ୟୁପି ରାଜନୀତିରେ ହଟ ଚମଟ, ସମାଜବାଦୀ ପାର୍ଟିରେ ସାମିଲ ହେଲେ ମୁଖତାର ଅନସାରୀଙ୍କ ବଡ ଭାଇ

128

କନକ ବ୍ୟୁରୋ : ଆଗାମୀ ବର୍ଷ ୟୁପିରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହା ପୂର୍ବରୁ ୟୁପି ମନ୍ତ୍ରୀମଣ୍ଡଳରେ ଅଦଳ ବଦଳ ହେବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ସେପଟେ ମୁଖତାର ଅନସାରୀଙ୍କ ବଡଭାଇ ସମାଜବାଦୀ ପାର୍ଟିରେ ଯୋଗଦେବା ପରେ ରାଜନୀତି ସରଗରମ ହୋଇଛି । ମୁଖତାର ଅନସାରୀଙ୍କ ବଡଭାଇ ଶିବଗାତୁଲ୍ଲା ଅନସାରୀ ଆଜି ତାଙ୍କ ସମର୍ଥକ ମାନଙ୍କ ସହ ଅଖିଳେଶ ଯାଦବଙ୍କ ଉପସ୍ଥିିତିରେ ସମାଜବାଦୀ ପାର୍ଟିରେ ଯୋଗ ଦେଇଛନ୍ତି ।

କହିରଖୁ କି ଶିବଗାତୁଲ୍ଲା ଅନସାରୀ ୨୦୦୭ ରେ ସମାଜବାଦୀ ପାର୍ଟି ଓ ୨୦୧୨ ରେ କୌମି ଏକତା ଦଳରୁ ନିର୍ବାଚନ ଲଢି ବିଧାୟକ ଭାବେ ବିଜୟୀ ହୋଇଥିଲେ । ଏହାପରେ ୨୦୧୭ ରେ ସେ ବହୁଜନ ସମାଜବାଦୀ ପାର୍ଟି ଟିକେଟରୁ ବିଧାନସଭା ନିର୍ବାଚନ ଲଢି ପରାଜିତ ହୋଇଥିଲେ । ଅନ୍ୟପଟେ ତାଙ୍କ ସାନଭାଇ ମୁଖତାର ଅନସାରୀ ଦୀର୍ଘଦିନ ହେବ ବାନ୍ଦା ଜେଲରେ ରହିଛନ୍ତି ।
ଅନ୍ୟପଟେ ସମାଜବାଦୀ ପାର୍ଟି ଛାଡି ବହୁଜନ ସମାଜବାଦୀ ପାର୍ଟିରେ ଯୋଗ ଦେଇଥିବା ପୂର୍ବତନ ମନ୍ତ୍ରୀ ଅମ୍ବିକା ଚୌଧୁରୀ ବି ପୁଣିଥରେ ସମାଜବାଦୀ ପାର୍ଟିରେ ଯୋଗ ଦେଇଛନ୍ତି । ସେ ଫେପନା ବିଧାନସଭା କ୍ଷେତ୍ରରୁ ୧୯୯୩-୨୦୧୨ ପର୍ଯ୍ୟନ୍ତ ଲଗାତର ଭାବେ ୪ ଥର ବିଧାୟକ ଥିଲେ । ସେ ୨୦୦୩-୨୦୦୭ ମଧ୍ୟରେ ମୁଲାୟମ ସିଂ ସରକାରରେ ରାଜସ୍ୱମନ୍ତ୍ରୀ ଥିଲେ ।