ମୁକୁଲ ରାୟଙ୍କ ଘରବାହୁଡାକୁ ନେଇ ତେଜିଲା ରାଜନୀତି । ଆଜି ମମତାଙ୍କୁ ଭେଟି ପାରନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ମୁକୁଲ ରାୟ !

616

କନକ ବ୍ୟୁରୋ : ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଉପସଭାପତି ମୁକୁଲ ରାୟ ଓ ତାଙ୍କ ପୁଅ ଶୁଭ୍ରାସୁଂ ରାୟ ଟିଏମସିରେ ଯୋଗଦେବା ନେଇ ଚାଲିଥିବା ଆଲୋଚନା ଭିତରେ ଆଜି ଦିନ ୨ ଟା ବେଳେ ମୁକୁଲ ରାୟ ପଶ୍ଚିମବଙ୍ଗ ତୃଣମୂଳ ମୁଖ୍ୟ ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବାକୁ ଯାଉଛନ୍ତି । ଏହି ବୈଠକ ପରେ ମୁକୁଲ ଓ ତାଙ୍କ ପୁଅ ବିଜେପି ଛାଡି ଟିଏମସିରେ ଯୋଗଦେବା ନେଇ ନିଷ୍ପତ୍ତି ହୋଇପାରେ ।

କେବଳ ମୁକୁଲ ରାୟ ଓ ତାଙ୍କ ପୁଅ ନୁହନ୍ତି । ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମସି ଛାଡି ବିଜେପିରେ ଯୋଗ ଦେଇଥିବା ଅନେକ ନେତା ଏବେ ପୁଣି ଟିଏମସିକୁ ଫେରିବାକୁ ଆଗ୍ରହ ଦେଖାଇଛନ୍ତି । କିଏ ଚିଠି ମାଧ୍ୟମରେ ନିଜର ଭୁଲକୁ କ୍ଷମା କରିଦେବାକୁ ମମତାଙ୍କୁ ଚିଠି ଲେଖୁଛନ୍ତି ତ କିଏ ଅଟୋରେ ମାଇକ ଲଗାଇ ବୋଲି ବୋଲି ବିଜେପିରେ ଯୋଗଦେଇଥିବାରୁ ତାଙ୍କୁ କ୍ଷମା କରନ୍ତୁ ବୋଲି ପ୍ରଚାର କରୁଛନ୍ତି ।

ଚଳିତ ବିଧାସଭା ନିର୍ବାଚନ ପରେ ତୃତୀୟ ଥର ପାଇଁ ଟିଏମସି ରାଜ୍ୟରେ କ୍ଷମତା ଦଖଲ କରିଥିଲା । ରାଜ୍ୟରେ ମୋଟ ୨୯୨ ବିଧାନସଭା ଆସନ ମଧ୍ୟରୁ ଟିଏମସି ୨୧୩ ଟି ଆସନ ଜିତିଥିବା ବେଳେ ବିଜେପି ଖାତାକୁ ମାତ୍ର ୭୩ ଟି ଆସନ ଆସିଥିଲା ।

ପଶ୍ଚିମବଙ୍ଗ ରାଜନୀତିର ଚର୍ଚ୍ଚିତ ଚେହେରା ମୁକୁଲ ରାୟ । ୨୦୧୭ ସେପ୍ଟେମ୍ବର ମାସରେ ସେ ତୃଣମୂଳ କଂଗ୍ରେସରୁ ୬ ବର୍ଷ ପାଇଁ ବହିସ୍କୃତ ହେବା ପରେ ସେ ବିଜେପିରେ ଯୋଗ ଦେଇଥିଲେ । ବିଜେପି ବି ତାଙ୍କୁ ପଶ୍ଚିମବଙ୍ଗର ବିଜେପି ମୁଖ୍ୟ ଭାବେ ଗ୍ରହଣ କରିନେଇଥିଲା । ୨୦୧୯ ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗରେ ବିଜେପିକୁ ୧୮ ଟି ଆସନରେ ବିଜୟୀ କରାଇବାରେ ମୁକୁଲଙ୍କ ଭୂମିକା ବେସ୍ ଗୁରୁ୍ତ୍ୱପୂର୍ଣ୍ଣ ଥିଲା । ହେଲେ ୨୦୨୧ ବିଧାନସଭା ନିର୍ବାଚନ ବେଳେ ମୁକୁଲ ଅଲୋଡା ହୋଇଗଲେ । ତାହାର କାରଣ ଥିଲା ଟିଏମସି ଛାଡି ବିଜେପିରେ ଯୋଗ ଦେଇଥିବା ଶୁଭେନ୍ଦୁ ଅଧିକାରୀ ।

କହିରଖୁ କି ୨୦୧୭ ରେ ସାରଦା ଚିଟଫଣ୍ଡ ମାମଲାକୁ ନେଇ ଟିଏମସିରୁ ୬ ବର୍ଷ ପାଇଁ ବହିସ୍କୃତ ହୋଇଥିଲେ ମୁକୁଲ ରାୟ  । ତାଙ୍କ ନାମରେ ସିବିଆଇରେ ମାମଲା ରୁଜୁ ହେବା ପରେ ତାଙ୍କୁ ଦଳ ବହିସ୍କୃତ କରିଥିଲା ।