କନକ ବ୍ୟୁରୋ : ଚଳିତ ଆର୍ଥିକ ବର୍ଷରେ ଗ୍ରାହକଙ୍କ ଉପରେ ପଡିବନି ଅତିରିକ୍ତ ବିଜୁଳି ବୋଝ । ବିଦ୍ୟୁତ ଶୁଳ୍କ ଅପରିବର୍ତିତ ରହିଥିବା ଘୋଷଣା କରିଛନ୍ତି ଓଇଆରସି । ୟୁନିଟ ପିଛା ଅଧିକ ୧୯ଟଙ୍କା ୬୩ପଇସା ଖର୍ଚ୍ଚ କରି ବିଦ୍ୟୁତ କିଣିବ ଗ୍ରିଡକୋ । ହେଲେ ବିତରକ କମ୍ପାନୀ ପାଖରେ ଥିବା ଅତିରିକ୍ତ ଅର୍ଥରୁ ଏହା ଭରଣା ହେବ ।

Advertisment

ବଢିବନି ବିଦ୍ୟୁତ ବିଲ୍ । ଗ୍ରାହକଙ୍କ ଉପରେ ପଡିବନି ବୋଝ । ଆଶ୍ୱସ୍ତି ଦେଲେ ଓଇଆରସି । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ରାଜ୍ୟରେ ବଢିବନି ବିଦ୍ୟୁତ ଦର । ବିଭିନ୍ନ ଉତ୍ପାଦନକାରୀ, ବିତରଣକାରୀ ଓ ଉପଭୋକ୍ତା ସଂଘ ପକ୍ଷରୁ ଯୁକ୍ତି ଶୁଣିବା ପରେ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ଶୁଣାଇଛନ୍ତି ଏହି ନିଷ୍ପତି ।

ବିଜୁଳି ବୋଝରୁ ମୁକ୍ତି ଦେବା ସହ ବିଭିନ୍ନ ଶ୍ରେଣୀର ଉପଭୋକ୍ତାଙ୍କ ପାଇଁ ଅନେକ ରିହାତି ମଧ୍ୟ ଘୋଷଣା କରିଛନ୍ତି ।

- ଗ୍ରାମାଞ୍ଚଳର ଉପଭୋକ୍ତାଙ୍କ ମିଟର ଠିକ ଥିଲେ ଓ ସଠିକ ସମୟରେ ବିଲ ପୈଠ କରୁଥିଲେ ପୂର୍ବ ରିହାତି ସହ ୟୁନିଟ ପିଛା ଅଧିକ ୧୦ ପଇସା ରିହାତି ମିଳିବ
- କୃଷି ପାଇଁ ବୃହତ ଉଠା ଜଳସେଚନ ବ୍ୟବହାରକାରୀଙ୍କୁ ୟୁନିଟ ପିଛା ୨ଟଙ୍କା ଅତିରିକ୍ତ ରିହାତି
- ଡିଜିଟାଲ ପେମେଣ୍ଟ କରୁଥିବା ଘରୋଇ ଉପଭୋକ୍ତାଙ୍କୁ ୩% ଅଧିକ ରିହାତି
- ବିଦ୍ୟୁତ ଚାଳିତ ଗାଡି ପାଇଁ ସାମୁହିକ ଚାର୍ଜ ଷ୍ଟେସନ ପାଇଁ ୟୁନିଟ୍ ପିଛା ୫ଟଙ୍କା ୫୦ ପଇସା
- ଲୋ ଟ୍ରାନ୍ସମିସନ ବ୍ୟବହାରକାରୀ ଉଦ୍ୟେଗୀ ଯଦି ନିର୍ଦ୍ଧାରିତ କ୍ଷମତାର ୬୦%ରୁ ଅଧିକ ବିଦ୍ୟୁତ ବ୍ୟବହାର କରୁଥିବେ, ତାଙ୍କୁ ୟୁନିଟ୍ ପ୍ରତି ୧୦ ପଇସା ରିହାତି

ବଡ କଥା ହେଉଛି, ଗ୍ରୀଡକୋ କିଣୁଥିବା ବିଦ୍ୟୁତର ୟୁନିଟ୍ ପିଛା କ୍ରୟ ମୂଲ୍ୟକୁ ୧୯ ଟଙ୍କା ୬୩ ପଇସା ବୃଦ୍ଧି କରିଛନ୍ତି କମିଶନ । ହେଲେ ଏହାର ବୋଝ କିନ୍ତୁ ଗ୍ରାହକଙ୍କ ଉପରକୁ ଆସିବ ନାହିଁ । ବିଦ୍ୟୁତ ବିତରଣ କମ୍ପାନୀ ପାଖରେ ଥିବା ୩୫୫ କୋଟି ଟଙ୍କାର ଅତିରିକ୍ତ ଅର୍ଥକୁ ଏଥିପାଇଁ ଭରଣା କରାଯିବ ।

ଗତ ମାସରେ ବିଜୁଳି ଦର ସଂକ୍ରାନ୍ତରେ ଓଇଆରସିଙ୍କ ପକ୍ଷରୁ ଶୁଣାଣି କରାଯାଇଥିଲା । ଏଥିରେ ବିତରକ ସଂସ୍ଥା ଦର ବୃଦ୍ଧି ସପକ୍ଷରେ ଯୁକ୍ତି ବାଢିଥିବା ବେଳେ, ଉପଭୋକ୍ତା ସଂଘ ପକ୍ଷରୁ ଏହା ବିରୋଧରେ ମତ ରଖାଯାଇଥିଲା । ସଂସ୍ଥା ଗୁଡିକର ମନମୁଖୀ କାର୍ଯ୍ୟକୁ ଖୋଲା ସମାଲୋଚନା କରାଯାଇଥିଲା । ଚାପରେ ପଡି ଶେଷରେ ବିଜୁଳି ବିଭାଗ ନିଜ ଯୁକ୍ତି ରଖି ଦର ନ’ବଢାଇବାକୁ ସୁପାରିଶ କରିଥିଲା ।