ସମ୍ପତ୍ତି ମାମଲାରେ ଗୌତମ ଆଦାନୀଙ୍କୁ ପଛରେ ପକାଇଲେ ମୁକେଶ ଅମ୍ବାନୀ । ଜାଣନ୍ତୁ ଧନୀ ତାଲିକାରେ କେଉଁ ସ୍ଥାନରେ ରହିଲେ କିଏ ?

229

କନକ ବ୍ୟୁରୋ : ଶିଳ୍ପପତି ମୁକେଶ ଅମ୍ବାନୀ ଏବେ ଗୌତମ ଆଦାନୀଙ୍କୁ ସମ୍ପତ୍ତି ମାମଲାରେ ପଛରେ ପକାଇଛନ୍ତି । ‘ହୁରୁନ ଇଣ୍ଡିଆ’ ଜାରି କରିଥିବା ତାଲିକା ମୁତାବକ ରିଲିଆନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନୀ ଆଦାନୀ ଗ୍ରୁପର ଚେୟାରମ୍ୟାନ ଗୌତମ ଆଦାନୀଙ୍କୁ ପଛରେ ପକାଇ ଦେଇ ଭାରତର ଧନୀ ତାଲିକାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ହିଣ୍ଡେନବର୍ଗ ରିପୋର୍ଟ ଆସିବା ପରେ ଗୌତମ ଆଦାନୀଙ୍କ ସମ୍ପତ୍ତି ହ୍ରାସ ପାଇଥିବା ଦେଖିବାକୁ ମିଳିଛି ।

ହୁରୁନ ଇଣ୍ଡିଆ ଓ ୩୬୦ ୱାନ ୱେଲ୍ଥ ତରଫରୁ ଆଜି ‘୩୬୦ ୱାନ ୱେଲଥ ହୁରୁନ ଇଣ୍ଡିଆ ରିଚ ଲିଷ୍ଟ ୨୦୨୩ ’ ଜାରି କରାଯାଇଛି । ଏହି ତାଲିକାରେ ଭାରତର ସବୁଠାରୁ ଅଧିକ ୧୨ ଜଣ ଧନୀଙ୍କ ନାମ ସାମିଲ କରାଯାଇଛି  ।

ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ୨୦୧୪ ମସିହାରେ ୧,୬୫,୧୦୦ କୋଟି ଟଙ୍କା ଥିଲା । ହେଲେ ୨୦୨୩ ସୁଦ୍ଧା ଏହା ବୃଦ୍ଧିପାଇ ୮,୦୮,୭୦୦ କୋଟିରେ ପହଂଚିଛି । ଅର୍ଥାତ ଗତ ୯ ବର୍ଷ ମଧ୍ୟରେ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ୪ ଗୁଣା ବୃଦ୍ଧି ପାଇଛି ।

ଜାରି କରାଯାଇଥିବା ଏହି ଧନୀ ତାଲିକାରେ ଗୌତମ ଆଦାନୀ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ୨୦୨୩ ସୁଦ୍ଧା ତାଙ୍କର ମୋଟ ସମ୍ପତ୍ତି ୪୭୪,୮୦୦ କୋଟି ଟଙ୍କା ବୋଲି ଦର୍ଶାଯାଇଛି । ସେହିଭଳି ସେରମ ଇନଷ୍ଟିଚ୍ୟୁଟର ସଂସ୍ଥାପକ ସାଇରସ ଏସ୍ ପୁନାୱାଲାଙ୍କ ତୃତୀୟ ସ୍ଥାନରେ ରହିଛନ୍ତି । ତାଙ୍କର ମୋଟ ସମ୍ପତ୍ତି ୨,୭୫,୫୦୦ କୋଟି ବୋଲି ଦର୍ଶାଯାଇଛି ।

ସେହିଭଳି ଏଚସିଏଲ୍ କମ୍ପାନୀର ମୁଖ୍ୟ ଶିଭ୍ ନାଦର ଚତୁର୍ଥ ସ୍ଥାନରେ ରହିଛନ୍ତି । ତାଙ୍କର ମୋଟ ସମ୍ପତ୍ତି ୨,୨୮, ୯୦୦ କୋଟି ଟଙ୍କା । ତାଙ୍କ ତଳକୁ ୫ମ ସ୍ଥାନରେ ରହିଛନ୍ତି ଗୋପିଚାନ୍ଦ ହିନ୍ଦୁଜା ଆଣ୍ଡ ଫ୍ୟାମିଲି । ତାଙ୍କର ମୋଟ ସମ୍ପତ୍ତି ୧,୭୬,୫୦୦ କୋଟି ଟଙ୍କା । ଷଷ୍ଠ ସ୍ଥାନରେ ରହିଛନ୍ତି ସନ୍ ଫାର୍ମାସ୍ୟୁଟିକାଲ ଇଣ୍ଡଷ୍ଟ୍ରିଜର ମୁଖ୍ୟ ଦିଲ୍ଲୀପ ସାଂଘଭୀ । ତାଙ୍କର ମୋଟ ସମ୍ପତ୍ତି ହେଉଛି ୧,୬୪,୩୦୦ କୋଟି ଟଙ୍କା ।