ମାଲେଗାଓଁ ବିସ୍ପୋରଣ ମାମଲା । ବିଜେପି ସାଂସଦ ପ୍ରଜ୍ଞା ଠାକୁରଙ୍କ ବିରୋଧରେ ୱାରେଣ୍ଟ ଜାରି

120

କନକ ବ୍ୟୁରୋ : ମାଲେଗାଓଁ ବିସ୍ଫୋରଣ ମାମଲାରେ କୋର୍ଟରେ ହାଜର ନ ହେବା କାରଣରୁ ମୁମ୍ବାଇର ଏନଆଇଏ ଅଦାଲତ ଭାରତୀୟ ଜନତା ପାର୍ଟିର ସାଂସଦ ପ୍ରଜ୍ଞା ଠାକୁରଙ୍କ ବିରୋଧରେ ୱାରେଣ୍ଟ ଜାରି କରିଛନ୍ତି । ସ୍ପେଶାଲ ଏନଆଇଏ କୋର୍ଟ ପ୍ରଜ୍ଞା ଠାକୁରଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ କୋର୍ଟ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ତାରିଖରେ କୋର୍ଟରେ ହାଜର ହୋଇ ବୟାନ ରେକର୍ଡ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ପ୍ରଜ୍ଞା ଠାକୁରଙ୍କ ଓକିଲ ମେଡିକାଲ ଆଧାରରେ କୋର୍ଟରେ ହଜାର ହେବା ନେଇ ଦିଆଯାଇଥିବା ନିର୍ଦ୍ଦେଶ ମୁତାବକ ତାରିଖ ଘୁଂଚାଇବାକୁ ଆବେଦନ କରିଥିଲେ । ଏହା ପରେ କୋର୍ଟ ଏହି ଆବେଦନକୁ ଖାରଜ କରି କୋର୍ଟରେ ଉପସ୍ଥିତ ହେବାକୁ ଏକ ୱାରେଣ୍ଟ ଜାରି କରିଥିଲେ । ଏଥିରେ କୁହାଯାଇଛି କି ୨୦୨୪ ମାର୍ଚ୍ଚ ୨୦ ତାରିଖ ସୁଦ୍ଧା କୋର୍ଟରେ ହାଜର ହେବାକୁ ପଡିବ ।

ଋିପୋର୍ଟ ମୁତାବକ ପ୍ରଜ୍ଞା ଠାକୁର ଓ ଅନ୍ୟ ଅଭିଯୁକ୍ତଙ୍କ ଉପରେ ଦେଶଦ୍ରୋହ ଓ ଆଇପିସିର ଅନ୍ୟ ପ୍ରାବଧାନ ମୁତାବକ ମାମଲା ଚାଲିଛି । ରାଷ୍ଟ୍ରୀୟ ଯାଂଚ ଏଜେନ୍ସି ଏନଆଇଏ ଏହି କ୍ରମରେ ବର୍ତମାନ ସିଆରପିସି ଆଧାରରେ ଅଭିଯୁକ୍ତଙ୍କ ବୟାନ ରେକର୍ଡ କରୁଛି । ହେଲେ ପ୍ରଜ୍ଞା ଠାକୁର ନିଜ ବୟାନ ରେକର୍ଡ କରିବାକୁ କୋର୍ଟରେ ଅନୁପସ୍ଥିତ ରହିବାରୁ ଜଷ୍ଟିସ ଏ.କେ ଲାହୋଟୀ ସୋମବାର ଦିନ ପ୍ରଜ୍ଞା ଠାକୁରଙ୍କ ବିରୋଧରେ ୧୦ ହଜାର ଟଙ୍କାର ୱାରେଣ୍ଟ ଜାରି କରିଛନ୍ତି । ଏଥିରେ ନିର୍ଦ୍ଦେଶ ଦିଆଯାଇଛି କି, ପ୍ରଜ୍ଞା ଠାକୁର ମାର୍ଚ୍ଚ ୨୦ ତାରିଖ ସୁଦ୍ଧା କୋର୍ଟରେ ହାଜର ହେବାକୁ ପଡିବ ।

ଗତମାସରେ କୋର୍ଟ ପ୍ରଜ୍ଞା ଠାକୁରଙ୍କୁ ଚେତାବନୀ ଦେଇଥିଲେ କି, ସେ ଯଦି କୋର୍ଟରେ ହାଜର ନ ହେବେ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ୨୦୦୮ ସେପ୍ଟେମ୍ବର ୨୯ ତାରିଖରେ ମୁମ୍ବାଇରୁ ୨୦୦ କିଲୋମିଟର ଦୂର ମାଲେଗାଓଁର ଏକ ମସଜିଦ ନିକଟରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଏଥିରେ ୬ଜଣଙ୍କର ମୃତ୍ୟୁ ହୋଇଥିଲା । ଏହାସହ ୧୦୦ ରୁ ଅଧିକ ଲୋକ ଆହାତ ହୋଇଥିଲେ । ଏହି ମାମଲାରେ ପ୍ରଜ୍ଞା ସିଂ ଠାକୁର ଓ ଅନ୍ୟ କିଛି ଲୋକଙ୍କ ନାମରେ ମାମଲା ରୁଜୁ ହୋଇଥିଲା ।