ଏନସିବି ଆଗରେ ସଫେଇ ରଖିଛନ୍ତି । ଅନ୍ୟପଟେ ଏନସିବି ଅଫିସରଙ୍କ କହିବା ମୁତାବକ, ଏପର୍ଯ୍ୟନ୍ତ ଏହି ମାମଲାରେ ଅନନ୍ୟା ପାଣ୍ଡେଙ୍କ ବିରୋଧରେ ସେଭଳି କୌଣସି ସଠିକ୍ ପ୍ରମାଣ ମିଳିପାରିନି । ଯେଉଁଥିରୁ କୁହାଯାଇପାରିବ, ଅନନ୍ୟା ପାଣ୍ଡେ କେବେ ଆରୟନଙ୍କ ପାଇଁ ଡ୍ରଗ୍ସ ଯୋଗାଡ କରିଥିଲେ । ତେବେ ଆଜି ମଧ୍ୟ ଅନନ୍ୟା ପାଣ୍ଡେଙ୍କ ଜେରା ହେବାକୁ ଯାଉଛି । ଯେଉଁଥିରେ କିଛି ନୂଆ ତଥ୍ୟ ମଧ୍ୟ ସାମ୍ନାକୁ ଆସିପାରେ ।