ଧନ ବଢାଇଛି କରୋନା ! ଧନୀ ହୋଇଛନ୍ତି ଅଧିକ ଧନୀ । କେତେ ବଢିଛି ଅମ୍ବାନୀଙ୍କ ସମ୍ପତ୍ତି ?

ଆସିଲା ଫୋର୍ବସ୍ ଧନୀ ତାଲିକା, ପ୍ରଥମ ସ୍ଥାନରେ ମୁକେଶ ଅମ୍ବାନୀ, ଦ୍ୱିତୀୟରେ ଗୌତମ ଅଦାନୀ; ୫୦ ପ୍ରତିଶତ ବୃଦ୍ଧି ପାଇଛି ପ୍ରଥମ ଶହେ ଧନୀଙ୍କ ସମ୍ପତି

305

କନକ ବ୍ୟୁରୋ : କରୋନାରେ ଲକ୍ଷ ଲକ୍ଷ ଲୋକ ରୋଜଗାର ହରାଇଥିବା ବେଳେ ଧନୀ କିନ୍ତୁ ଆହୁରି ଧନୀ ହୋଇଛନ୍ତି । ଆଜି ଭାରତର ଫୋର୍ବସ୍ ଧନୀ ତାଲିକା ପ୍ରକାଶ ପାଇଛି । ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି ରିଲାଏନ୍ସ ଇଣ୍ଠଷ୍ଟ୍ରିଜ୍ର ମାଲିକ ମୁକେଶ ଅମ୍ବାନୀ । ୨୦୨୧ରେ ତାଙ୍କର ସମ୍ପତି ୩୦ ହଜାର କୋଟି ବୃଦ୍ଧି ପାଇଛି ।

ମୁକେଶ ଅମ୍ବାନୀଙ୍କ ସମ୍ପତି ହେଉଛି ପ୍ରାୟ ୭ ଲକ୍ଷ କୋଟି ଟଙ୍କା । ସେହିପରି ଦ୍ୱିତୀୟ ସ୍ଥାନରେ ଅଛନ୍ତି ଅଦାନୀ ପୋର୍ଟସର ମାଲିକ ଗୌତମ ଅଦାନୀ । ତାଙ୍କର ସମ୍ପତିର ମୂଲ୍ୟ ହେଉଛି ୫ ଲକ୍ଷ ୬୦ ହଜାର କୋଟି ଟଙ୍କା । କରୋନା ବେଳେ ତାଙ୍କର ସମ୍ପତି ବେଶ୍ ଭଲ ଭାବେ ବୃଦ୍ଧି ପାଇଛି । ତୃତୀୟ ସ୍ଥାନରେ ଏଚସିଏଲ୍ ଟେକ୍ନୋଲୋଜିର ମାଲିକ ଶିବ. ନାଦାର । ତାଙ୍କର ସମ୍ପତିର ମୂଲ୍ୟ ହେଉଛି ୨ ଲକ୍ଷ ୩୨ ହଜାର କୋଟି ଟଙ୍କା । ଆଶ୍ଚର୍ଯ୍ୟର କଥା ହେଉଛି କରୋନା ପାଇଁ ଏମାନଙ୍କର ଜମା କ୍ଷତି ହୋଇନାହିଁ ବରଂ ଏମାନେ ବହୁତ ଅଧିକ ସମ୍ପତି ବଢାଇବାରେ ସକ୍ଷମ ହୋଇଛନ୍ତି ।

ସେହିପରି ଫୋର୍ବସ୍ ଧନୀ ତାଲିକାର ଚତୁର୍ଥ ସ୍ଥାନରେ ଅଛନ୍ତି ଏଭିନିୟୁ ସୁପର ମାର୍ଟସର ମାଲିକ ୬୬ ବର୍ଷିୟ ରାଧାକିଷନ୍ ଦମାନୀ । ତାଙ୍କର ସମ୍ପତିର ମୂଲ୍ୟ ହେଉଛି ୨ ଲକ୍ଷ ୨୦ ହଜାର କୋଟି ଟଙ୍କା । ପଂଚମ ସ୍ଥାନରେ ଅଛନ୍ତି, କୋଭିଡ୍ ଟିକା ତିଆରି କରୁଥିବା କମ୍ପାନୀ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର କମ୍ପାନୀର ମାଲିକ ସାଇରସ ପୁନାୱାଲା । ଏହି ୮୦ ବର୍ଷିୟ ବ୍ୟକ୍ତି ପଂଚମ ସ୍ଥାନକୁ ଉଠିବାରେ ସକ୍ଷମ ହୋଇଛନ୍ତି । ତାଙ୍କର ସମ୍ପତିର ମୂଲ୍ୟ ହେଉଛି ୧ ଲକ୍ଷ ୪୨ ହଜାର କୋଟି ଟଙ୍କା । ସେହିପରି ଷଷ୍ଠ ସ୍ଥାନରେ ଅଛନ୍ତି ଆର୍ସେଲର ମିତଲର ମାଲିକ ୭୧ ବର୍ଷିୟ ଲକ୍ଷ୍ମୀନାରାୟଣ ମିତଲ । ତାଙ୍କର ସମ୍ପତିର ମୂଲ୍ୟ ହେଉଛି ୧ ଲକ୍ଷ ୪୦ ହଜାର କୋଟି ଟଙ୍କା ।