କରୋନା ପାଇଁ ବାହାଘର ବନ୍ଦ… କୁଟୀରଶିଳ୍ପରେ ପଡିଛି ତାଲା । ରୋଜଗାର ହରାଇ ବସିଛନ୍ତି ବାହା ମୁକୁଟ ଏବଂ ଅନ୍ୟାନ୍ୟ ସାମଗ୍ରୀ ତିଆରି କରୁଥିବା ଛୋଟ ବ୍ୟବସାୟୀ

153

କନକ ବ୍ୟୁରୋ: ତାଲାବନ୍ଦ ଯୋଗୁଁ ସମ୍ବଲପୁରରେ ଏବେ ବନ୍ଧାପଡିଛି କୁଟୀର ଶିଳ୍ପ । ବେପାର ନାହିଁ , କାରିଗରର ହାତ ବି ଚାଲୁନି । ଫଳରେ ବାହା ମୁକୁଟ ଶିଳ୍ପ ସହିତ ଜଡିତ କାରିଗର ଓ ବେପାରୀ ମୁଣ୍ଡରେ ହାତ ଦେଇବସିଛନ୍ତି । କାରଣ ତାଲାବନ୍ଦ ବେଳେ ଏବେ ଘରେ ଚୁଲି ଜଳିବା ବି କଷ୍ଟକର ହୋଇଗଲାଣି ।

ରାଜ୍ୟରେ ତାଲାବନ୍ଦ ପାଇଁ ଏବେ ସବୁ କ୍ଷେତ୍ରରେ ଦେଖାଦେଇଛି ମାନ୍ଦାବସ୍ଥା । ଆଉ ଏହାର ଅଧିକ ଶିକାର ହୋଇଛନ୍ତି ଛୋଟ ଛୋଟ ବ୍ୟବସାୟୀ । ବିଶେଷ କରି ଋତୁକାଳୀନ ବ୍ୟବସାୟ କରୁଥିବା ବ୍ୟବସାୟଙ୍କ ପେଟକୁ ତ ବଡ ଲାତ ମାରିଛି ତାଲାବନ୍ଦ । ସଂବଲପୁରରେ ବାହା ମୁକୁଟ ବ୍ୟବସାୟ ସହିତ ଜଡିତ କାରିଗର ଓ ବ୍ୟବସାୟୀ ମୁଣ୍ଡରେ ହାତ ଦେଇବସିଛନ୍ତି । ବାହାଘର ହେଲେ ମୁକୁଟ ବିକ୍ରି ହୁଏ, ନହେଲେ ନାହିଁ । ଏଥର କରୋନା ପାଇଁ କଟକଣା କାରଣରୁ ଅଧିକାଂଶ ବାହାଘର ବନ୍ଦ । ଦିନକୁ ହଜାରେ ୧୫ ଶହ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କ ହାତ ବାନ୍ଧି ହୋଇଯାଇଛି । ଦିନକୁ ଶହେ ଟଙ୍କା ବେପାର ହେଉନଥିବାରୁ ଦୋକାନ ଭଡା ଦେବା କଷ୍ଟକର ହୋଇଗଲାଣି ବୋଲି କହିଛନ୍ତି ବ୍ୟବସାୟୀ ।

କରୋନା ପାଇଁ ମାର୍ଚ୍ଚ ମାସରୁ ବାହାଘର ଉପରେ ଲାଗିଲାଣି କଟକଣା । ଫଳରେ ଦୋକାନରେ ବେପାର ପାଇଁ ରହିଥିବା ମୁକୁଟ ଗୁଡିକ ପଡି ରହି ଖରାପ ହେବାକୁ ଲାଗିଲାଣି । କେଉଁଠିରୁ ସୂତା ଉଠିଯାଉଛି, ତ କାହାର ଜରି ଓ ଅଠା ଛାଡିଯାଉଛି । ଏପରି ସ୍ଥିତି ଆଗକୁ କେତେଦିନ ଜାରି ରହିବ ବି କହିବା ମୁସ୍କିଲ । ଏମିତିରେ କେମିତି ପରିବାର ଚଳାଇବେ ଓ ବ୍ୟବସାୟ ବଂଚାଇ ରଖିବେ ତାକୁ ନେଇ ଚିନ୍ତାରେ ପଡିଛନ୍ତି ସମ୍ବଲପୁରର ମୁକୁଟ ବ୍ୟବସାୟୀ ।