ଫାଶୀ ପାଇଁ ସଫା ହେଲା ରାସ୍ତା । ସୁପ୍ରିମକୋର୍ଟରେ ଖାରଜ ହେଲା ନିର୍ଭୟା ରାକ୍ଷସଙ୍କ କ୍ୟୁରେଟିଭ ପିଟିସନ୍ । ୨୨ରେ ଫାଶୀ ଖୁଣ୍ଟରେ ଝୁଲି ପାରନ୍ତି ୪ ଅପରାଧୀ ।

728

କନକ ବ୍ୟୁରୋ : ଫାଶୀ ପାଇଁ ରାସ୍ତା ସଫା । ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଦୋଷୀଙ୍କ ପକ୍ଷରୁ ହୋଇଥିବା କ୍ୟୁରେଟିଭ ପିଟିସନ ଆବେଦନ ଖାରଜ ହୋଇଯାଇଛି । ଫଳରେ ଆସନ୍ତା ୨୨ ତାରିଖ ସକାଳ ୭ଟାରେ ତିହାର ଜେଲରେ ଅଭିଯୁକ୍ତଙ୍କୁ ଫାଶୀ ଦିଆଯିବା ନେଇ ରାସ୍ତା ଏକ ପ୍ରକାର ସଫା ହୋଇଯାଇଛି । ତେବେ ଫାଶୀକୁ ଟାଳିବା ପାଇଁ ଏବେ ଦୋଷୀଙ୍କ ପାଖରେ କେବଳ ରାଜକ୍ଷମା ବିକଳ୍ପ ହିଁ ରହିଛି । ଆଉ ଆଜି ଅଭିଯୁକ୍ତ ମୁକେଶ, ରାଷ୍ଟ୍ରପତିଙ୍କ ପାଖରେ କରିଛି ରାଜକ୍ଷମା ଆବେଦନ ।

ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୁଇଜଣ ଦୋଷୀ ବିନୟ ଶର୍ମା ଓ ମୁକେଶ ସିଂହଙ୍କ କ୍ୟୁରେଟିଭ ପିଟିସନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । ଅର୍ଥାତ ଆଗାମୀ ୨୨ ତାରିଖରେ ଏ ଦୁଇଜଣଙ୍କୁ ଫାଶୀ ଦେବା ନେଇ ରାସ୍ତା ଏକପ୍ରକାର ସଫା ହୋଇଯାଇଛି । ଶେଷ ନ୍ୟାୟିକ ବିକଳ୍ପଟି ସମାପ୍ତ ହୋଇଯିବା ପରେ ଫାଶୀକୁ ଟାଳିବା ପାଇଁ ଏବେ ଏମାନଙ୍କ ପାଖରେ କେବଳ ରାଜକ୍ଷମା ବିକଳ୍ପଟି ହିଁ ରହିଛି ।

ବିନୟ ଶର୍ମା ପୂର୍ବରୁ ରାଜକ୍ଷମା ପାଇଁ ଆବେଦନ କରିସାରିଛି । ଯାହାକୁ ଖାରଜ କରିବା ପାଇଁ ଦିଲ୍ଲୀ ସରକାରଙ୍କ ସୁପାରିଶ ସହ ରାଷ୍ଟ୍ରପତିଙ୍କ ନିକଟରୁ ପଠାଇ ସାରିଛି କେନ୍ଦ୍ର ଗୃହମନ୍ତ୍ରାଳୟ । ତେଣୁ କେବଳ ମୁକେଶ ସିଂହ ଏବେ ରାଜକ୍ଷମା ପାଇଁ ଆବେଦନ କରିପାରିବ । ଗତ ଜାନୁଆରୀ ୭ ତାରିଖରେ ନିର୍ଭୟା ଦୁଷ୍କର୍ମକାରୀଙ୍କ ବିରୋଧରେ ଡେଥ୍ ୱାରେଂଟ ଜାରି କରିଥିଲେ ଦିଲ୍ଲୀ ପଟିଆଲା ହାଉସକୋର୍ଟ । ଏଥିସହ ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ପାଇଁ ୭ ଦିନର ମହଲତ ଦେଇଥିଲେ । ଏହାରି ଭିତରେ କେବଳ ମୁକେଶ ଓ ବିନୟ ହିଁ ଆବେଦନ କରିଥିବାବେଳେ ଅନ୍ୟ ଦୁଇ ଦୋଷୀ ସୁପ୍ରିମକୋର୍ଟ ଯାଇ ନାହାନ୍ତି । ଅର୍ଥାତ ୭ ଦିନର ମହଲତ ଶେଷ ହୋଇଯାଇଥିବାରୁ ପବନ ଓ ଅକ୍ଷୟ ପାଇଁ କ୍ୟୁରେଟିଭ ପିଟିସନର ବିକଳ୍ପଟି ଶେଷ ହୋଇଯାଇଛି ।

