ବଣଜଙ୍ଗଲରେ ଧନୁତୀର ଧରି ବୁଲୁଥିବା କୋୟା ଯୁବକ ଏବେ ଯୁବ ବାଲୁକାଶିଳ୍ପୀ । କାଳିଆଧାମରେ ହୋଇଛନ୍ତି ସୁଦର୍ଶନଙ୍କ ଉତ୍ତମ ଶିଷ୍ୟ ।

139

କନକ ବ୍ୟୁରୋ: ଦିନେ ବଣ ଜଙ୍ଗଲରେ ବୁଲି ବୁଲି ହାତରେ ଧନୁତୀର ଧରି ପଶୁ ପକ୍ଷୀ ଶିକାର କରୁଥିବା ଆଦିବାସୀ କୋୟା ଜନଜାତିର ଯୁବକ ଆଜି ଜଣେ ଯୁବ ବାଲୁକା ଶିଲ୍ପୀ । ମାଲକାନଗିରି ଜିଲ୍ଲାର ଉପାନ୍ତ କାଲିମେଳା ଅଂଚଳର ସେ ହୋଇପାରିଛନ୍ତି ଜଣେ ଆଗୁଆ ପୁଅ । ନିଜ ନିଶାକୁ ପେଶାରେ ପରିଣତ କରିବା ପାଇଁ କାଲିମେଳାରୁ ଧାଇଁ ଆସିଛନ୍ତି କାଳିଆଧାମ । ଆଉ ନିଜ ଅଧ୍ୟବସାୟ ବଳରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଉତ୍ତମ ଶିଷ୍ୟ ଭାବରେ ହୋଇପାରିଛନ୍ତ ବେଶ ଜଣାଶୁଣା ।

ମହୋଦଧୀର ବାଲିକୁ ଜୀବନ ଜୀବିକା ଭାବେ ବାଛି ନେଇଛନ୍ତି ମୁକା କୱାସୀ । କୋୟା ଜନଜାତିର ଏହି ଯୁବକଙ୍କ ପ୍ରତିଭା ପିଲାଟି ଦିନରୁ ଫୁଟି ଉଠିଥିଲା । କାଲିମେଳା ସରକାରୀ ଉଚ୍ଚ ବିଦ୍ୟାଳୟରେ ପଢ଼ିବା ବେଳେ ବିଭିନ୍ନ ଦେବାଦେବୀ ଓ ମହାପୁରୁଷଙ୍କ ଚିତ୍ର ଆଙ୍କି ସମସ୍ତଙ୍କ ମନ ଜିଣୁଥିଲେ । ଆଉ ଏବେ ପୁରୀ ବେଳଭୂମୀ ବାଲିରେ ଗୁରୁ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ତତ୍ୱାବଧାନରେ ନିଜର କଳା ପ୍ରଦର୍ଶନ କରୁଛନ୍ତି । ତେଣେ ଘରେ ମୁକା ପିଲାଦିନେ ଆଙ୍କି ଥିବା କିଛି ଫଟୋ ଚିତ୍ରକୁ ଦେଖି ପୁଅ ପାଇଁ ଗର୍ବ କରୁଛନ୍ତି ମାଆ ପଦିଏ କୱାସୀ । ତେବେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଯୋଗୁଁ ମୁକା ବାଲୁକା ଶିଳ୍ପୀର ପରିଚୟ ପାଇଛି ବୋଲି କହିଛନ୍ତି ତାଙ୍କ ବଡ଼ ଭାଇ ।

କାଲିମେଳାରେ ମାଟ୍ରିକ ପଢିବା ପରେ ପ୍ରଧାନ ଶିକ୍ଷକ ରମେଶ ବାରୋଇଙ୍କ ସହଯୋଗରେ ରାଜଧାନୀ କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ପାଠ ପଢ଼ନ୍ତି ମୁକା । ପରେ ପାଠ ସହ ବାଲୁକା କଳାକୁ ଜୀବନ୍ତ କରିବା ଉଦ୍ଦେଶ୍ୟରେ ପୁରୀ ସାମନ୍ତ ଚନ୍ଦ୍ର ଶେଖର କଲେଜରେ ଯୁକ୍ତ ୩ରେ ନାମ ଲେଖାନ୍ତି । ସେହି ସମୟରେ ବାଲୁକା କଳାକୁ ପରିଚୟ ଦେଇଥିବା ସୁଦର୍ଶନ ପଟନାୟକଙ୍କୁ ଭେଟନ୍ତି । ଆଉ ଗୁଣକୁ ଗୁଣିଆ ଚିହ୍ନିବା ପରି ମୁକାଙ୍କ ଭିତରେ ଥିବା କଳାର ଭୋକକୁ ବୁଝି, ତାଙ୍କ ପ୍ରତିଭାକୁ ଶାଣିତ କରିବା ପାଇଁ ସହଯୋଗର ହାତ ବଢାନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଏହାରି ଭିତରେ ମୁକା ଜଣେ ବାଲୁକା ଶିଳ୍ପୀ ଭାବେ ବେଶ ନିଜର ପରିଚୟ ସୃଷ୍ଟି କରି ପାରିଛନ୍ତି । ଚଳିତ ବର୍ଷ କୋଣାର୍କ ସ୍ୟାଣ୍ଡ ଆର୍ଟ ମହୋତ୍ସବରେ ନିଜ କଳା ପ୍ରଦର୍ଶନ କରିବା ସହ ଗୁରୁଙ୍କ ସହ ରାଜ୍ୟ ବାହାରେ ମଧ୍ୟ ନିଜ ପ୍ରତିଭା ପ୍ରଦର୍ଶନ କରି ସାରିଛନ୍ତି ।