ଏୟାରଷ୍ଟ୍ରାଇକ୍ କରି କାବୁଲରେ ଆତଙ୍କବାଦୀ ଆକ୍ରମଣକୁ ପଣ୍ଡ କଲା ଆମେରିକା : ଡ୍ରୋନରେ ପାଲଟା ଆକ୍ରମଣ କରିଛି ଆମେରିକା

152

କନକ ବ୍ୟୁରୋ : ଯେଉଁ ଖବରକୁ ନେଇ ସାରାବିଶ୍ୱରେ ଚର୍ଚ୍ଚା ଜାରି ରହିଛି । ଏୟାରଷ୍ଟ୍ରାଇକ୍ କରି କାବୁଲରେ ଆତଙ୍କବାଦୀ ଆକ୍ରମଣକୁ ପଣ୍ଡ କରିଛି ଆମେରିକା । କାବୁଲ ବିମାନବନ୍ଦର ନିକଟରେ ଥିବା ଏକ ଜନବସତି ଦେଇ ଆତ୍ମଘାତି ଆକ୍ରମଣ ପାଇଁ ବିସ୍ଫୋରକ ଭର୍ତ୍ତି କାର ନେଇ ବିମାନବନ୍ଦର ଅଭିମୁଖେ ଆଇଏସ ଆତଙ୍କବାଦୀ ଯାଉଥିବାବେଳେ ଡ୍ରୋନରେ ଆକ୍ରମଣ କରିଛି ଆମେରିକା । ଆମେରିକାର ଶକ୍ତିଶାଳୀ ଆକ୍ରମଣରେ ଆତଙ୍କବାଦୀ ସମେତ ବିସ୍ଫୋରକ ବୋଝେଇ ଗାଡିଟି ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି । ଗାଡିରେ ବିସ୍ଫୋରକ ଥିବାରୁ କିଛି ସମୟ ପରେ ଆଉ ଏକ ବିସ୍ଫୋରଣ ହୋଇଥିବା ଜଣାପଡିଛି ।

ଆତଙ୍କବାଦୀ ବିସ୍ଫୋରକ ନେଇ ବଡ ଧରଣର ଅଘଟଣ ଘଟାଇବା ପାଇଁ ଯାଉଥିଲା । କିନ୍ତୁ ପୂର୍ବରୁ ସତର୍କ ଥିବା ଆମେରିକା ଗୁଇନ୍ଦା ସୂତ୍ରରୁ ଖବର ପାଇ ଟାର୍ଗେଟ କରିଥିଲା । ଆଉ ଟାର୍ଗେଟ ସଫଳ ହୋଇଛି । ଆମେରିକା ଆକ୍ରମଣ କରିବା ପରେ ସମଗ୍ର ଅଂଚଳ ଧୂଆଁ ମୟ ହୋଇଯାଇଥିଲା । କଳା ଧୂଆଁରେ ଭର୍ତ୍ତି ହୋଇଯାଇଥିଲା କାବୁଲ ଆକାଶ । ବିସ୍ଫୋରଣ ପରେ ଲୋକମାନେ ଆତଙ୍କିତ ହୋଇପଡିଥିଲେ । ଏଣେତେଣେ ଦଉଡିବାରେ ଲାଗିଥିଲେ । ତେବେ ବଡ ଧରଣର ଅଘଟଣକୁ ଏଡାଇ ଦିଆଯାଇଛି ବୋଲି ଆମେରିକା ପକ୍ଷରୁ କୁହାଯାଇଛି ।

ଏହି ଆକ୍ରାମଣରେ ଜଣେ ଶିଶୁ ସମେତ ୨ ଜଣଙ୍କ ମୃତ୍ୟୁ ହୋଇଛି ଓ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଏହା ପୂର୍ବରୁ କାବୁଲ ବିମାନବନ୍ଦର ନିକଟରେ ଗୁରୁବାର ସିରିଜ୍ ବିସ୍ଫୋରଣ ହୋଇଥିଲା । ଏଥିରେ ୧୬୯ ଆଫଗାନ ନାଗରିକଙ୍କ ସମେତ ୧୩ ଆମେରିକୀୟ ସୈନ୍ୟଙ୍କର ଜୀବନ ଯାଇଥିଲା । ବହୁ ସଂଖ୍ୟାରେ ଲୋକ ଆହତ ହୋଇଥିଲେ । ଏହି ବିସ୍ଫୋରଣ ପାଇଁ ଆତଙ୍କବାଦୀ ସଂଗଠନ ଆଇଏସ-ଖୋରାସନ ନିଜକୁ ଦାୟୀ କରିଥିଲା । ଆଇଏସ-ଖୋରାସାନର ଜିହାଦି ନିଜ ଦେହରେ ବମ୍ ବାନ୍ଧି ଆତ୍ମଘାତି ବିସ୍ଫୋରଣ ଘଟାଇଥିଲା ।

ଦିନକ ପରେ ଆମେରିକା ଆଇଏସଏସ ଆତଙ୍କବାଦୀ ଆଡା ଉପରେ ଏୟାରଷ୍ଟ୍ରାଇକ୍ କରିଥିଲା । ଆମେରିକାର ଆକ୍ରମଣ ଆଇଏସ ସଂଗଠନର କିଛି ଆତଙ୍କବାଦୀ ନିହତ ହୋଇଥିବା ନେଇ ଆମେରିକା ପକ୍ଷରୁ ସୂଚନା ଦିଆଯାଇଥିଲା । ଏପରିକି ଯେଉଁଠି ଲୁଚିଲେ ବି ଆଇଏସ ସଂଗଠନର ଆତଙ୍କବାଦୀଙ୍କୁ ଖୋଜି ଖୋଜି ମାରିବେ ବୋଲି ରାଷ୍ଟ୍ରପତି ବାଇଡେନ୍ ଚେତାବନୀ ଦେଇଥିଲେ । ଏଥିସହ ଆମେରିକାର ପାଲଟା ଆକ୍ରମଣ ପରେ ଆତଙ୍କବାଦୀମାନେ ୨୪ରୁ ୩୬ ଘଂଟା ମଧ୍ୟରେ ପୁଣି ଆକ୍ରମଣ କରି ପାରନ୍ତି ବୋଲି ଆଶଙ୍କା ପ୍ରକାଶ କରିଥିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଆଉ ଆଶଙ୍କା ସତ ହେବା ପୂର୍ବରୁ ଆତଙ୍କବାଦୀଙ୍କୁ ଟାର୍ଗେଟ କରି ନିପାତ କରିଛି ଆମେରିକା ।