ବିହାରରେ ଏନସେଫାଲାଇଟିସ୍ ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଶିଶୁ ମୃତ୍ୟୁକୁ ରୋକିବାରେ ସରକାରଙ୍କ ପ୍ରୟାସ ବିଫଳ ହେଉଥିବାରୁ ଜଟିଳ ସ୍ଥିତି ଉପୁଜିଛି। ବିଭିନ୍ନ ମହଲରୁ ସରକାରଙ୍କ ଅପାରଗତା ପାଇଁ କଡ଼ା ସମାଲୋଚନା ମଧ୍ୟ କରାଯାଉଛି। କେବଳ ମୁଜାଫରପୁରରେ ୧୨୧ ଶିଶୁଙ୍କ ମୃତ୍ୟୁ ହୋଇଥିବାବେଳେ ବୈଶାଳୀରେ ୧୨ ଶିଶୁ, ବେଗୁସରାଇରେ ୬, ସମସ୍ତିପୁରରେ ୭ ଏବଂ ମୋତିହାରି ଓ ପାଟନାରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ମୁଜାଫରପୁର ଶିଶୁଙ୍କ ପାଇଁ ନର୍କ ପାଲଟିଛି । ଏଠାରେ ଆଫ୍ରିକୀୟ ଦେଶଠାରୁ ମଧ୍ୟ ଅତି ସଂଗୀନ ସ୍ଥିତି ଉପୁଜିଛି। ଚଳିତ ସପ୍ତାହରେ ମୁଜାଫରପୁର ଏନସେଫାଲାଇଟିସ୍ ମୃତ୍ୟୁ ପାଇଁ ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାରେ ରହିଛି।

Advertisment

publive-image

ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଏଇଏସ୍ (ଆକ୍ୟୁଟ୍ ଏନସେଫାଲାଇଟିସ୍ ସିଣ୍ଡ୍ରୋମ୍) ରୋକିବା ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି, କିନ୍ତୁ ମୁଜାଫରପୁରରେ ସବୁ ପ୍ରୟାସ ବିଫଳ ହେଉଛି। ଏକ ରିପୋର୍ଟରୁ ଜଣାପଡ଼ିଛି ବିହାର ସରକାର ମୁଜାଫରପୁରରେ ଶିଶୁ ପୋଷଣ ଏବଂ ସ୍ବାସ୍ଥ୍ୟ ସେବାର ସଠିକ୍ ମୁକାବିଲା କରିପାରୁ ନାହାନ୍ତି। ବିହାରରେ ଏନ୍ସେଫାଲାଇଟିସ୍ ମଧ୍ୟ ନୂଆ ନୁହେଁ । କିନ୍ତୁ ଏଥର ସ୍ଥିତି ମାତ୍ରାଧିକ ଜଟିଳ ହୋଇପଡ଼ିଛି। ଏନଏଫଏଚଏସ୍ (ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ) ତଥ୍ୟରୁ ଜଣାପଡ଼ିଛି ଯେ ଶିଶୁ ପୋଷଣ କ୍ଷେତ୍ରରେ ମୁଜାଫରପୁର ସ୍ଥିତି ଅତୀବ ସଙ୍କଟଜନକ। କୁପୋଷଣ ହେତୁ ୫ ବର୍ଷରୁ କମ୍ ବୟସର ପ୍ରାୟ ୪୮ ପ୍ରତିଶତ ଶିଶୁ ସେମାନଙ୍କ ବୟସ ତୁଳନାରେ ବଢ଼ିପାରୁନାହାନ୍ତି ଏବଂ ୧୭.୫ ପ୍ରତିଶତ ଶିଶୁଙ୍କର ଉଚ୍ଚତା ତୁଳାନରେ ସେମାନଙ୍କ ଶରୀରର ବିକାଶ ହୋଇପାରୁନି। ୪୨ ପ୍ରତିଶତ ଶିଶୁ କମ୍ ଓଜନର ରହିଛନ୍ତି ଏବଂ ଏବଂ କୁପୋଷଣର ଶିକାର ହୋଇଛନ୍ତି।

