ୟୁପି ଡିଜିପି ପଦରୁ ହଟିଲେ ମୁକୁଲ ଗୋୟଲ । ରାଜ୍ୟ ଶାସନରେ ଅବହେଳା ଦର୍ଶାଇ ହଟାଇଲା ଯୋଗୀ ସରକାର । ସିଭିଲ ଡିଫେନ୍ସ ଡିଜି ଭାବେ ଅବସ୍ଥାପିତ 

103

କନକ ବ୍ୟୁରୋ : ଉତ୍ତର ପ୍ରଦେଶର ଡିଜିପି ମୁକୁଲ ଗୋୟଲଙ୍କୁ ପଦରୁ ହଟାଇ ଦିଆଯାଇଛି  । ପୋଲିସ ମହାନିର୍ଦ୍ଦେଶକ ଥିବା ୧୯୮୭ ବ୍ୟାଚ ଆଇପିଏସ ଅଧିକାରୀ ମୁକୁଲ ଗୋୟଲ ରାଜ୍ୟ ଶାସନରେ ଅବହେଳା କରୁଥିବା ଦର୍ଶାଇ ତାଙ୍କୁ ପଦରୁ ହଟାଇଦିଆଯାଇଛି । ବିଭାଗୀୟ କାର୍ଯ୍ୟରେ ରୁଚି ରଖୁନଥିବା ଅଭିଯୋଗରେ ତାଙ୍କୁ ହଟାଯାଇଛି । ବର୍ତ୍ତମାନ ତାଙ୍କୁ ସିଭିଲ ଡିଫେନ୍ସ ଡିଜି ଭାବେ ସ୍ଥାନାନ୍ତର କରାଯାଇଛି ।

ପୂର୍ବରୁ ମଧ୍ୟ ସେ ଅନେକ ଥର ବିବାଦରେ ରହିଆସିଛନ୍ତି । ଅନେକ ଥର ତାଙ୍କର କାର୍ଯ୍ୟଶୈଳୀକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ୨୦୦୦ ମସିହାରେ ଏସପି ପଦରୁ ସସପେଣ୍ଡ କରାଯାଇଥିଲା । ସେତେବେଳେ ବିଜେପିର ବିଧାୟକ ନିର୍ଭୟ ପାଲ ଶର୍ମାଙ୍କ ହତ୍ୟାପରେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ତେବେ କେବଳ ଏତିକି ନୁହେଁ ୨୦୦୬ ମସିହାରେ ପୋଲିସ ଭର୍ତ୍ତିରେ ହୋଇଥିବା ଦୁର୍ନୀତିରେ ୨୫ ଆଇପିଏସ ଅଧିକାରୀଙ୍କ ନାମ ସାମିଲ ଥିଲା । ଏଥିରେ ମଧ୍ୟ ମୁକୁଲ ଗୋୟଲଙ୍କ ନାଁ ରହିଥିଲା ।