ପଶ୍ଚିମବଙ୍ଗରେ ରୋଚକ ହେଉଛି ରାଜନୀତି । ମୋଦୀଙ୍କ ହାତ ଛାଡ଼ି ମମତାଙ୍କ ଶିବିରକୁ ପୁଣି ଫେରିଲେ ବରିଷ୍ଠ ନେତା ମୁକୁଲ ରୟ, ସ୍ୱାଗତ ଜଣାଇଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

346

କନକ ବ୍ୟୁରୋ : ପଶ୍ଚିମବଙ୍ଗ ନିର୍ବାଚନ ପରେ ରାଜ୍ୟ ରାଜନୀତିରେ ଏକ ବିରାଟ ପରିବର୍ତନ ହେବା ନେଇ ଯାହା ଚର୍ଚ୍ଚା ହେଉଥିଲା ତାହା ସତ ହୋଇଛି । ବିଜେପି ଦଳ ଛାଡିଛନ୍ତି ବରିଷ୍ଠ ନେତା ମୁକୁଲ ରୟ । ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଦଳକୁ ଫେରିଛନ୍ତି ମୁକୁଲ ଓ ତାଙ୍କ ପୁଅ । କୁହାଯାଉଛି ପଶ୍ଚିମବଙ୍ଗ ବିଜେପିରେ ଶୁଭେନ୍ଦୁ ଅଧିକାରୀ ମିଶିବା ପରେ ଦଳ ମୁକୁଲଙ୍କୁ ଗୁରୁତ୍ୱ ଦେଉନଥିଲା । ଏଥିପାଇଁ ସେ ଅସନ୍ତୁଷ୍ଟ ଥିଲେ ଓ ପୁରୁଣା ଦଳକୁ ଫେରିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା ।

ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନରେ ପରାଜୟ ପରେ ପଶ୍ଚିମବଙ୍ଗ ବିଜେପିକୁ ଶକ୍ତ ଝଟକା ଲାଗିଛି । କୃଷ୍ଣାନଗର ଦକ୍ଷିଣ ଆସନର ବିଧାୟକ ମୁକୁଲ ରୟ, ପୁଅ ଶୁଭ୍ରାଂଶୁ ରୟଙ୍କ ସହ ବିଜେପି ଛାଡି ଟିଏମସିରେ ସାମିଲ ହୋଇଛନ୍ତି । ଶୁକ୍ରବାର ମୁକୁଲ ରୟ ଟିଏମସି କାର୍ଯ୍ୟାଳୟରେ ପହଂଚି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅନ୍ୟ ନେତାଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିଥିଲେ । ଏହାପରେ ସେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି ।

ବିଧାନସଭା ନିର୍ବାଚନରେ ମମତାଙ୍କ ଦମଦାର ବିଜୟ ପରେ ପୁରୁଣା ସାଥୀ ଟିଏମସି ଫେରୁଛନ୍ତି । ସୂଚନା ଅନୁସାରେ ଗତ ସପ୍ତାହରେ ମୁକୁଲ ରୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଫୋନରେ କଥା ହୋଇ ଦଳକୁ ଫେରିବାକୁ ନିଷ୍ପତି ନେଇଥିଲେ । ବିଜେପିରେ ଶୁଭେନ୍ଦୁ ଅଧିକାରୀଙ୍କ ପ୍ରାଧାନ୍ୟ ବଢୁଥିବା ଦେଖି ମୁକୁଲ ରୟ ଟିଏମସି ଫେରିଥିବା ଚର୍ଚ୍ଚା ହେଉଛି । କୃଷ୍ଣାନଗର ଦକ୍ଷିଣ ଆସନରୁ ବିଧାୟକ ଭାବେ ନିର୍ବାଚିତ ହେବା ପରେ ତାଙ୍କୁ ବିରୋଧୀ ଦଳ ନେତା ନକରାଯାଇ କମାଣ ଶୁଭେନ୍ଦୁ ଅଧିକାରୀଙ୍କୁ ଦିଆଯାଇଥିଲା । ଯାହାକୁ ନେଇ ସେ ଅସନ୍ତୁଷ୍ଟ ଥିଲେ । ଏହାର ସୁଯୋଗ ନେଇ ମୁକୁଲ ରୟଙ୍କ ଆଡକୁ ବନ୍ଧୁତାର ହାତ ବଢାଇଥିଲା ତୃଣମୂଳ କଂଗ୍ରେସ ।

ମୁକୁଲଙ୍କ ପତ୍ନୀ ଅସୁସ୍ଥ ହୋଇ ହସପିଟାଲରେ ଥିବା ବେଳେ ତୃଣମୂଳ କଂଗ୍ରେସର ୨ ନବଂର ନେତା ଅଭିଷେକ ବାନାର୍ଜୀ ଭେଟିବାକୁ ଯାଇଥିଲେ । ଗଣମାଧ୍ୟମରେ ଏହାର ଚର୍ଚ୍ଚା ପରେ ତୁରନ୍ତ ମୁକୁଲ ରୟଙ୍କୁ ଫୋନ କରି ପତ୍ନୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ନଜର ପକାଇବା ମୁକୁଲ ରାୟ ବିଜେପି ଛାଡ଼ିବାର ସମ୍ଭାବ୍ୟ କାରଣ ଉପରେ

କାହିଁକି ବିଜେପି ଛାଡ଼ିଲେ ମୁକୁଲ ?
-ବିଜେପିରେ ତାଙ୍କୁ ଅଣଦେଖା କରାଯିବା
-ଶୁଭେନ୍ଦୁ ଅଧିକାରୀଙ୍କ ସହ ତିକ୍ତତା
-ବିଧାନସଭା ନିର୍ବାଚନରେ ବିଜେପି ଆଶାନୁରୂପ ସଫଳତା ନପାଇବା
-ପୁଅ ଶୁଭ୍ରାଂଶୁଙ୍କ ରାଜନୈତିକ କ୍ୟାରିୟର ବଂଚାଇବା

ମୁକୁଲ ରୟ ବିଜେପି ଛାଡିବା ପଶ୍ଚିମବଙ୍ଗ ବିଜେପି ପାଇଁ ଏକ ବଡ କ୍ଷତି ବୋଲି କୁହାଯାଉଛି । କାରଣ ୨୦୧୭ ପରେ ଟିଏମସିର ବରିଷ୍ଠ ନେତାଙ୍କୁ ବିଜେପି ଆଣିବା ପଛରେ ତାଙ୍କର ବଡ ଭୂମିକା ରହିଥିଲା । ଏବେ ଯେହେତୁ ମୁକୁଲ ରୟ ତୃଣମୂଳ କଂଗ୍ରେସକୁ ଫେରିଛନ୍ତି । ତେଣୁ ତାଙ୍କ ନିକଟତମ ଓ ବିଶ୍ୱସ୍ତ ନେତା ମଧ୍ୟ ଟିଏମସି ଫେରିବେ ବୋଲି ଚର୍ଚ୍ଚା ଚାଲିଛି ।