ଲୋକଙ୍କୁ ସ୍ୱପ୍ନକୁ ସତର ରୂପ ଦେଉଥିବା ମାୟାନଗରୀ ମୁମ୍ବାଇକୁ ଲଗାତାର ଆତଙ୍କବାଦୀଙ୍କ ନଜର ଲାଗିଛି । ୮ ବର୍ଷ ତଳେ ଆଜିର ଦିନରେ ଆତଙ୍କବାଦୀମାନେ ମୁମ୍ବାଇର ୩ ଟି ସ୍ଥାନରେ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ କରିଥିଲେ । ଏହି ବିସ୍ଫୋରଣରେ ଦେଶର ଆର୍ଥୀକ ରାଜଧାନୀରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିଲା । ଏହି ତିନୋଟି ବିସ୍ଫୋରଣରେ ୧୯ ଜଣ ଲୋକଙ୍କ ଜୀବନ ଚାଲିଯାଇଥିଲା ଏବଂ ୧୫୦ ଜଣ ଲୋକ ଗୁରୁତର ଆହାତ ହୋଇଥିଲେ ।
୧୩ ଜୁଲାଇ ୨୦୧୧ , ସନ୍ଧ୍ୟା ୬ ଟା ୫୪ ମିନିଟ୍ :
ପ୍ରତିଦିନ ଭଳି ମୁମ୍ବାଇର ଗହଳି ସଡକରେ ଲୋକଙ୍କ ଭିଡ ଜମିଥିଲା । କେହି କିଛି ଜାଣିବା ପୂର୍ବରୁ ହଠାତ୍ ଦକ୍ଷିଣ ମୁମ୍ବାଇର ଝବେରୀ ବଜାରରେ ବିସ୍ଫୋରଣ ହେଲା । ଗୋଟିଏ ମାରୁତି କାରରେ ଏହି ବୋମାକୁ ଖଞ୍ଜାଯାଇଥିଲା ।
୧୩ ଜୁଲାଇ ୨୦୧୧ , ସନ୍ଧ୍ୟା ୬ ଟା ୫୫ ମିନିଟ୍ :
ଏହି ଘଟଣାରୁ ମାତ୍ର ଗୋଟିଏ ମିନିଟ୍ ପରେ ମୁମ୍ବାଇର ଓପେରା ହାଉସ୍ ପାଖ ଚର୍ଣ୍ଣୀ ରୋଡରେ ୬ ବାଜି ୫୫ ମିନିଟରେ ଆଉ ଏକ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣ ପରେ ମୁମ୍ବାଇରେ ଆତଙ୍କର ମାହୋଲ୍ ସୃଷ୍ଟି ହୋଇଯାଇଥିଲା ।
୧୩ ଜୁଲାଇ ୨୦୧୧ , ସନ୍ଧ୍ୟା ୭ ଟା ୫ ମିନିଟ୍ :
ସମୟ ୭ ଟା ୫ ମିନିଟ୍ ରେ ଦାଦର କ୍ଷେତ୍ର ବସ୍ ଷ୍ଟାଣ୍ଡରେ ଥିବା ବିଜୁଳୀ ପୋଲ୍ ପାଖରେ ଆଉ ଏକ ବୋମା ବିସ୍ଫୋରଣ ହେଲା । ଚାରିଆଡେ ଧୂଳି ଏବଂ ଧୂଆଁର ବାତାବରଣ ମଧ୍ୟରେ ରକ୍ତଲଗା ମଣିଷ ମାଂସ ଟୁକୁଡା ବିଛାଡି ହୋଇ ପଡିଥିଲା । କେଉଁଠି ପାଦ ତ କେଉଁଠି ହାତ ଆଉ କିଏ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛଟପଟ ହେଉଥିଲା ।
୧୯ ମୃତ ଏବଂ ୧୫୦ ଲୋକ ଗୁରୁତର :
ଏହି ତିନି ବିସ୍ଫୋରଣରେ ୧୯ ଲୋକଙ୍କ ଜୀବନ ଯାଇଥିବା ବେଳେ ୧୫୦ ଲୋକ ଗୁରୁତର ଆହତ ହୋଇଥିଲେ । ପାଖ ଡାକ୍ତରଖାନାରେ ଆହତଙ୍କ ଚିକିତ୍ସା ଚାଲିଥିଲା । ଫୋନ୍ ଲାଇନ୍ ଏବଂ ଯୋଗାଯୋଗକୁ ସଂପୂର୍ଣ୍ଣ ଠପ୍ କରାଯାଇଥିଲା ।