ଖୋଲାନାଳରେ ଭାସିଗଲା ୨ ବର୍ଷର ଶିଶୁ: ସିସିଟିଭିରେ କଏଦ ହେଲା ଚିତ୍ର…

151

କନକ ବ୍ୟୁରୋ: ମ୍ୟାନହୋଲରେ ଖସିପଡିଲା ଶିଶୁ । ମ୍ୟାନ ହୋଲରେ ପଡିଯିବା ପରେ ଖୋଲା ନାଳରେ ୨ବର୍ଷର ଶିଶୁଟି ଭାସିଯାଇଛି । ମୁମ୍ବାଇ ଗୋରେଗାଓଁରେ ଘଟିଛି ଏହି ଅଭାବନୀୟ ଘଟଣା । ଯାହାର ଚିତ୍ର ସିସିଟିଭିରେ କଏଦ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା । ଘରୁ ବାହାରକୁ ଆସିଥିବା ସମୟରେ ଖୋଲା ନାଳରେ ଖସିପଡ଼ିଥିଲା ଶିଶୁପୁତ୍ର । ୨ବର୍ଷ ଶିଶୁର ନାଁ ହେଉଛି ଦିବ୍ୟାଂଶୁ । ଘଟଣା ସ୍ଥଳରେ ପୋଲିସ, ବିଏମସି ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ହେଲେ ଏପର୍ଯ୍ୟନ୍ତ ୨ ବର୍ଷ ଶିଶୁ କୌଣସି ସନ୍ଧାନ ମିଳିପାରି ନାହିଁ ।

ପିଲାଟି ନାଳରେ ପଡ଼ିଯିବାର ପୁରା ଘଟଣା ସିସିଟିଭିରେ କଏଦ ହୋଇଛି । ଯାହା ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଶିଶୁଟି ଖେଳୁଥିବା ସମୟରେ ଘର ବାହାର ରାସ୍ତାକୁ ଆସିଥିବା ଦେଖିବାକୁ ମିଳିଛି । ହେଲେ ସେଠାରୁ ଘରକୁ ଫେରିବା ସମୟରେ ଶିଶୁଟିର ପାଦ ଖସି ଯାଇଥିଲା । ପାଖରେ ଥିବା ଖୋଲା ନାଳରେ ୨ବର୍ଷର ଶିଶୁ ଖସି ପଡ଼ିଥିଲା ।

ନାଳରେ ପାଣିର ସ୍ରୋତ ପ୍ରଖର ଥିବାରୁ ତତକ୍ଷଣାତ ଭାସି ଯାଇଥିଲା ଶିଶୁ । ଘଟଣା ସ୍ଥଳରେ କେହି ଉପସ୍ଥିତ ନଥିବାରୁ ଶିଶୁକୁ ସେହି ନାଳରୁ ଉଦ୍ଧାର ହୋଇପାରିନଥିଲେ । ଘଟଣା ଘଟିଯିବାର ୨୦ ରୁ ୩୦ ସେକେଣ୍ଡ ପରେ ଦିବ୍ୟାଂଶୁଙ୍କ ମା ପିଲାକୁ ଖୋଜିଥିଲେ । ହେଲେ ପୁଅର କୌଣସି ସନ୍ଧାନ ପାଇ ନଥିଲେ । ପରେ ନିକଟରେ ଥିବା ମସଜିଦର ସିସିଟିଭି ଫୁଟେଜ ଦେଖିବା ପରେ ଘଟଣା ସଂପର୍କରେ ଜାଣିପାରିଥିଲେ ପରିବାର ଲୋକ ।