ବର୍ଷାଋତୁରେ ବଢୁଛି ସାପଙ୍କ ପ୍ରାଦୁର୍ଭାବ : ବାଇକ୍ ସିଟ୍ ତଳେ ଛପିଥିଲା ସାପ , ଅନ୍ୟଯାତ୍ରୀଙ୍କ କହିବାପରେ ସତର୍କ ହେଲେ ଚାଳକ , ସର୍ପଦଂଶନରୁ ବଂଚିଗଲା ଜୀବନ। ଦେଖନ୍ତୁ ଭିଡ଼ିଓ

1,266

ଖରା ଦାଉରୁ ଆଶ୍ୱସ୍ତି ଦେଉଥିବା ବର୍ଷାଋତୁ ପ୍ରାୟ ସମସ୍ତଙ୍କୁ ଭଲ ଲାଗିଥାଏ । କିନ୍ତୁ ଚାରିଆଡ଼େ ପାଣି, କାଦୁଅ ଭଳି ସମସ୍ୟା ମୁଣ୍ଡବ୍ୟଥାର କାରଣ ବି ପାଲଟେ । ହେଲେ ଖାଲି କାଦୁଅ ହିଁ ବଡ଼ ସମସ୍ୟା ନୁହଁ ଏହି ସମୟରେ ସାପଙ୍କ ପ୍ରାଦୁର୍ଭାବ ବି ବଢିଯାଏ । ସାଧାରଣ ଭାଷାରେ କହିବାକୁ ଗଲେ ଆରମ୍ଭ ହୋଇଗଲାଣି ସାପଙ୍କ ସିଜନ୍ । ବାହାରେ ବୁଲୁଥିବା ସରୀସୃପ ବର୍ଷାଦିନେ ଘରକୋଣ , ପିନ୍ଧୁଥିବା ବୁଟ୍ କିମ୍ବା ଘରର କୌଣସି ଆସବାବପତ୍ରରେ ଲୁଚିଯିବାର ଅନେକ ଉଦାହରଣ ସାମ୍ନାକୁ ଆସିଛି । ହେଲେ ମୁମ୍ବାଇରେ ଜଣେ ବ୍ୟକ୍ତିଙ୍କ ବାଇକ୍ ସିଟରେ ସାପ ଥିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବ୍ୟକ୍ତିଙ୍କର ବୁଲେଟର ପଛସିଟରେ ଏହି ସାପଛୁଆଟି ଛପିଥିବା ଦେଖିବାକୁ ମିଳିଥିଲା । ଅନ୍ୟ ଯାତ୍ରୀଙ୍କ କହିବା ପରେ ବ୍ୟକ୍ତିଜଣକ ଗାଡ଼ିକୁ ବଜାରରେ ଅଟକାଇ ସାପଛୁଆଟିକୁ ଗାଡ଼ିରୁ ବାହାର କରିଥିଲେ । ଯାହାର ଏକ ଭିଡ଼ିଓ ବି ସୋସିଆଲ୍ ମିଡିଆରେ ଏବେ ଭାଇରାଲ୍ ହେଉଛି ।

ବ୍ୟକ୍ତିଜଣକ ବାଡ଼ି ଧରି ସାପକୁ ବାହାର କରୁଥିବାର ଏବଂ ସାପଟି ଦ୍ରୁତଗତିରେ ଚାଲିଯାଉଥିବା ଭିଡ଼ିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ଆପଣଙ୍କୁ କହିରଖୁଛୁ ଗତ କିଛି ଦିନ ହେଲା ମାୟାନଗରୀ ମୁମ୍ବାଇରେ ପ୍ରବଳ ମାତ୍ରାରେ ତୁହାକୁ ତୁହା ବର୍ଷା ହେବାରେ ଲାଗିଛି ଆଉ ଏ ସମୟରେ ସାପଙ୍କ ପ୍ରାଦୁର୍ଭାବ ବି ବଢୁଛି । ତେଣୁ ସତର୍କତା ହିଁ ସୁରକ୍ଷା ଦେଇପାରିବ । ଗାଡ଼ିରେ ବସିବା ସମୟରେ , ବୁଟ୍ ପିନ୍ଧିବା ସମୟରେ , ଚଟାଣରେ ଶୋଇବା ସମୟରେ , ଘରର ଡ଼ଷ୍ଟବିନ୍ କୋଣ ଆଦିରେ ସତର୍କତା ଅବଲମ୍ବନ କରନ୍ତୁ , ସୁରକ୍ଷିତ ରୁହନ୍ତୁ ।