ବଢ଼ିଲା ଅମ୍ବାନିଙ୍କ ସମ୍ପତ୍ତି । ଏବେ ମୁକେଶ ଅମ୍ବାନି ବିଶ୍ୱର ୧୧ ତମ ଏବଂ ଏସିଆର ଏକ ନମ୍ବର ଧନୀ ବ୍ୟକ୍ତି । ବ୍ଲୁମ୍ବର୍ଗ ବିଲିୟନେୟର ଇଣ୍ଡେକ୍ସ ଜାରି କଲା ତାଲିକା…

2,510

କନକ ବ୍ୟୁରୋ: ମୁକେଶ ଅମ୍ବାନୀ ବିଶ୍ୱରେ ୧୧ ତମ, ଏସିଆର ଏକ ନମ୍ବର ଧନୀ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ମୁଖ୍ୟ ମୁକେଶ ଅମ୍ବାନି ବିଶ୍ୱର ୧୧ତମ ଧନୀ ବ୍ୟକ୍ତିରେ ପରିଣତ ହୋଇଛନ୍ତି । ତାଙ୍କର ମୋଟ ସଂପତ୍ତିର ପରିମାଣ ପ୍ରଥମ ଥର ପାଇଁ ୬୦ ବିଲିୟନ ଡଲାର ଟପିଯାଇଛି । ବ୍ଲୁମ୍ବର୍ଗ ବିଲିୟନେର ଇଣ୍ଡେକ୍ସ ଅନୁସାରେ ମୁକେଶଙ୍କ ମୋଟ ସଂପତ୍ତି ପରିମାଣ ୬୦.୩ ବିଲିୟନ ଡଲାର ବା ୪ ଲକ୍ଷ ୫୮ ହଜାର କୋଟିରେ ପହଞ୍ଚିଛି ।

କେବଳ ଏତିକି ନୁହେଁ ଏହା ସହିତ ସେ ଏସିଆର ୧ନମ୍ବର ଧନୀରେ ପରିଣତ ହୋଇଛନ୍ତି । ପୂର୍ବରୁ ଆଲିବାବା ପ୍ରତିଷ୍ଠାତା ଚୀନର ଜାକ ମା ଏସିଆର ସବୁଠାରୁ ଧନୀ ବ୍ୟକ୍ତି ଭାବେ ପରିଗଣିତ ହେଉଥିଲେ ମଧ୍ୟ ଏବେ ସେ ଏସିଆରେ ୨ୟ ସ୍ଥାନ ଓ ବିଶ୍ୱରେ ୨୦ତମ ସ୍ଥାନକୁ ଖସିଯାଇଛନ୍ତି । ତାଙ୍କର ମୋଟ ସଂପତ୍ତିର ପରିମାଣ ୪୮ ବିଲିୟନ ଡଲାର ରହିଛି ।

ପ୍ରଥମ ସ୍ଥାନରେ ରହିଛନ୍ତି ଆମାଜନ ମୁଖ୍ୟ ଜେଫ ବେଜୋସ । ତାଙ୍କର ମୋଟ ସଂପତ୍ତିର ମୂଲ୍ୟ ୧୫୯ ବିଲିୟନ ଡଲାର ରହିଛି । ୨ୟ ସ୍ଥାନରେ ଅଛନ୍ତି ମାଇକ୍ରୋସଫ୍ଟ ମୁଖ୍ୟ ବିଲ ଗେଟ୍ସ । ତାଙ୍କର ମୋଟ ସଂପତ୍ତିର ମୂଲ୍ୟ ୧୧୩ ବିଲିୟନ ଡଲାରରେ ସ୍ଥିର ରହିଛି । ୩ୟ ସ୍ଥାନରେ ଫ୍ରାନ୍ସର ବର୍ନାଡ ଆରନଲ୍ଟ ରହିଛନ୍ତି । ତାଙ୍କର ମୋଟ ସଂପତ୍ତିର ମୂଲ୍ୟ ୯୩.୮ ବିଲିୟନ ଡଲାର ରହିଛି ।