ଦିଲ୍ଲୀରେ ମୁକେଶ ଖାନ୍ନାଙ୍କ ଭଉଣୀଙ୍କୁ ଠିକ୍ ସମୟରେ ମିଳିଲାନି ଆଇସିୟୁ ବେଡ୍ । ନିଶ୍ୱାସ ନେବାରେ ଅସୁବିଧା ହେତୁ ମୃତ୍ୟୁ ।

447

କନକ ବ୍ୟୁରୋ: ସାରା ଦେଶରୁ ଏବେ ବି ଅକ୍ସିଜେନ୍ ଅଭାବର ବିକଳ ଚିତ୍ର ଆସୁଥିବାବେଳେ ଅନେକ ରୋଗୀ ଏହାର ଅଭାବରୁ ଆଖି ବୁଜିସାରିଲେଣି । ଅନେକ ରୋଗୀ ଆଇସିୟୁ ବେଡ୍ ଅଭାବରୁ ମଧ୍ୟ ହନ୍ତସନ୍ତ ହେଉଛନ୍ତି । ଏଭଳି ସମୟରେ ଟିଭି ଜଗତର ଲୋକପ୍ରିୟ କଳାକାର ମୁକେଶ ଖାନ୍ନାଙ୍କ ଭଉଣୀ ମଧ୍ୟ ଦିଲ୍ଲୀରେ ଆଇସିୟୁ ବେଡ୍ ନପାଇ ଅସମୟରେ ଆଖି ବୁଜିଛନ୍ତି । ଏନେଇ ନିଜେ ଖୋଦ୍ ମୁକେଶ ଖାନ୍ନା ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, କିଛି ଦିନ ତଳେ ତାଙ୍କ ଭଉଣୀ କରୋନାରୁ ସୁସ୍ଥ ହୋଇଥିଲେ । ହେଲେ ସୁସ୍ଥ ହେବା ପରେ ମଧ୍ୟ ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା । ଏହାପରେ ତାଙ୍କ ପାଇଁ ମୁକେଶ ଖାନ୍ନା ଓ ତାଙ୍କ ପରିବାର ଲୋକେ ଦିଲ୍ଲୀରେ ଆଇସିୟୁ ବେଡ୍ ଖୋଜିବାକୁ ଲାଗିଥିଲେ । ହେଲେ ଠିକ୍ ସମୟରେ ତାଙ୍କୁ ଆଇସିୟୁ ବେଡ୍ ନମିଳିବାରୁ ତାଙ୍କ ଭଉଣୀ ଆଖିବୁଜିଛନ୍ତି । ତେବେ ମୃତ୍ୟୁ ପରେ ମୁକେଶ ଖାନ୍ନାଙ୍କ ଭଉଣୀଙ୍କର ଅନ୍ତିମ ସଂସ୍କାର କରାଯାଇଛି । ଅନ୍ୟପଟେ ନିଜେ ମୁକେଶ ମଧ୍ୟ ସତର୍କ ରହିବା ସହିତ କୌଣସି ଉତ୍ସବରେ ଯୋଗ ଦେଉନାହାନ୍ତି । ଏଥିସହ ସମସ୍ତେ ମଧ୍ୟ ସତର୍କ ଓ ସାମାଜିକ ଦୂରତା ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ଟିଭି ଜଗତର ଶକ୍ତିମାନ ବୋଲାଉଥିବା ମୁକେଶ ଖାନ୍ନାଙ୍କ କରୋନାରେ ଦେହାନ୍ତ ହୋଇଥିବା ଗୁଜବ ପ୍ରସାରିତ ହୋଇଥିଲା । ଏହାପରେ ନିଜେ ମୁକେଶ ଏହି ଖବରକୁ ମିଛ ବୋଲି କହିବା ସହିତ ନିଜେ ସୋସିଆଲ୍ ମିଡିଆରେ ଭିଡିଓ କରି ଏହାର ସତ ଘଟଣା ଆଗକୁ ଆଣିଥିଲେ । ହେଲେ କିଛି ଦିନ ପରେ ଏବେ ତାଙ୍କ ଭଉଣୀ ଆଇସିୟୁ ବେଡ୍ ଅଭାବରୁ ଆଖି ବୁଜିଛନ୍ତି ।