କନକ ବ୍ୟୁରୋ: ନୂଆ ସରକାର ଚାଷୀଙ୍କୁ ଦେଲା ବଡ ଆଶା । ନିର୍ବାଚନ ବେଳେ ଧାନର ସହାୟକ ମୂଲ୍ୟକୁ ନେଇ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାକୁ ପୂରଣ କରିବାକୁ ଯାଇ ପାଦେ ଆଗକୁ ବଢିଛନ୍ତି । ବିଜେପି କହିଥିଲା, କ୍ଷମତାକୁ ଆସିଲେ ସର୍ବନିମ୍ନ ସହାୟକ ମୂଲ୍ୟ ହେବ ୩୧ଶହ ଟଙ୍କା । ଏବେ ନୂଆ ସରକାର ୧୦୦ ଦିନରେ ଏହାକୁ ପୂରଣ କରିବେ ବୋଲି ନିଷ୍ପତି ନେଇଛନ୍ତି । ସରକାରଙ୍କ ଏହି ନିଷ୍ପତିକୁ ସ୍ୱାଗତ କରିଛନ୍ତି ଚାଷୀ ।

Advertisment

ରାଜ୍ୟରେ ଧାନ କ୍ୱିଂଟାଲର ସର୍ବନିମ୍ନ ସହାୟକ ମୂଲ୍ୟ ହେବ ୩୧ଶହ ଟଙ୍କା । ଏନେଇ କ୍ୟାବିନେଟ ନିଷ୍ପତ୍ତି ପରେ ଚାଷୀଙ୍କ ମନରେ ଦେଖାଦେଇଛି ନୂଆ ଆଶା । ନୂଆ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିବା ସହ ଖୁସି ପ୍ରକାଶ କରିଛନ୍ତି ଚାଷୀ । ଶପଥ ନେବା କ୍ଷଣି ଆକ୍ସନ ମୋଡକୁ ଆସିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କ୍ୟାବିନେଟ ବୈଠକ ଡାକି ଧାନ ଏମଏସପି ୩୧ଶହ କରିବା ଦିଗରେ ନିଷ୍ପତ୍ତି ନେଇଛନ୍ତି । ୧୦୦ ଦିନ ମଧ୍ୟରେ ଏହାକୁ ଲାଗୁ କରାଯିବ । ଏହି ଘୋଷଣା ପରେ ଚାଷୀଙ୍କ ମନରେ ଦେଖାଦେଇଛି ଉତ୍ସାହ ।

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ଦୀର୍ଘ ଦିନରୁ ଦାବି ହୋଇଆସୁଛି । ବର୍ତ୍ତମାନ କ୍ୱିଂଟାଲ ପିଛା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ରହିଛି ୨୧ଶହ ୮୩ ଟଙ୍କା । ଯଦି ପଡ଼ୋଶୀ ରାଜ୍ୟ ଛତିଗଡ଼ କଥା ଦେଖାଯାଏ ତେବେ ସେଠାରେ ଏମଏସପି ୩୧ ଶହ ଟଙ୍କା ରହିଛି । ନିର୍ବାଚନ ପୂର୍ବରୁ ଧାନର ସହାୟକ ମୂଲ୍ୟ ୩୧ ଶହ ଟଙ୍କା କରିବାକୁ ବିଜେପି ସକଂଳ୍ପ ପତ୍ରରେ ପ୍ରତିଶ୍ରୁତି ଦେଇଥିଲା । ଯାହାକୁ ପୂରା କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହାସହ ସମୃଦ୍ଧ କୃଷକ ନୀତି ଆଣିବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି ।

କ୍ୟାବିନେଟ ବୈଠକରେ ୪ ଟି ନିଷ୍ପତ୍ତି ନିଆଯାଇଥିବା ବେଳେ ପ୍ରଥମ ଟି କାର୍ଯ୍ୟକାରୀ ହୋଇଛି । ଏବେ ଏମଏସପି ବୃଦ୍ଧିକୁ ଅପେକ୍ଷ କରିଛନ୍ତି ରାଜ୍ୟର ଚାଷୀ ।