ହ୍ୱାଟ୍ସଆପରେ ମୋଦିଙ୍କୁ ସମାଲୋଚନା ପଡିଲା ମହଙ୍ଗା ! ଚାକିରିରୁ ନିଲମ୍ବିତ ହେଲେ କନେଷ୍ଟବଳ

43

କନକ ବ୍ୟୁରୋ : ହ୍ୱାଟ୍ସଆପରେ ମୋଦିଙ୍କୁ ସମାଲୋଚନା ମହଙ୍ଗା ପଡିଲା କନେଷ୍ଟବଳଙ୍କୁ । ପ୍ରଧାନମନ୍ତ୍ରୀଙ୍କ ସମାଲୋଚନା କରି ଚାକିରିରୁ ନିଲମ୍ବିତ ହୋଇଛନ୍ତି ମହାରାଷ୍ଟ୍ରର ରମେଶ ସିନ୍ଦେ । ଅହମ୍ମଦ ନଗର ଜିଲ୍ଲା ପୁଲିସରେ କନେଷ୍ଟବଳ ଥିବା ରମେଶଙ୍କୁ ନିଲମ୍ବିତ କରିଛନ୍ତି ଏସପି । ରମେଶ ର୍ପୂବତନ ମନ୍ତ୍ରୀ ତଥା କଂଗ୍ରେସ୍ ଏମଏଲଏ ବାଲାସାହେବ ଥୋରାଟେଙ୍କ ସୁରକ୍ଷାକର୍ମୀ ଭାବରେ ନିଯୁକ୍ତ ଥିଲେ ।

ରିପୋର୍ଟ ଅନୁସାରେ, ରମେଶ ସିନ୍ଦେ ଏକ ହ୍ୱାଟ୍ସଆପ୍ ଗ୍ରୁପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ଏକ ଆପତ୍ତି ଜନକ ମେସେଜ୍ ଦେଇଥିଲେ । ଅଭିଯୋଗ ପାଇବା ପରେ ଏସପି ତୁରନ୍ତ ରମେଶଙ୍କୁ ସସପେଣ୍ଡ କରିଦେଇଛନ୍ତି । ଅନ୍ୟପଟେ ଅହମଦ ନଗର ଏସପି ରଂଜନ କୁମାରଙ୍କ କହିବା ଅନୁଯାୟୀ ରମେଶଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଏପରି ଅଭିଯୋଗ ଆସିଛି ।

ଏସପିଙ୍କ କହିବା ଅନୁଯାୟୀ, ୧୦ ଦିନ ପୂର୍ବରୁ ରମେଶ ଏକ ହ୍ୱାଟସଗ୍ରୁପରେ ମୋଦିଙ୍କୁ ବ୍ୟଙ୍ଗ କରି ମେସେଜ୍ କରିଥିଲେ । ମୋଦିଙ୍କୁ ମିଛୁଆ ବୋଲି କହିଥିଲେ ରମେଶ । ଏହି ମେସେଜ୍ ପରେ ହ୍ୱାଟସଆପ୍ ଗ୍ରୁପରେ ଥିବା ଅନ୍ୟ ସଦସ୍ୟ ପୁଲିସ ନିକଟରେ ଅଭିଯୋଗ କରିଥିଲେ । କେବଳ ଆପତ୍ତିଜନକ ମେସେଜ୍ ନୁହେଁ ରମେଶ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳକୁ ସମର୍ଥନ କରନ୍ତି । ତେଣୁ ଉଭୟ ମାମଲା ପାଇଁ ରମେଶଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି ।