କନକ ବ୍ୟୁରୋ: ବାଂଲାଦେଶର ନୂଆ ପ୍ରଧାନମନ୍ତ୍ରୀ ମହମ୍ମଦ ୟୁନୁସ୍ । ଦେଶରେ ହିଂସା ସ୍ଥିତି ଭିତରେ ସେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଆଉ ଏହାକୁ ନେଇ ଖୁସି ଜାହିର କରିଛି ଆମେରିକା ।
ବାଂଲାଦେଶରେ ଚାଲିଥିବା ବିଦ୍ରୋହ ଓ ହିଂସା ମଧ୍ୟରେ ନୋବେଲ ବିଜେତା ଅର୍ଥନୀତିଜ୍ଞ ମହମ୍ମଦ ୟୁନୁସ୍ ଗୁରୁବାର ପ୍ୟାରିସରୁ ଆସି ଢାକାରେ ପହଞ୍ଚିଛନ୍ତି। ଏହାପରେ ଶାସନ ଭାର ଗ୍ରହଣ କରିଛନ୍ତି । ଶେଖ୍ ହସିନା କ୍ଷମତାରୁ ବହିଷ୍କୃତ ହେବା ପରେ ଏବେ ମହମ୍ମଦ ଅନ୍ତରୀଣ ସରକାରର ମୁଖ୍ୟ। ଢାକାରେ ପହଞ୍ଚିବା ପରେ ସେ ନିଜର ପ୍ରଥମ ବୟାନ ଦେଇ କହିଛନ୍ତି ଯେ ସରକାର ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବେ। ସମଗ୍ର ବାଂଲାଦେଶ ଗୋଟିଏ ପରିବାର। ସମସ୍ତଙ୍କୁ ସୁରକ୍ଷା ଦେବା ସରକାରଙ୍କ କର୍ତ୍ତବ୍ୟ। ମହମ୍ମଦ ୟୁନୁସଙ୍କୁ ୨୦୦୬ରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା । କ୍ଷୁଦ୍ର ଋଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ୟ୍ୟ ପାଇଁ ତାଙ୍କୁ ଏହି ସମ୍ମାନ ମିଳିଛି। ମହମ୍ମଦ ୟୁନୁସ ଅଲିମ୍ପିକ୍ସ ପାଇଁ ପ୍ୟାରିସ ଯାଇଥିଲେ। ସେ ଦୁବାଇ ଦେଇ ବାଂଲାଦେଶ ଫେରିଛନ୍ତି। ହଜରତ ଶାହାଜାଲାଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ପରେ ସେନା ମୁଖ୍ୟ ଜେନେରାଲ ୱାକର-ଉଜ୍-ଜମାନ, ବରିଷ୍ଠ ଅଧିକାରୀ, ଛାତ୍ର ନେତା ଏବଂ ଅନ୍ୟମାନେ ବିମାନବନ୍ଦରରେ ତାଙ୍କୁ ସ୍ୱାଗତ କରିଥିଲେ।
ଅନ୍ତରୀଣ ସରକାର ଗଠନ ପରେ ଆମେରିକା ମଧ୍ୟ ଏହାକୁ ନେଇ ପ୍ରତିକ୍ରିୟା ରଖିଛି। ଆମେରିକା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଥ୍ୟୁ ମିଲର କହିଛନ୍ତି ଯେ ସେ ବାଂଲାଦେଶର ବିକାଶ ଉପରେ ତୀକ୍ଷ୍ଣ ନଜର ରଖିବେ। ଏଥିସହିତ ମହମ୍ମଦ ୟୁନୁସଙ୍କ ନେତୃତ୍ବାଧୀନ ସରକାରରେ ଦେଶରେ ଶାନ୍ତି ପ୍ରତିଷ୍ଠା ହେବ ବୋଲି ମିଲର ଆଶା ବ୍ୟକ୍ତ କରିଛନ୍ତି। ବାଂଲାଦେଶରେ କ୍ଷମତା ପରିବର୍ତ୍ତନ ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇ ମିଲର କହିଛନ୍ତି, ବାଂଲାଦେଶରେ ଦୀର୍ଘକାଳୀନ ଶାନ୍ତି ଓ ରାଜନୈତିକ ସ୍ଥିରତା ବଜାୟ ରଖିବାରେ ଏକ ଅନ୍ତରୀଣ ସରକାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଆମେରିକା ଅନ୍ତରୀଣ ସରକାର ସହିତ କାମ କରିବାକୁ ଆଗ୍ରହୀ ବୋଲି ସେ କହିଛନ୍ତି । ଗତ ମାସରେ ଦେଶରେ ଛାତ୍ରଛାତ୍ରୀମାନେ ସରକାରୀ ଚାକିରିରେ ସଂରକ୍ଷଣକୁ ବିରୋଧ କରି ଆନ୍ଦୋଳନ ଆରମ୍ଭ କରିଥିଲେ। କିଛି ଦିନ ମଧ୍ୟରେ ଆନ୍ଦୋଳନ ଆକ୍ରମଣାତ୍ମକ ହେବା ସହ ପୁଲିସ ବଳ ପ୍ରୟୋଗ କରି ବିକ୍ଷୋଭକୁ ରୋକିବାରେ ଲାଗିଛି। ଏହାପରେ ସରକାରଙ୍କ ବହିଷ୍କାର ଦାବିରେ ସଂରକ୍ଷଣ ପାଇଁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଅଗଷ୍ଟ ୬ତାରିଖରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇ ଦେଶ ଛାଡିଥିଲେ। ସରକାର ବିରୋଧୀ ବିକ୍ଷୋଭ ଯୋଗୁଁ ଏପର୍ୟ୍ୟନ୍ତ ୪୪୦ ଜଣଙ୍କ ମୃତ୍ୟୁ ଘଟିଛି। ବିକ୍ଷୋଭକାରୀମାନେ ଥାନା, ଚେକପୋଷ୍ଟ ଏପରିକି ରାଜନେତାଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି। ଧୀରେ ଧୀରେ ବାଂଲାଦେଶରେ ସ୍ଥିତି ସ୍ୱାଭାବିକ ହେବା ସହ ଅନ୍ତରୀଣ ସରକାର ଗଠନ ହୋଇଛି।