ମମତାଙ୍କ ସମର୍ଥନରେ ପଶ୍ଚିମବଙ୍ଗର ବରିଷ୍ଠ ବିଜେପି ନେତା ମୁକୁଲ ରାୟଙ୍କ ପୁଅ । ସୋସିଆଲ ମିଡିଆରେ ବିଜେପିକୁ ସମାଲୋଚନା

1,460

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ବିଜେପିର ପରାଜୟ ପରେ ଏବେ ଲାଗୁଛି ଯେମିତି ରାଜ୍ୟ ବିଜେପି ନେତାଙ୍କ ରାଗ ପଦାରେ ପଡୁଛି । ପଶ୍ଚିମବଙ୍ଗ ବିଜେପିର ବରିଷ୍ଠ ନେତା ମୁକୁଲ ରାୟଙ୍କ ପୁଅ ଶୁଭ୍ରାଂଶୁ ରାୟ ଏହାକୁ ନେଇ ବିଜେପିକୁ ସମାଲୋଚନା କରିଛନ୍ତି । ସେ ଫେସ୍ ବୁକ ପୋଷ୍ଟରେ ନିଜ ଦଳ ବିଜେପିକୁ ସମାଲୋଚନା କରିବା ସହ ମମତା ବାନାର୍ଜୀଙ୍କୁ ସମର୍ଥନ କରିଛନ୍ତି । ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି କି ଗୋଟିଏ ନିର୍ବାଚିତ ସରକାରକୁ ସମାଲୋଚନା କରିବା ପୂର୍ବରୁ ପଶ୍ଚିମବଙ୍ଗରେ ବିଜେପି କାହିଁକି ହାରିଲା ତାହାର ଆତ୍ମସମୀକ୍ଷା କରିବାର ଆବଶ୍ୟକତା ରହିଛି । ଶୁଭ୍ରାଂଶୁଙ୍କର ଏଭଳି ପୋଷ୍ଟ ପରେ ପଶ୍ଚିମବଙ୍ଗ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । କହିରଖୁ କି ଶୁଭ୍ରାଂଶୁ ରାୟ ୨୦୧୯ ରେ ଟିଏମସି ଛାଡି ବିଜେପିରେ ଯୋଗ ଦେଇଥିଲେ । ସେ ଚଳିତ ନିର୍ବାଚନରେ ବିଜାପୁର ଆସନରୁ ବିଜେପି ସମର୍ଥନରେ ପ୍ରାର୍ଥୀ ହୋଇଥିଲେ ବି ପରାଜିତ ହୋଇଛନ୍ତି ।

ସୂଚନା ଥାଉକି ବାତ୍ୟା ୟାସର ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ଗସ୍ତରେ ଯାଇଥିବା ବେଳେ ମମତା ବାନାର୍ଜୀ ତାଙ୍କୁ ସମୟ ଦେଇନଥିଲେ । ଏହାପରେ ବିଜେପି ନେତାମାନେ ମମତା ବାନାର୍ଜୀଙ୍କୁ ଲଗାତର ଭାବେ ସମାଲୋଚନା କରିବାରେ ଲାଗିଛନ୍ତି ।

ଅନ୍ୟପଟେ ଏଭଳି ସମାଲୋଚନାର ଶିକାର ହେବାପରେ ମମତା ବାନାର୍ଜୀ ଏନେଇ ସଫେଇ ଦେଇଛନ୍ତି । ସେ କହିଛନ୍ତି କି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ବିରୋଧୀଦଳ ନେତା ଉପସ୍ଥିତ ରହିବା ପ୍ରୋଟୋକଲ ବାହାରେ । ଏହାସହ ପଶ୍ଚିମବଙ୍ଗ ସରକାରରେ ମୁଖ୍ୟ ଶାସନ ସଚିବ ଥିବା ଅଲପନ ବନ୍ଦୋପାଧ୍ୟାୟଙ୍କୁ କେନ୍ଦ୍ର ସରକାରଙ୍କ ଦିଲ୍ଲୀ ଡାକରାକୁ ଫେରସ୍ତ ନେବାକୁ ମମତା ବାନାର୍ଜୀ କେନ୍ଦ୍ରକୁ ଅନୁରୋଧ କରିଛନ୍ତି । ମମତା ଅଭିଯୋଗ ଆଣିଛନ୍ତି କି, ନିର୍ବାଚିତ ସରକାରକୁ ଅସ୍ଥିର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ପଶ୍ଚିମବଙ୍ଗବାସୀଙ୍କ ସ୍ୱାର୍ଥରେ ବାଧା ସୃଷ୍ଟି କରୁଛନ୍ତି ।