ସମୁଦ୍ର ଭିତରେ ଚାଲିଥିଲା ଡ୍ରଗ୍ସ ପାର୍ଟି । ଅତର୍କିତ ଚଢାଉ କଲା ଏନସିବି । ଜାଣନ୍ତୁ, ଏହି ଅପରେସନରେ ସାମିଲ ଥିଲେ କେଉଁ ଅଫିସର…

238

କନକ ବ୍ୟୁରୋ: ଶନିବାର ମୁମ୍ବାଇରୁ ଗୋଆ ଯାଉଥିବା କ୍ରୁଜ୍ ଉପରେ ଅତର୍କିତ ଚଢାଉ କରିଥିଲା ନାର୍କୋଟିକ୍ସ କ ଣ୍ଟ୍ରୋଲ ବ୍ୟୁରୋ । ଏହି କ୍ରୁଜରେ ଡ୍ରଗ୍ସ ପାର୍ଟି ଚାଲିଥିବା ନେଇ ଏନସିବି ପାଖରେ ପକ୍କା ସୂଚନା ଥିଲା । ଯେଉଁଥିପାଇଁ ଯାତ୍ରୀଙ୍କ ବେଶରେ ଯାଇ ଏହି କ୍ରୁଜ୍ ଉପରେ ଚଢାଉ କରିଥିଲେ ଏନସିବିର ଅଫିସରମାନେ । ଏହି ମାମଲାରେ ଏବେ ଶାହାରୁଖଙ୍କ ପୁଅ ଆରୟନ ମଧ୍ୟ ଗିରଫ ହୋଇ ଚର୍ଚ୍ଚାରେ ଅଛନ୍ତି । ହେଲେ ଏହି କ୍ରୁଜ୍ ଉପରେ କେଉଁ କେଉଁ ଅଫିସରମାନେ ଏପରି ଚଢାଉ କଲେ ତାହା ଜାଣିବାକୁ ଏବେ ସମସ୍ତେ ଉତ୍ସାହିତ । ତେଣୁ ଆସନ୍ତୁ ଜାଣିବା କିଏ ଏହି ଅଫିସର…

ବିଶ୍ୱବିଜୟ ସିଂହ, ସୁପରିଟେଡେଣ୍ଟ, ଏନସିବି ମୁମ୍ବାଇ

ବିଶ୍ୱବିଜୟ ସିଂହ ହିଁ ହେଉଛନ୍ତି ସେହି ଅଫିସର ଯିଏ କ୍ରୁଜ୍ ଭିତରୁ ବଲିଉଡ୍ ଷ୍ଟାର ଶାହାରୁଖ ଖାନଙ୍କ ପୁଅକୁ ନିଜ ହେପାଜତରେ ନେଇ ଗିରଫ କରିଥିଲେ । ତେବେ ଲକ୍ଷ୍ନୌର ଏହି ଅଧିକାରୀ ଜଣକ ପୂର୍ବରୁ ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ମଧ୍ୟ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିଥିଲେ । ରିୟାଙ୍କ ବ୍ୟତୀତ ତାଙ୍କ ଭାଇ ଶୌଭିକ, ଅର୍ଜୁନ ରାମପାଲଙ୍କୁ ମଧ୍ୟ ବିଶ୍ୱବିଜୟ ସିଂହ ପଚରାଉଚୁରା କରିଥିଲେ । ଗତ ୧୦ ବର୍ଷ ହେଲା ବିଶ୍ୱବିଜୟ ସିଂହ ଏନସିବିରେ ଅଛନ୍ତି । ସେ ୨୦୧୮ରେ ହିରୋଇନର ଏକ ବଡ ଗ୍ୟାଙ୍ଗକୁ ଧରିଥିଲେ ।

ଆଶିଷ ରାଜନ ପ୍ରସାଦ, ଇଣ୍ଟେଲିଜେନ୍ସ ଅଫିସର

ଡ୍ରଗ୍ସ ପାର୍ଟି ଉପରେ ହୋଇଥିବା ଚଢାଉରେ ସାମିଲ ଥିବା ଆଉ ଜଣେ ଅଫିସର ହେଉଛନ୍ତି ଆଶିଷ ରାଜନ ପ୍ରସାଦ । ସେ ଏବେ ଏନସିବିରେ ଇଣ୍ଟେଲିଜେନ୍ସ ଅଫିସର ଅଛନ୍ତି । ତେବେ ଅକ୍ଟୋବର ୨ ତାରିଖରେ ସେ ନିଜେ ଏହି କ୍ରୁଜରେ ଯାତ୍ରୀ ହୋଇ ସାମିଲ ଥିଲେ । ଆଉ ନିଜେ ସେଠାରୁ ଡ୍ରଗ୍ସ ଉପରେ ଛଢାଉ କରିଥିଲେ । ଏହାପୂର୍ବରୁ ଆଶିଷ ସିଆଇଏସଏଫରେ ସ୍ପେଶାଲ୍ ଇଣ୍ଟେଲିଜେନ୍ସ ୟୁନିଟରେ କାମ କରୁଥିଲେ । ୨୦୧୭ରୁ ସେ ଏନସିବିରେ ସାମିଲ ହୋଇଛନ୍ତି ।

ସମୀର ୱାଙ୍ଖଡେ, ଜୋନାଲ ଡାଇରେକ୍ଟର, ମୁମ୍ବାଇ ଏନସିବି

ଏନସିବିର ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖଡେ ଗତ ଏକ ବର୍ଷ ଭିତରେ ଏପରି ଅନେକ ଚଢାଉ କରିସାରିଲେଣି । ବଲିଉଡରେ ଡ୍ରଗ୍ସ କନେକ୍ସନ ମାମଲାରେ ସେ ଦାଉଦ୍ ଇବ୍ରାହିମ୍ ଗ୍ୟାଙ୍ଗର ବହୁ ମେମ୍ବରଙ୍କୁ ମଧ୍ୟ ଗିରଫ କରିଛନ୍ତି । ଖାଲି ସେତିକି ନୁହେଁ, ସାରା ଅଲ୍ଲୀ ଖାନ ଓ ଶ୍ରଦ୍ଧା କପୁରଙ୍କୁ ମଧ୍ୟ ଏହି ଅଫିସର ଡ୍ରଗ୍ସ ଲିଙ୍କ୍ ନେଇ ପଚରାଉଚୁରା କରିଥିଲେ । ଆଉ ଏବେ ଶାହାରୁଖଙ୍କ ପୁଅକୁ ଗିରଫ କରି ସେ ଚର୍ଚ୍ଚାରେ ଅଛନ୍ତି । ଏହା ପୂର୍ବରୁ ସମୀର ରାଜସ୍ୱ ବିଭାଗରେ ଚାକିରି କରିଥିଲେ, ପରେ ସେ ମୁମ୍ବାଇ ଏନସିବି ସହ ଯୋଡି ହୋଇଛନ୍ତି ।