ଶେଷରେ ସତ ମାନିଲେ ଇମ୍ରାନ: ରୁଷିଆ ଟୁଡେକୁ ସାକ୍ଷାତକାର ଦେଇ କହିଲେ, ଆମେରିକା ସହଯୋଗରେ ପାକିସ୍ତାନ ମାଟିରୁ ହିଁ ଆତଙ୍କୀଙ୍କୁ ଦିଆଯାଇଥିଲା ତାଲିମ୍

ଯାହାର ପରିଣାମ ଆଜି ପାକିସ୍ତାନକୁ ଭୋଗିବାକୁ ପଡୁଛି

631

କନକ ବ୍ୟୁରୋ: ଶେଷରେ ସତ ମାନିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ପାକିସ୍ତାନ ମାଟିରୁ ହିଁ ଆତଙ୍କୀ ସଂଗଠନ ଆରମ୍ଭ ହୋଇଥିବା ସହ ତାଙ୍କୁ ତାଲିମ ଦିଆଯାଇଥିବା ମାନିଛନ୍ତି ଇମ୍ରାନ ଖାନ୍ । ସେ କହିଛନ୍ତି, ୮୦ ଦଶକରେ ଆଫଗାନିସ୍ତାନରେ ସୋଭିଏତ ସଂଘ ବିରୋଧରେ ଲଢିବାକୁ ଜେହାଦିଙ୍କୁ ତାଲିମ ଦେଇଥିଲା ଇସଲାମାବାଦ । ଯାହାର ପରିଣାମ ଆଜି ପାକିସ୍ତାନକୁ ଭୋଗିବାକୁ ପଡୁଛି । ଏଥିପାଇଁ ଆମେରିକା ଉପରେ ଦୋଷ ଲଦି ଦେଇଛନ୍ତି ଇମ୍ରାନ । ଋଷିଆ ଟୁଡେକୁ ଦେଇଥିବା ଏକ ସାକ୍ଷାତକାରରେ ଇମ୍ରାନ ଖାନ ଏପରି ବୟାନ ଦେଇଛନ୍ତି ।

ପାକ୍ ପ୍ରଧାନମନ୍ତ୍ରୀ କହିଛନ୍ତି, ଆଫଗାନିସ୍ତାନରେ ସୋଭିଏତ ସଂଘ ବିରୋଧରେ ଲଢିବା ପାଇଁ ଅଶୀ ଦଶକରେ ଜୋହାଦିଙ୍କୁ ପ୍ରସ୍ତୁତ କରିଥିଲା ପାକିସ୍ତାନ । ଆଉ ଏଥିପାଇଁ ଅର୍ଥ ଯୋଗାଇଥିଲା ଆମେରିକା । ଦଶ ବର୍ଷ ପରେ ଆମେରିକା ସେହି ଜେହାଦୀଙ୍କୁ ଆତଙ୍କବାଦୀ ଘୋଷଣା କରିଦେଲା । ଏବଂ ଆମେରିକାର ସାଥ ଦେବା ପାକିସ୍ତାନକୁ ମହଙ୍ଗା ପଡିଛି ବୋଲି କହିଛନ୍ତି ଇମ୍ରାନ ଖାନ । ଦିନଥିଲା ଯେଉଁ ସମୟରେ ଆମେରିକା ଓ ପାକିସ୍ତାନ ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିଲା । ଏବେ କାଶ୍ମୀର ପ୍ରସଙ୍ଗରେ ବିଶ୍ୱ ସମୁଦାୟରୁ ପାକିସ୍ତାନକୁ ଝଟକା ମିଳିଛି । ଏପରିକି ଆମେରିକା ରାଷ୍ଟ୍ରପତିଙ୍କ ନିକଟରେ ଗୁହାରୀ କରିଥିବା ପାକିସ୍ତାନକୁ ସେଠାରେ ବି ନିରାଶ ହେବାକୁ ପଡିଛି । ଫଳରେ ଆମେରିକା ପ୍ରତି ପାକିସ୍ତାନର ମୋହ ତୁଟିଛି ।

୮୦ଦଶକରେ ଆମେରିକାର ଆର୍ଥିକ ସହାୟତାରେ ପାକିସ୍ତାନ ଜୋହିଦାଙ୍କୁ ତାଲିମ ଦେଇଥିଲା । ଏବଂ ସୋଭିଏତ ସଂଘ ବିରୋଧରେ ଆମେରିକାକୁ ସମର୍ଥନ କରିଥିଲା । କିନ୍ତୁ ପରେ ଯେବେ ଆମେରିକୀୟ ସୈନ୍ୟ ଆଫଗାନସ୍ତାନରେ ପହଂଚିଥିଲେ ସେହି ସମୟରେ ସେହି ସମାନ ଲୋକଙ୍କୁ ଆତଙ୍କବାଦୀ ଘୋଷଣା କରାଯାଇଥିଲା । ଏପରି ସ୍ଥିତିରେ ଆମେରିକାର ସାଥ୍ ଦେବା ପାକିସ୍ତାନର ଭୁଲ୍ ଥିଲା ବୋଲି କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ।