ସେବା ପାଇଁ ଶରୀର ଦାନ କରିଛନ୍ତି ଏକାଧିକ ବାମ ନେତା । ରାଜନୈତିକ ଜୀବନରେ ସଫଳତା ପାଇନଥିଲେ ମଧ୍ୟ ମାନବବାଦ ପାଇଁ ଉତ୍ସର୍ଗ କରିଛନ୍ତି ମୃତଦେହ ।

ମଡିକାଲ ପଢୁଥିବା ଛାତ୍ରଛାତ୍ରୀଙ୍କ କାମରେ ଆସୁଛି ମରଶରୀର

161

କନକ ବ୍ୟୁରୋ: ରାଜନୀତିରେ ଯେତିକି ସଫଳ ହେବା କଥା ସେତିକି ହେଇ ନଥିଲେ ମଧ୍ୟ ଶରୀର ଦାନ ଭଳି ମହତ କାମ କରି ଚର୍ଚ୍ଚାକୁ ଆସିଛନ୍ତି ରାଜ୍ୟର କମ୍ୟୁନିଷ୍ଟ ନେତା । ମଙ୍ଗଳବାର ପୂର୍ବତନ ସାଂସଦ ଶିବାଜୀ ପଟ୍ଟନାୟକଙ୍କ ମରଶରୀରକୁ ଭୁବନେଶ୍ୱର ଏମ୍ସକୁ ତାଙ୍କ ପରିବାର ଲୋକ ଦାନ କରିବା ପରେ ଏହି ସାମ୍ୟବାଦୀ ନେତାମାନଙ୍କର ଶରୀର ଦାନ ଅଭିଯାନ ଲୋକ ଲୋଚନକୁ ଆସିଛି । ଅନେକ ବାମପନ୍ଥୀ ନେତା ଓ ତାଙ୍କ ସମ୍ପର୍କୀୟ ଡାକ୍ତରୀ ଛାତ୍ରଙ୍କ ଶିକ୍ଷାଦାନ ପାଇଁ ନିଜ ଶରୀର ଦାନ କରିଛନ୍ତି ।

କମ୍ରେଡ ବସନ୍ତ ନନ୍ଦ । ସାମ୍ୟବାଦ ଆନ୍ଦୋଳନର ଏହି ନେତା ଦୁଇ ଡିସେମ୍ବର ୨୦୨୧ରେ ମୃତ୍ୟୁ ବରଣ କରିଥିଲେ । ଆଉ ଏବେ ତାଙ୍କ ମୃତ ଶରୀରକୁ ନେଇ ଡାକ୍ତରୀ ପାଠ ପଢୁଛନ୍ତି ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ପ୍ରଥମ ବର୍ଷର ଛାତ୍ରଛାତ୍ରୀ । ହିନ୍ଦୁ ରୀତିନୀତି ଅନୁସାରେ ମୃତ୍ୟୁ ପରେ ମଣିଷର ଶରୀରକୁ ଦାହ କରାଯାଉଥିବା ବେଳେ ବାମପନ୍ଥୀ ଏହି ନେତା ମାନେ ମୃତ ଶରୀରକୁ ଶିକ୍ଷାଦାନ ପାଇଁ ଉତ୍ସର୍ଗ କରି ଉଦାହରଣ ସୃଷ୍ଟି କରିଛନ୍ତି ।

ଭୁବନେଶ୍ୱରର ପୂର୍ବତନ ସାଂସଦ ଶିବାଜୀ ପଟ୍ଟନାୟକଙ୍କ ମୃତ ଶରୀର ମଙ୍ଗଳବାର ଭୁବନେଶ୍ୱର ଏମ୍ସକୁ ଦାନ କରିଥିଲେ ତାଙ୍କ ପରିବାର ଲୋକେ । ଏହାପରେ ଏହି କମ୍ୟୁନିଷ୍ଟ ନେତାମାନଙ୍କର ଉଦାରତା ଲୋକଲୋଚନକୁ ଆସିଛି । କେବଳ ଏହି ଦୁଇ ଜଣ ନେତା ନୁହନ୍ତି, ବରଂ ସିପିଆଇଏମ ନେତା ରାମଚନ୍ଦ୍ର ନାୟକ, ଲକ୍ଷ୍ମୀ ସାହୁ, ନିକୁଞ୍ଜ ବସନ୍ତ ରାୟ, ବନମାଳୀ ଧୂପାଳ ଓ ବରିଷ୍ଠ ନେତା ଅଳି ପଟ୍ଟନାୟକଙ୍କ ପତ୍ନୀ କୁସୁମ ଦାସଙ୍କ ମରଶରୀର ମଧ୍ୟ ଅନ୍ତିମ ସଂସ୍କାର ପୂର୍ବରୁ ରାଜ୍ୟର ବିଭିନ୍ନ ଡାକ୍ତରଖାନାକୁ ଦାନ କରାଯାଇଛି । ଡାକ୍ତରଙ୍କ କହିବା କଥା ପ୍ରଥମ ବର୍ଷର ଡାକ୍ତରୀ ଛାତ୍ରମାନେ ପ୍ରାରମ୍ଭିକ ଶିକ୍ଷା ଭାବେ ମଣିଷ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ବାବଦରେ ଜ୍ଞାନ ଆହରଣ କରିବା ଅତ୍ୟନ୍ତ ଜରୁରୀ । ତେଣୁ ଶିକ୍ଷାଦାନ ପାଇଁ ମରଶରୀର ଏକାନ୍ତ ଆବଶ୍ୟକ ।

ରାଜ୍ୟରେ ଏହି ବାମପନ୍ଥୀ ନେତା ମାନେ ହୁଏତ ରାଜନୀତିରେ ସେତିକି ସଫଳତା ପାଇ ନାହାନ୍ତି । ହେଲେ ଅଭିଯାନ ଜରିଆରେ ଶରୀର ଦାନ କରି ଡାକ୍ତରୀ ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ଏମାନେ ଚିର ଅମର ହୋଇ ରହିବେ ।