ଅସୁସ୍ଥ ମାଲକାନଗିରି ମଲ୍ଟି ସ୍ପେଶାଲିଷ୍ଟ ହସ୍ପିଟାଲ୍ ! ୭ ମହଲା କୋଠାରେ ଅଚଳ ଲିଫ୍ଟ, ବେଡ ନଥିବାରୁ ତଳେ ଚାଲିଛି ଚିକିତ୍ସା ।

91

କନକ ବ୍ୟୁରୋ : ବାହାରେ ଚକାଚକ୍, ଭିତରେ ଫମ୍ପା । ଆମେ କହୁଛୁ, ମାଲକାନଗିରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାର କଥା । ଗତ ଜୁଲାଇ ମାସରେ ମୁଖ୍ୟମନ୍ତ୍ରୀ ମାଲକାନଗିରି ଜିଲ୍ଲା ସଦର ମହକୁମା ଠାରେ ଏକ ସାତ ମହଲା ବିଶିଷ୍ଟ ଡାକ୍ତରଖାନାକୁ ଉଦଘାଟନ କରିଥିଲେ ହେଁ ଡାକ୍ତରଖାନାରେ ରୋଗୀ ସେବା କଥା ନ କହିବା ଭଲ । ଲିଫ୍ଟ ଅଚଳ, ବେଡ୍ ଅଭାବ, ପାନୀୟ ଜଳ ସଙ୍କଟ, ଆ.ଇ.ସିୟୁ ଖରାପ, ଡାକ୍ତର ମରୁଡି ପରି ସମସ୍ୟାର ଲମ୍ବା ତାଲିକା ରହିଛି ମାଲକାନଗିରି ମଲ୍ଟି ସ୍ପେଶାଲିଟି ହସ୍ପିଟାଲରେ ।

ଅସୁସ୍ଥ ମାଲକାନଗିରି ଡାକ୍ତରଖାନା । ସୁଉଚ୍ଚ ସାତ ମହଲା କୋଠାଟି ହେଉଛି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ବାହାରକୁ ଚକ୍ଚକ୍ ଦେଖା ଯାଉଥିବା ଏହି ଡାକ୍ତରଖାନା ଭିତର କଥା ଜାଣିଲେ ଆପଣ ଆଶ୍ଚଯ୍ୟ ହୋଇଯିବେ । ସତେ ଯେମିତି ଅସୁସ୍ଥ ହୋଇ ପଡିଛି ପୁରା ଡାକ୍ତରଖାନା । ଏଠାରେ ରୋଗୀ ଓ ରୋଗୀ ସଂପର୍କୀୟଙ୍କ ଚଳପ୍ରଚଳ ପାଇଁ ୬ଟି ଲିଫ୍ଟର ଅଛି, ହେଲେ ଗୋଟିଏ କାମ କରୁଛି । ସେ ପୁଣି ଅନେକ ସମୟରେ ଅଚଳ । ତେଣୁ ସିଡିରେ ଯା’ଆସ କରୁଛନ୍ତି ରୋଗୀ । ଖାଲି ଏତିକି ନୁହେଁ ଏହି ମଲ୍ଟି ସ୍ପେଶାଲିଟି ଡାକ୍ତରଖାନାରେ ୬୭ ଜଣ ଡାକ୍ତରଙ୍କ ଆବଶ୍ୟକତା ଥିବା ବେଳେ ଅଛନ୍ତି ମାତ୍ର ୨୮ ଜଣ ଡାକ୍ତର । ଏପରି ସ୍ଥଳେ ଡାକ୍ତରଖାନା ୱାର୍ଡରେ ଡାକ୍ତରଙ୍କୁ ଖୋଜି ପାଇବା କଷ୍ଟକର ।

ସମସ୍ୟା ଘେରରେ ମାଓ ଉପଦ୍ରୁତ ମାଲକାନଗିରି ଜିଲ୍ଲାର ୩ଶହ ଶଯ୍ୟା ବିଶିଷ୍ଟ ଡାକ୍ତରଖାନାରେ ଏବେ ସୁଦ୍ଧା ଅଛି ମାତ୍ର ୧୨୫ଟି ବେଡ୍ । ଦିନକୁ ୨୫୦ରୁ ୩୦୦ ରୋଗୀ ଆସୁଥିବାରୁ ବେଡ୍ ନପାଇ ତଳେ ଶୋଇ ଚିକିତ୍ସିତ ହେଉଛନ୍ତି । ପାନୀୟ ଜଳର ଘୋର ଅଭାବ । ପିଇବା ପାଣି ପାଇଁ ରୋଗୀ ଓ ରୋଗୀଙ୍କ ସଂପର୍କୀୟ ଡାକ୍ତରଖାନା ବାହାରକୁ ଯାଉଥିବା ଅଭିଯୋଗ ହୋଇଛି ।

ଲିଫ୍ଟ, ପାନୀୟ ଜଳ ଓ ବେଡ୍ ସହ ଅନ୍ୟାନ୍ୟ ସମସ୍ୟାରେ ଘାଂଟି ହେଉଛି ମାଲକାନଗିରି ମଲ୍ଟି ସ୍ପେଶାଲିଟି ହସ୍ପିଟାଲ । ୯ ମାସ ହେବ ଡାକ୍ତରଖାନା ସ୍ଥାନାନ୍ତର ହୋଇଥିଲେ ସୁଦ୍ଧା ଏଯାଏଁ ଆଇ.ସି.ୟୁ ସ୍ଥାନାନ୍ତରିତ ହୋଇନାହିଁ । ମାସେ ହେବ ପୁରୁଣା ଆଇ.ସି.ୟୁ ଅଚଳ ହୋଇପଡିଛି । ମାଲକାନଗିରି ନୂଆ ଡାକ୍ତରଖାନାରେ ଆଜି ଯାଏଁ ଫାୟାର ସେଫଟି କାମ ସରି ନାହିଁ । ପର୍ଯ୍ୟାପ୍ତ ପରିମାଣର ସ୍ଟେଚର ଓ ହ୍ୱିଲ୍ ଚେୟାର ନାହିଁ । ସଫେଇ କର୍ମଚାରୀ ଓ ସିକ୍ୟୁରିଟି ଗାର୍ଡଙ୍କ ଅଭାବ ଯୋଗୁଁ ସ୍ୱଚ୍ଛତା କଥା ନ କହିବା ଭଲ । ନବଜାତକଙ୍କ ପାଇଁ ଡାଇପର ଅଭାବ । ୬ ମାସ ହେବ ହୋଇପାରୁନି ସୋଡିୟମ, ପୋଟାସିୟମ ପରି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା । ଷ୍ଟାଫ ନର୍ସ ଓ ଫାର୍ମାସିଷ୍ଟଙ୍କର ଘୋର ଅଭାବ ରହିଛି ପୁରା ମାଲକାନଗିରି ଜିଲ୍ଲାରେ । ଏମିତି ଅନେକ ଅସୁବିଧା ଭିତରେ ଡାକ୍ତରଖାନା ଚାଲିଥିବା ବେଳେ ରୋଗୀଙ୍କ ଚିକିତ୍ସା ନେଇ ଏବେ ଉଠିଛି ପ୍ରଶ୍ନ ।