ମୋଦୀ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ମୁଖତାର ଆବାସ ନକଭୀ । ବଡ ଦାୟିତ୍ୱ ଦେଇପାରେ ଦଳ ।

532

କନକ ବ୍ୟୁରୋ: ମୋଦୀ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ କେନ୍ଦ୍ରୀୟ ମନ୍ତ୍ରୀ ମୁଖତାର ଆବାସ ନକଭୀ । କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ନକଭୀ ଆଜି ଇସ୍ତଫା ଦେଇଛନ୍ତି । ସେ ରାଜ୍ୟସଭାର ଜଣେ ସଦସ୍ୟ ଥିଲେ । ତାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିଲା । ଆଉ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଆଜି ସେ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି । କୁହାଯାଉଛି ଦଳ ତାଙ୍କୁ କିଛି ବଡ ଦାୟିତ୍ୱ ଦେଇପାରେ ।

ସୂଚନାଯୋଗ୍ୟ ଯେ, ମୋଦୀ କ୍ୟାବିନେଟରେ ଥିବା ଦୁଇ ମନ୍ତ୍ରୀଙ୍କ ରାଜ୍ୟସଭା କାର୍ଯ୍ୟକାଳ ଗୁରୁବାର ଶେଷ ହେବାକୁ ଯାଉଛି । ଯେଉଁଥିରେ ମୁଖତାର ଆବାସ ନକଭୀଙ୍କ ସହିତ ଆରସିପି ସିଂହଙ୍କ ନାଁ ମଧ୍ୟ ସାମିଲ ଅଛି । ଜୁଲାଇ ୬ ତାରିଖ ପରେ ଏହି ଦୁଇ ନେତା ସଂସଦର କୌଣସି ଗୃହର ସଦସ୍ୟ ରହିବେ ନାହିଁ ।

ଇସ୍ତଫା ଦେବା ପୂର୍ବରୁ ନକଭୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଥିଲେ । ମିଡିଆ ରିପୋର୍ଟ ମୁତାବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ କ୍ୟାବିନେଟ୍ ବୈଠକରେ ନକଭୀଙ୍କ ଯୋଗଦାନକୁ ପ୍ରଂଶସା କରିଥିଲେ । ମୁଖତାର ଆବାସ ନକଭୀ କେନ୍ଦ୍ର କ୍ୟାବିନେଟରେ ସଂଖ୍ୟାଲଘୁ ବ୍ୟାପାର ବିଭାଗର ମନ୍ତ୍ରୀ ପଦରେ ଥଲେ । ସେ ରାଜ୍ୟସଭାରେ ଦଳର ଉପନେତା ମଧ୍ୟ ଥିଲେ । ଜୁଲାଇ ୭ ତାରିଖରେ ତାଙ୍କର କାର୍ଯ୍ୟକାଳ ସମାପ୍ତ ହେବାକୁ ଥିଲା । ତେଣୁ ସେ କେନ୍ଦ୍ର କ୍ୟାବିନେଟରୁ ଇସ୍ତଫା ଦେବା ପରେ ଦଳ ତାଙ୍କୁ ବଡ ଦାୟିତ୍ୱ ଦେଇପାରେ । କୁହାଯାଉଛି ଦଳ ତାଙ୍କୁ ଉପ-ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମଧ୍ୟ ଚୟନ କରିିପାରେ ।