ଆଇନ ଅନୁସାରେ ଡେଥ ୱାରେଣ୍ଟ ଜାରି ହେବାର ୧୪ ଦିନ ଭିତରେ ରାଜକ୍ଷମା ଆବେଦନ କରିହେବ । ଆଉ ଏସବୁ ଭିତରେ ମୁକେଶ ରାଜକ୍ଷମା ପାଇଁ ଆବେଦନ କରିଥିବା ବେଳେ ପବନ ଓ ଅକ୍ଷୟ ଚାହିଁଲେ ମୃତ୍ୟୁଦଣ୍ଡ କୋହଳ କରିବାକୁ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ପାଇଁ ଆବେଦନ କରିପାରିବେ ।
ଦେଶର ଆଇନ ଅନୁଯାୟୀ ରାଜକ୍ଷମା ଆବେଦନ ପାଇଁ ଏକ ବିଳମ୍ବିତ ପ୍ରକ୍ରିୟା ରହିଛି ।
କେମିତି କରିବେ ରାଜକ୍ଷମା ଆବେଦନ?
– ଦୋଷୀମାନେ ପ୍ରଥମେ ଦିଲ୍ଲୀ ସରକାରଙ୍କୁ ରାଜକ୍ଷମା ଆବେଦନ କରିବେ
– ଦିଲ୍ଲୀ ଗୃହ ବିଭାଗ ନିଜର ମତାମତ ସହ ମୁଖ୍ୟ ଶାସନ ସଚିବଙ୍କୁ ପଠାଇବ
– ମୁଖ୍ୟ ଶାସନ ସଚିବ ମଧ୍ୟ ନିଜର ମତାମତ ସହ ଦିଲ୍ଲୀ ଗୃହମନ୍ତ୍ରୀଙ୍କୁ ପଠାଇବେ
– ଦିଲ୍ଲୀ ଗୃହମନ୍ତ୍ରୀ ଏହାକୁ ଉପରାଜ୍ୟପାଳଙ୍କୁ ପଠାଇବାର ବିଧି ରହିଛି
– ଉପରାଜ୍ୟପାଳ ଦିଲ୍ଲୀ ସରକାରଙ୍କ ମତାମତ ସହ ଏହାକୁ କେନ୍ଦ୍ର ଗୃହମନ୍ତ୍ରାଳୟକୁ ପଠାଇବେ
– ଦିଲ୍ଲୀ ସରକାରଙ୍କ ମତାମତକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇବ କେନ୍ଦ୍ର ଗୃହ ମନ୍ତ୍ରାଳୟ

ବର୍ତମାନ ସମୟରେ ଏହି ପ୍ରକ୍ରିୟାକୁ ତ୍ୱରିତ କରିବା ପାଇଁ ଡିଜିଟାଲ ପ୍ଲାଟଫର୍ମର ଉପଯୋଗ କରାଯାଉଛି । ନିର୍ଭୟାଙ୍କୁ ନ୍ୟାୟ ଦେବା ପାଇଁ ସରକାର ଚାହିଁଲେ ଏହାକୁ ତୁରନ୍ତ ଶେଷ କରି ଫାଶୀ କାର୍ଯ୍ୟକାରୀ କରିବାକୁ ପଦକ୍ଷେପ ନେଇପାରନ୍ତି । ନିର୍ଦ୍ଧାରିତ ସମୟରେ ଦୋଷୀମାନେ ରାଜକ୍ଷମା ଆବେଦନ ନକଲେ ଆଗାମୀ ୨୨ ତାରିଖ ସକାଳ ୭ଟାରେ ଫାଶୀ ଖୁଂଟରେ ଝୁଲିବା ସୁନିଶ୍ଚିତ ହୋଇଯିବ ।