କନକ ବ୍ୟୁରୋ : ଦିଲ୍ଲୀର ବାୟୁ ପ୍ରଦୂଷଣ ସମସ୍ୟା ନେଇ ସବୁ ସମୟରେ ଖବର ହୋଇଥାଏ । ହେଲେ ଏବେ ଏହି ସମସ୍ୟାରେ ସାମିଲ ହୋଇଯାଇଛି ଦେଶର ଆଉ ପ୍ରମୁଖ ସହର ମୁମ୍ବାଇ । ବାୟୁ ପ୍ରଦୂଷଣ ଯୋଗୁଁ ମୁମ୍ବାଇର ଲୋକେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି । କାରଣ ମୁମ୍ବାଇ ବାୟୁମଣ୍ଡଳର ଅବସ୍ଥା ଏବେ ଦିଲ୍ଲୀଠୁ ବି ଅଧିକ ସଙ୍ଗୀନ ହୋଇପଡିଛି । ମୁମ୍ବାଇର ବାୟୁ ଗୁଣବତା ଅତ୍ୟନ୍ତ ଖରାପ ରହିଛି । ଯାହା ସାଧାରଣତଃ ରାଜଧାନୀ ଦିଲ୍ଲୀରେ ହୋଇଥାଏ । ଏବେ ମୁମ୍ବାଇରେ ବାୟୁ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇବା ଲୋକଙ୍କ ପାଇଁ ଚିନ୍ତା ବଢାଇ ଦେଇଛି । ବିଶେଷଜ୍ଞଙ୍କ କହିବା କଥା ହେଲା, ଦୃତ ନିର୍ମାଣ, ପାଗ ପରିବର୍ତନରେ ଅନିୟମିତତା, ଯାନବାହାନ ଚଳାଚଳ ବୃଦ୍ଧି, କାଳକାରଖାନାରୁ ନିର୍ଗତ ଧୁଆଁ ଯୋଗୁଁ ମୁମ୍ବାଇର ବାୟୁ ପ୍ରଦୁଷଣ ମାତ୍ରା ବୃଦ୍ଧି ପାଉଛି । ବିବିସିର ରିପୋର୍ଟ ଅନୁଯାୟୀ ମୁମ୍ବାଇରେ ଗୋଟିଏ ସପ୍ତାହ ମଧ୍ୟରେ ବାୟୁ ପ୍ରଦୂଷଣର ସ୍ତର ଦିଲ୍ଲୀର ପ୍ରଦୂଷଣ ସ୍ତରକୁ ପଛରେ ପକାଇ ଦେଇଛି । ଶୁକ୍ରବାର ସକାଳେ ମୁମ୍ବାଇ ବାୟୁର ମାନ ୨ ଦଶମିକ ୫ ପ୍ରତିଶତ ପିଏମ୍ ରହିଥିଲା, ଯାହା ଅତ୍ୟନ୍ତ ଖରାପ ଶ୍ରେଣୀର ବୋଲି କୁହାଯାଉଛି । ଏହା ସାଧାରଣତଃ ଫୁସଫୁସକୁ ଖରାପ କରିବା ସହ ଶ୍ୱାସ-ପ୍ରଶ୍ୱାସ ଜନିତ ରୋଗ ସୃଷ୍ଟି କରିବାର ମୁଖ୍ୟ କାରଣ ସାଜିଥାଏ ।
ସେହିପରି ଦେଶର ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଥମିବାର ନାଁ ନେଉନି । ଲଗାତର ପ୍ରଦୂଷିତ ବାୟୁ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ଚାରିଆଡ ଧୁଆଁମୟ ପରିସ୍ଥିତି ଦେଖାଦେଇଛି । ମାତ୍ରାଧିକ ବାୟୁ ପ୍ରଦୂଷଣ ହେତୁ ଲୋକେ ନିଶ୍ୱାସ-ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି । ଶନିବାର ଦିଲ୍ଲୀରେ ବାୟୁ ଗୁଣବତା ଅତି ଖରାପ ସ୍ଥିତିରେ ରହିଛି । ସକାଳ ୯ଟା ବେଳକୁ ଏୟାର କ୍ୱାଲିଟି ଇଣ୍ଡେକ୍ସ ୩୩୭ ରେକର୍ଡ କରାଯାଇଛି, ଯାହା ଅତି ନିମ୍ନ ଶ୍ରେଣୀର ବୋଲି କୁହାଯାଉଛି । ଏହାକୁ ଦୃଷ୍ଟିରେ ରଖି ଲୋକଙ୍କୁ ମାସ୍କ ପିନ୍ଧିବାକୁ ପରାର୍ମଶ ଦେଇଛନ୍ତି ଡାକ୍ତର । ସେହିପରି ଆବଶ୍ୟକ ନ ହେଲେ ଘରୁ ନ ବାହାରିବା ପାଇଁ କୁହାଯାଇଛି ।
ମୁମ୍ବାଇ ଓ ଦିଲ୍ଲୀ ଭଳି କୋଲକାତା, କାନପୁର ଏବଂ ପାଟନାର ବାୟୁ ପ୍ରଦୂଷଣ ବି ବୃଦ୍ଧି ପାଇବାରେ ଲାଗିଛି । ଦେଶର ପ୍ରମୁଖ ସହର ଗୁଡିକରେ ବାୟୁ ପ୍ରଦୁଷଣ ବୃଦ୍ଧି ପାଇବା ଦିନକୁ ଦିନ ଚିନ୍ତାର ବିଷୟ ପାଲଟିଛି । ଏଥିଯୋଗୁଁ ଲୋକଙ୍କ ଶ୍ୱାସକ୍ରିୟା ଓ ଫୁସଫୁସ୍ ଜନିତ ସମସ୍ୟା ବି ବଢିଚାଲିଛି । ତେବେ ଏବେ ଠାରୁ ଏଥିପ୍ରତି ଦୃଷ୍ଟି ନଦେଲେ ଆଗକୁ ଅବସ୍ଥା ଆହୁରି ସଙ୍ଗୀନ ହୋଇପାରେ ।