କନକ ବ୍ୟୁରୋ: ନିର୍ବାଚନ ହାରିବା ପରେ ପଶ୍ଚିମବଙ୍ଗରେ ବିଜେପିକୁ ବଡ ଝଟକା । ବିଜେପିକୁ ବାଏ ବାଏ କହି ତୃଣମୂଳ କଂଗ୍ରେସରେ ସାମିଲ ହେଲେ ମୁକୁଲ ରାୟ । ଆଜି ସେ ତାଙ୍କ ପୁଅ ଶୁଭ୍ରାଂଶୁଙ୍କ ସହିତ ତୃଣମୂଳ କଂଗ୍ରେସକୁ ବାହୁଡିଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ସାଂସଦ ଅଭିଷେକ ବାନାର୍ଜୀଙ୍କ ଉପସ୍ଥିତିରେ ଦୁହେଁ ଟିଏମସିରେ ସାମିଲ ହୋଇଛନ୍ତି।

Advertisment

ମୁକୁଲ ରାୟ ଦଳକୁ ଫେରିବା ପରେ ମମତା କହିଛନ୍ତି, ବିଜେପିରେ ପ୍ରବଳ ଶୋଷଣ ହେଉଛି । ସେଠାରେ ଲୋକଙ୍କ ରହିବା ମୁସ୍କିଲ ହୋଇଯାଇଛି । ଏବେ ଘରର ପୁଅ ଘରକୁ ଫେରିଛି ବୋଲି ମମତା କହିଛନ୍ତି । ଚଳିତଥର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁକୁଲ ରାୟ ବିଜେପିରେ ସାମିଲ ହୋଇଥିଲେ । ହେଲେ ଏବେ ସେ ବିଜେପିରୁ ଇସ୍ତଫା ଦେବା ସହିତ ତୃଣମୂଳ ହାତ ଧରିଛନ୍ତି । କୁହାଯାଉଛି ବିଜେପିରେ ଶୁଭେନ୍ଦୁ ଅଧିକାରୀଙ୍କ ପ୍ରାଧାନ୍ୟ ବଢୁଥିବାରୁ ମୁକୁଲ ବିଜେପି ଛାଡୁଛନ୍ତି । ତେବେ ସବୁ ପରେ ବି ପଶ୍ଚିମବଙ୍ଗରେ ବିଜେପିକୁ ବଡ ଝଟକା ଲାଗିଛି ।

କୁହାଯାଉଛି ଖାଲି ମୁକୁଲ ରାୟ ନୁହଁନ୍ତି, ବିଜେପିରେ ସାମିଲ ହୋଇଥିବା ଆହୁରି ଅନେକ ଟିଏମସି ନେତା ମଧ୍ୟ ଦଳକୁ ବାହୁଡିପାରନ୍ତି । ଚଳିତ ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ବିଜେପି ଆଗରେ ରହିଥିଲା । ଯାହାକୁ ଦେଖି ଅନେକ ଟିଏମସି ନେତା ପଦ୍ମ ଶିବିରରେ ସାମିଲ ହୋଇଥିଲେ । ହେଲେ ଦିଦି 'ଖେଲା ହୋବେ' ନାରା ଦେଇ ଦମଦାର ବିଜୟ ହାସଲ କରିଥିଲେ । ଆଉ ଏବେ ଏହି ବିଜୟକୁ ଦେଖି ଅନେକ ଟିଏମସି ନେତା ପୁଣି ମମତାଙ୍କ ଶରଣକୁ ଆସିବାକୁ ଇଚ୍ଛା ରଖିଛନ୍ତି ବୋଲି ସୂଚନା ମିଳୁଛି ।