ବ୍ୟାଟିଂରେ ଫେଲ୍, କାମ ଦେଲାନି ଧୋନୀ ରିଭ୍ୟୁ ସିଷ୍ଟମ । ମାହିଙ୍କ ଫିକା ପ୍ରଦର୍ଶନକୁ ନେଇ ବଢିଲା ଚର୍ଚ୍ଚା ।

240

କନକ ବ୍ୟୁରୋ : ସୋମବାର ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ୩ ୱିକେଟରେ ପରାସ୍ତ ହୋଇଥିଲା ଚେନ୍ନାଇ ସୁପରକିଙ୍ଗସ । ତେବେ ଏହି ମ୍ୟାଚ୍ ପରେ ଧୋନୀଙ୍କ ପ୍ରଦର୍ଶନକୁ ନେଇ ଉଠିଛି ପ୍ରଶ୍ନ ।

ଏହି ମ୍ୟାଚରେ ଦିଲ୍ଲୀ ଟସ୍ ଜିତି ଚେନ୍ନାଇକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ତେବେ ଧୋନୀ ୪ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ । ୨୭ଟି ବଲ୍ ଖେଳିଥିଲେ ବି ଗୋଟିଏ ହେଲେ ଚୌକା କିମ୍ବା ଛକା ମାରିପାରିନଥିଲେ ମାହି । ମାତ୍ର ୧୮ ରନ୍ କରି ସେ ଆଉଟ୍ ହୋଇଯାଇଥିଲେ ।

କେବଳ ବ୍ୟାଟିଂ ନୁହେଁ, ବିଗତ କିଛିଟା ମ୍ୟାଚରେ ଧୋନୀଙ୍କ ଭାଗ୍ୟ ଫିଲ୍ଡିଂ ସମୟରେ ମଧ୍ୟ ସାଥ୍ ଦେଉନାହିଁ । ସୋମବାର ଖେଳାଯାଇଥିବା ମ୍ୟାଚରେ, ଋଷଭ ପନ୍ତଙ୍କ ବିରୋଧରେ ଧୋନୀ ଯେଉଁ ଡିଆରଏସ ନେଇଥିଲେ, ତାହା ତାଙ୍କ ସପକ୍ଷରେ ଯାଇନଥିଲା । ଯାହାକି କ୍ୱଚିତ୍ ଦେଖିବାକୁ ମିଳେ । ଏପରିକି ଋଷଭ ପନ୍ତଙ୍କୁ ଷ୍ଟମ୍ପ ଆଉଟ୍ କରିବାର ଏକ ସୁଯୋଗ ମିଳିଥିବା ବେଳେ, ଧୋନୀ ସେହି ସୁଯୋଗ ବି ହାତଛଡା କରିଥିଲେ । କମେଣ୍ଟ୍ରେଣ୍ଟର ଆକାଶ ଚ୍ରୋପ୍ରାଙ୍କ କହିବା ମୁତାବକ୍, ଗତ ୧୦ଟି ଡିଆରଏସ ଭିତରୁ ମାତ୍ର ଗୋଟିଏ ଥର ଧୋନୀଙ୍କ ରିଭ୍ୟୁ ସଫଳ ସାବ୍ୟସ୍ତ ହୋଇଛି । ତେବେ ଚେନ୍ନାଇ ସୁପରକିଙ୍ଗସ ଚଳିତ ଆଇପିଏଲରେ ପ୍ଲେ-ଅଫ୍ସରେ ସ୍ଥାନ ପକ୍କା କରିସାରିଥିଲେ ବି ଧୋନୀଙ୍କ ପ୍ରଦର୍ଶନ ତାଙ୍କ ଫ୍ୟାନ୍ସମାନଙ୍କୁ ନିରାଶ କରିଛି ।