କନକ ବ୍ୟୁରୋ: ପୁଅ ପାଇଁ ପ୍ରଚାର କଲେ ବାପା । ଅଖିଳେଶଙ୍କ ପାଇଁ ମୈଦାନକୁ ଓହ୍ଲାଇଲେ ମୁଲାୟାମ୍ । ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଏବେ ପ୍ରତିଟି ଦଳ ପାଇଁ କର ବା ମର ହୋଇଯାଇଛି । ସମାଜବାଦୀ ପାର୍ଟି ସେଠାରେ ପୁଣିଥରେ ସରକାର ଗଢିବାକୁ ରଣନୀତି ପ୍ରସ୍ତୁତ କରୁଥିବାବେଳେ, ବିଜେପି ସରକାର ବଞ୍ଚେଇ ରଖିବାକୁ ଜୋରଦାର ପ୍ରୟାସ ଜାରି ରଖିଛି । ଏହାରି ଭିତରେ ଆଜି ପୁଅ ଅଖିଳେଶ ଯାଦବ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ବାପା ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟାମ୍ ସିଂହ ଯାଦବ ।
ପୁଅ ପାଇଁ ପ୍ରଚାର କରି ମୁଲାୟାମ ସିଂହ କହିଛନ୍ତି, ଆଜି ସମସ୍ତଙ୍କ ପାଖକୁ ଆସି ମୋତେ ବହୁତ ଖୁସି ଲାଗୁଛି । ସବୁଠି ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳୁଛି । ଜନତା ଚାହୁଁଛନ୍ତି ଯେ, ସମାଜବାଦୀ ପାର୍ଟିର ସରକାର ଗଠନ ହେଉ । ସମାଜବାଦୀ ପାର୍ଟିର ସରକାର ଗଠନ ହେଲେ ରୋଜଗାର, ଚାକିରି ମିଳିବ । ସମାଜବାଦୀ ପାର୍ଟି ଯାହା କରେ, ତାହା କରିକି ଦେଖାଏ ବୋଲି ମୁଲାୟାମ କହିଛନ୍ତି ।
ଖାଲି ସେତିକି ନୁହେଁ, ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶର ଜନତାଙ୍କ ଭିତରେ ଚିନ୍ତା ରହିଛି । ହେଲେ ମୁଁ ଆପଣଙ୍କୁ ବିଶ୍ୱାସ ଦେଉଛି ଯେ, ସମାଜବାଦୀ ପାର୍ଟି ଯାହା କହିଛି, ତାହା ପୂରା କରିବ । ସମାଜବାଦୀ ପାର୍ଟିର ସରକାର ତିଆରି ହେଲେ, ଚାଷୀଙ୍କୁ ତାଙ୍କ ଫସଲ ବିକ୍ରି କରିବାକୁ ସବୁ ସହାୟତା ଦିଆଯିବ । ବ୍ୟବସାୟୀଙ୍କୁ ମଧ୍ୟ କିପରି ଲାଭ ହେବ ସେନେଇ ସରକାର ପ୍ରସ୍ତୁତ ରହିବେ । ତେବେ ଦୀର୍ଘ ଦିନ ପରେ ପୁଅ ଅଖିଳେଶଙ୍କ ପାଇଁ ବାପା ମୁଲାୟାମଙ୍କ ପ୍ରଚାରକୁ ନେଇ ଏବେ ଚର୍ଚ୍ଚା ବଢିଛି ।
ଅନ୍ୟପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଆଜି ଉତ୍ତରପ୍ରଦେଶର କରହଲରେ ପ୍ରଚାର ଅଭିଯାନ ଚଳାଇଛନ୍ତି । ସମାଜବାଦୀ ପାର୍ଟି ଉପରେ ଟାର୍ଗେଟ କରି, ସେ ଅଖିଳେଶଙ୍କ ଉପରେ ବର୍ଷିଛନ୍ତି । କରହାଲବାସୀ କମଲ ଅଥବା ପଦ୍ମ ଫୁଲ ଫୁଟାଇଦେଲେ, ସାରା ୟୁପିରେ ସପା ସଫା ହୋଇଯିବ ବୋଲି ଅମିତ ଶାହା କହିଛନ୍ତି ।
Follow Us