କନକ ବ୍ୟୁରୋ : ପ୍ରହସନ ପାଲଟିଛି ମୁକ୍ତା ଯୋଜନା । ପୂର୍ବ ସରକାର ସହରାଞ୍ଚଳର ବିକାଶ ପାଇଁ ମୁକ୍ତା ଯୋଜନାରେ ପୈାରାଞ୍ଚଳର ଅନେକ ୱାର୍ଡରେ ମିନି ପାର୍କ ନିର୍ମାଣ କରିଥିଲେ । ହେଲେ ପୌର ପରିଷଦର ଅବହେଳା ପାଇଁ ପାର୍କ ଏବେ ପାଲଟିଛି ଜଙ୍ଗଲ ।
ବିପର୍ଯ୍ୟସ୍ତ ଅବସ୍ଥାରେ ପଡ଼ିରହିଛି ଉମରକୋଟ ପୌରାଞ୍ଚଳରେ ନିର୍ମାଣ ହୋଇଥିବା ମିନିପାର୍କ । ପୌର ପ୍ରଶାସନର ଅବହେଳା ପାଇଁ ପାର୍କ ଏବେ ବଣବୁଦା ପାଲଟିଗଲାଣି । ଅନାବନା ଘାସ ଉଠିଯାଇଥିବା ବେଳେ ବ୍ୟାୟାମ ପାଇଁ ରହିଥିବା ସରଞ୍ଜାମ ବି ନଷ୍ଟ ହୋଇଗଲାଣି । ଉମରକୋଟ ପୌରାଞ୍ଚଳର ୪ଟି ୱାର୍ଡରେ ପ୍ରାୟ ୧ କୋଟି ୨୦ ଲକ୍ଷ ଟଙ୍କା ବ୍ୟୟରେ ମିନିପାର୍କ ନିର୍ମାଣ କରାଯାଇଛି । ୨ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ଅନ୍ୟ ୱାର୍ଡ ଗୁଡ଼ିକରେ ୧୦ଟି ଶିଶୁ କ୍ରୀଡ଼ା ଉଦ୍ୟାନ ଏବଂ ମୁକ୍ତାକାଶ ବ୍ୟାୟାମଶାଳା କରାଯାଇଛି । ରକ୍ଷଣାବେକ୍ଷଣ ଅଭାବରୁ ସେସବୁ ଏବେ ନଷ୍ଟ ହେବା ଅବସ୍ଥାରେ ।
ମିନିପାର୍କ ଗୁଡିକରେ ଆଲୋକୀକରଣର ବ୍ୟବସ୍ଥା ନଥିବାରୁ ସଂଧ୍ୟା ହେଲେ ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳୀ ପାଲଟୁଛି । ତେବେ କୁଆଡ଼େ ଗଲା ଆଲୋକୀକରଣ ଅର୍ଥ ? ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ । ପାର୍କ ଗୁଡ଼ିକର ପୁନରୁଦ୍ଧାର କରାଯିବା ସହିତ ରକ୍ଷଣାବେକ୍ଷଣ ପାଇଁ ଜଣେ ଲୋକଙ୍କୁ ନିୟୋଜିତ କରାଯିବା ପାଇଁ ଦାବି କରିଛନ୍ତି ସ୍ଥାନୀୟବାସୀ । ଅନ୍ୟପଟେ ଅଧା ରହିଥିବା କାମକୁ ଶୀଘ୍ର ସାରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ପୌର ନିର୍ବାହୀ ଅଧିକାରୀ ।