publive-image

ବିହାର ସରକାରଙ୍କ ପାଇଁ ଏହି ସ୍ଥିତିର ମୁକାବିଲା ଏକ ବିରାଟ ଚ୍ୟାଲେଂଜ ହୋଇଛି। ତେବେ ମୁଜାଫରପୁର ସ୍ଥିତିକୁ ଯଦି ଆଫ୍ରିକୀୟ ଦେଶ ସହ ତୁଳନା କରାଯିବ ତେବେ ଆଫ୍ରିକାରେ ୩୧.୩ ପ୍ରତିଶତ ଶିଶୁ ସେମାନଙ୍କ ବୟସ ତୁଳନାରେ ବଢ଼ି ପାରୁନାହାନ୍ତି। ଆଫ୍ରିକୀୟ ଦେଶ ପାଇଁ ପ୍ରକାଶ ପାଇଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ରିପୋର୍ଟରୁ ମଧ୍ୟ ଜଣାପଡ଼ିଛି ଯେ ମୁଜାଫରପୁର ତୁଳନାରେ ୪୩ ଆଫ୍ରିକୀୟ ଦେଶରେ ବୟସ ଅନୁପାତରେ ବଢ଼ି ପାରୁନଥିବା ଶିଶୁଙ୍କ ସଂଖ୍ୟା କମ୍ ରହିଛି। ସେହିପରି ବୟସ ଅନୁପାତରେ ଶରୀରର ବିକାଶ ହୋଇପାରୁନଥିବା ଶିଶୁଙ୍କ ସଂଖ୍ୟା ମଧ୍ୟ ଆଫ୍ରିକା ତୁଳନାରେ ମୁଜାଫରପୁରରେ ଅଧିକ ରହିଛି। ସେହିପରି ବୟସ ଅନୁପାପରେ ଶରୀରର ବିକାଶ ହୋଇ ପାରୁନଥିବା ଶିଶୁଙ୍କ ସଂଖ୍ୟା ଆଫ୍ରିକାରେ ୬.୩ ପ୍ରତିଶତ ଥିବାବେଳେ ମୁଜାଫରପୁରରେ ୧୭.୫ ପ୍ରତିଶତ ରହିଛି। କେବଳ ଦକ୍ଷିଣ ସୁଦାନରେ ହିଁ ମୁଜାଫରପୁରଠାରୁ ସ୍ଥିତି ଅଧିକ ଉଦବେଗଜନକ ରହିଛି।

publive-image

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ରିପୋର୍ଟରୁ ଜଣାପଡ଼ିଛି ଯେ ପ୍ରତିବର୍ଷ ବୈଶ୍ବିକ ସ୍ତରରେ ୨.୭ ନିୟୁତ ଶିଶୁଙ୍କର କୁପୋଷଣ ହେତୁ ମୃତ୍ୟୁ ହେଉଛି। ତେବେ ସାରା ବିଶ୍ବରେ ସମଗ୍ର ଶିଶୁ ମୃତ୍ୟୁର ଏହା ୪୪ ପ୍ରତିଶତ। ଶିଶୁ ଜନ୍ମ ହେବାର ଘଣ୍ଟାକ ମଧ୍ୟରେ ମା’ କ୍ଷୀର ଦିଆଗଲେ ଏହା ବିଭିନ୍ନ ରୋଗ ବ୍ୟାଧିରୁ ମୁକ୍ତି ଦେବା ସହ ଶିଶୁର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରେ। କିନ୍ତୁ ମୁଜାଫରପୁରରେ ୬୩ ପ୍ରତିଶତ ଶିଶୁଙ୍କୁ ଜନ୍ମ ହେବାର ଘଣ୍ଟାକ ମଧ୍ୟରେ ମା’ କ୍ଷୀର ଦିଆଯାଉ ନଥିବା ଜଣାପଡ଼ିଛି। ଅନ୍ୟପକ୍ଷେ ମୁଜାଫରପୁରରେ ପ୍ରତି ୫ ଜଣ ଶିଶୁଙ୍କ ମଧ୍ୟରୁ ୩ ଜଣଙ୍କଠାରେ ରକ୍ତହୀନତା ଦେଖାଦେଇଛି।