କନକ ବ୍ୟୁରୋ: ଓଡିଶାରେ ଅକ୍ଟୋବର ମାସରୁ ଲୋକଙ୍କୁ ମିଳିବ ନୂଆ ସ୍ୱାସ୍ଥ୍ୟକାର୍ଡ । ଏଥିସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଯେଉଁ ହିତାଧିକାରୀମାନେ ଯେଉଁ ଯେଉଁ ସୁବିଧା ପାଉଥିଲେ, ନୂଆ ସ୍ୱାସ୍ଥ୍ୟ କାର୍ଡରେ ମଧ୍ୟ ସେମାନେ ସେହି ସୁବିଧା ସହିତ ଅତିରିକ୍ତ ସୁବିଧା ପାଇବେ । ଅନ୍ୟପଟେ ସାରା ଭାରତ ବର୍ଷରେ ଏହି କାର୍ଡ ବ୍ୟବହାର ଉପଯୋଗୀ ହେବ । ମୋଟ ୨୭ ହଜାରରୁ ଅଧିକ ହସ୍ପିଟାଲରେ ଲୋକମାନେ ରୋଗୀ ସେବାର ସୁବିଧା ପାଇବେ । ମଙ୍ଗଳବାର କନକ ନ୍ୟୁଜକୁ ଏକ୍ସକ୍ଲୁସିଭ୍ ସାକ୍ଷାତକାର ଦେଇ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ସେ କହିଛନ୍ତି ଯେ, ବଜେଟରେ ଏଥିସହ ସ୍ୱାସ୍ଥ୍ୟ ବିଭାଗକୁ ୨୧ ହଜାର କୋଟି ଦିଆଯାଇଛି। ଗତବର୍ଷ ତୁଳନାରେ ଏହା ଅଧିକ । ତେବେ ଏଥର ଆମର ସବୁଠୁ ବଡ ଫୋକସ୍ ପଏଣ୍ଟ ଥିଲା ଆୟୁଷ୍ମାନ ଯୋଜନାକୁ ରାଜ୍ୟରେ ଲାଗୁ କରିବା । ଓଡିଶାରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ନାଁରେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ । ଏଥିସହ ଗତ ସରକାରରେ ରୋଗୀମାନେ ଯେଉଁ ସୁବିଧା ପାଉଥିଲେ, ସେମାନଙ୍କୁ ସେହି ସୁବିଧା ମିଳିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।

ସେପଟେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ପାଖାପାଖି ୩ ହଜାର କୋଟି ଟଙ୍କା ବ୍ୟୟବରାଦ ହେଇଛି । ଏହାସହ ଆୟୁଷ୍ମାନ ଯୋଜନା ଲାଗୁ ହେବା ଦ୍ୱାରା ରାଜ୍ୟ ଲାଭବାନ ହେବ । ଗତ ସରକାର ସମୟରେ କେନ୍ଦ୍ର ସରକାରଙ୍କ ତରଫରୁ ମିଳୁଥିବା ୬୦ ପ୍ରତିଶତ ଅର୍ଥ ଗ୍ରହଣ ନକରିବା ଦ୍ୱାରା ରାଜ୍ୟର ଲୋକମାନେ ଏହାର ଲାଭ ପାଇପାରୁନଥିଲେ ବୋଲି ମୁକେଶ ମହାଲିଙ୍ଗ କହିଛନ୍ତି ।

ଖାଲି ସେତିକି ନୁହେଁ, ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମିଶିକି କାର୍ଯ୍ୟକାରୀ ହେବ । ବର୍ତ୍ତମାନ ୧ କୋଟି ପରିବାର ସ୍ୱାସ୍ଥ୍ୟ କାର୍ଡରେ ଯାହା ଲାଭ ପାଉଛନ୍ତି, ସେହି ଲାଭ ଆଗକୁ ବି ପାଇବେ । ସାରା ଭାରତରେ ଏହି କାର୍ଡ ବ୍ୟବହାର ଯୋଗ୍ୟ ହେଇପାରିବ । ଏହାର ସବୁଠୁ ବଡ ବିଶେଷତ୍ବ ହେଉଛି, ଏହି କାର୍ଡ ବ୍ୟବହାର କରି ୨୭ ହଜାରରୁ ଅଧିକ ହସ୍ପିଟାଲରେ ରୋଗୀ ସେବା ପାଇପାରିବେ । ବିଶେଷକରି ଶ୍ରମିକ ଓ ବାହାରକୁ କାମ କରିବାକୁ ଯାଉଥିବା ଲୋକ ଏଥିରେ ଲାଭବାନ ହେବେ ବୋଲି ମନ୍ତ୍ରୀ କହିଛନ୍ତି ।

ମନ୍ତ୍ରୀ କହିଛନ୍ତି, ପୂର୍ଣ୍ଣାଙ୍ଗ ବଜେଟର ସେପ୍ଟେମ୍ବର ୧୦ରେ ଆପ୍ରୋପିଏସନ୍ ବିଲ୍ ଅଛି । ସେପ୍ଟେମ୍ବର ୩୦ ପରେ ବଜେଟର କାର୍ଯ୍ୟକାରିତା ଆରମ୍ଭ ହେବ । ତେଣୁ ସେପ୍ଟେମ୍ବର ଶେଷ କିମ୍ବା ଅକ୍ଟୋବର ମାସ ଆରମ୍ଭ ସୁଦ୍ଧା ନୂଆ ସ୍ୱାସ୍ଥ୍ୟ କାର୍ଡ କାର୍ଯ୍ୟକାରୀ ହେବ । ବର୍ତ୍ତମାନ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡରେ ଲୋକମାନେ ଯେଉଁ ସୁବିଧା ପାଉଛନ୍ତି, ଆଗକୁ ମଧ୍ୟ ସେହି ସୁବିଧା ପାଇପାରିବେ । ଏଥିସହ ନୂଆ କାର୍ଡ କାର୍ଯ୍ୟକାରୀ ନହେବା ପର୍ଯ୍ୟନ୍ତ ବିଏସକେଓ୍ୱାଇ କାର୍ଯ୍ୟକାରୀ ରହିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ତା ସହ ପୂର୍ବ ଯୋଜନା ଭଳି ପ୍ରତି ପରିବାର ପିଛା କାର୍ଡ ନଦିଆଯାଇ, ପରିବାରର ପ୍ରତିଟି ଲୋକଙ୍କୁ ନୂଆ କାର୍ଡ ମିଳିବ ବୋଲି ମୁକେଶ ମହାଲିଙ୍ଗ କନକ ନ୍ୟୁଜକୁ ଏକ୍ସକ୍ଲୁସିଭ୍ ସାକ୍ଷାତକାର ଦେଇ କହିଛନ୍ତି ।

ଶେଷରେ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ପୂର୍ବ ଯୋଜନାରେ ଯେତିକି ହିତାଧିକାରୀ ଅଛନ୍ତି ସେମାନଙ୍କୁ ନୂଆ ଯୋଜନାରେ ସାମିଲ କରାଯିବ । ଏଥିସହ ଚାକିରିଆମାନଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରିବା ନେଇ ଆଗାମୀ ଦିନରେ ନିଷ୍ପତ୍ତି ନିଆଯିବ ।