ଆଫଗାନିସ୍ତାନରେ ଗଠନ ହେଉଛି ନୂଆ ସରକାର : ତାଲିବାନ ଶାସନର ମୁଖ୍ୟ ରହିବେ ମୁଲ୍ଲା ବରାଦର

ହେଲେ ସର୍ବୋଚ୍ଚ ଶାସନ ଓ ଧାର୍ମିକ କ୍ଷମତା ଅଖୁନ୍ଦଜାଦାଙ୍କ ହାତରେ

170

କନକ ବ୍ୟୁରୋ : ଆଜି ନୂଆ ସରକାର ଗଠନ କରିବ ତାଲିବାନ । ନୂଆ ସରକାର ଗଠନ ନେଇ ଆନୁଷ୍ଠାନିକ ଭାବେ ଘୋଷଣା ହେବ । ହେଲେ କ୍ଷମତା ବଂଟନ ନେଇ ତାଲିବାନ ଭିତରେ କିଛିଟା ବିଭେଦ ଥିବା କଥା ସାମ୍ନାକୁ ଆସୁଛି । ସର୍ବୋଚ୍ଚ ନେତା ମୁଲ୍ଲା ଅଖୁନ୍ଦଜାଦାଙ୍କ ହାତରେ ସମସ୍ତ ସରକାରୀ ଓ ଧାର୍ମିକ କ୍ଷମତା ରହିବା ନେଇ ପୂର୍ବରୁ କୁହାଯାଉଥିଲା । ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀ ତାଙ୍କ ଅଧିନରେ ରହିବେ । ଇରାନ୍ ମଡେଲ୍ ଆଧାରରେ ତାଲିବାନର ନୂଆ ଶାସନ ବ୍ୟବସ୍ଥାର ରୂପରେଖ ପ୍ରସ୍ତୁତ କରାଯାଇଛି । ହେଲେ ତାଲିବାନର ଅନ୍ୟ ଏକ ସୂତ୍ରରୁ ଜଣାପଡ଼ୁଛି ମୁଲ୍ଲା ବରାଦର ସରକାର ମୁଖ୍ୟ ହେବାର ସମ୍ଭାବନା ରହିଛି ।

ମୁଲ୍ଲା ୟାକୁବ ଓ ସେର ମହମ୍ମଦ ଷ୍ଟାଙ୍କେଯାଇ ନୂଆ ସରକାରରେ ମହିଳାଙ୍କ ଭୂମିକା ମଧ୍ୟ ରହିବ । ତାଲିବାନ ପକ୍ଷରୁ ପ୍ରତ୍ୟେକ ପ୍ରଦେଶର ଗଭର୍ଣ୍ଣର, ପୋଲିସ ମୁଖ୍ୟ ଓ ଜିଲ୍ଲାର ପୋଲିସ କମାଣ୍ଡଙ୍କୁ ନିଯୁକ୍ତି ଦିଆସରିଛି । ସରକାର ଗଠନ ପରେ ଆଗକୁ ତାଲିବାନ ପାଇଁ ବଡ ଚ୍ୟାଲେଂଜ ରହିଛି । ଏବେ ଦେଶରେ ଆର୍ଥିକ ସ୍ଥିତି ସଂପୂର୍ଣ୍ଣ ଭୁଶୁଡି ପଡ଼ିଛି । ଆଫଗାନିସ୍ତାନରେ ଗଚ୍ଛିତ ଥିବା ଖାଦ୍ୟ ଚଳିତ ମାସରେ ଶେଷ ହୋଇଯାଇପାରେ । ନୂଆ ତାଲିବାନ ଶାସକଙ୍କ ପାଇଁ କ୍ଷୁଧା ସଂକଟ ଦୂର କରିବା ପ୍ରଥମ ଚ୍ୟାଲେଂଜ ହେବ । ଦେଶରେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବଢ଼ିବା ଆରମ୍ଭ କଲାଣି । ଖାଦ୍ୟ ଓ ଇନ୍ଧନର ମୂଲ୍ୟ ବୃଦ୍ଧି ସହ ଦେଶରେ ଏସବୁ ଉପଲବ୍ଧ ହେବା ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି । ଲମ୍ବା ଲମ୍ବା ଧାଡ଼ିରେ ଲୋକେ ଦୋକାନ ଆଗରେ ଘଂଟା ଘଂଟା ଧରି ଅପେକ୍ଷା କରୁଥିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି ।

ଦେଶ ଚଳାଇବାକୁ ଆବଶ୍ୟକ ଅର୍ଥ ତାଲିବାନ କେମିତି ଯୋଗାଡ଼ କରିବ, ସେନେଇ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇପାରିନି । ଆଫଗାନିସ୍ତାନ ବ୍ୟାଙ୍କ ଓ ଅନ୍ୟ କେତେକ ଆର୍ଥିକ ସଂସ୍ଥାରେ ଅର୍ଥ ଉପରେ ଆମେରିକା ସରକାର କେତେକ କଟକଣା ଲଗାଇ ସାରିଛନ୍ତି । ଏହାସହ ଆଇଏମଏଫ ପରି ସଂସ୍ଥା ଆଫଗାନିସ୍ତାନକୁ ସହାୟତା କରିବା ପ୍ରସଙ୍ଗରେ ଏଯାଏଁ କିଛି କହୁନାହାନ୍ତି । ଆଫଗାନିସ୍ତାନରେ ଅଧିକାଂଶ ଲୋକଙ୍କ ଆର୍ଥିକ ଅବସ୍ଥା ଏତେ ସ୍ୱଚ୍ଛଳ ନୁହେଁ, ତେଣୁ ଆଗକୁ ଏହି ଅବସ୍ଥା ସୁଧୁରିବ ନା ଆହୁରି ଖରାପ ହେବ, ତାରି ଉପରେ ନଜର ରହିବ । ସେପଟେ ଆନ୍ତର୍ଜାତୀୟ ବିମାନ ବନ୍ଦର ୪୮ ଘଂଟା ମଧ୍ୟରେ କାର୍ଯ୍ୟକ୍ଷମ ହେବ । ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିବା ବିମାନ ବନ୍ଦରକୁ ମରାମତି ପାଇଁ ୨୫ରୁ ୩୦ ନିୟୁତ ଡଲାର ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି ।