ଧୋନି ଧୁରନ୍ଧରଙ୍କ ନାଁରେ ଆଉ ଏକ ବିଶ୍ୱ ରେକର୍ଡ ! ୧୦୦ତମ ଷ୍ଟମ୍ପ ଆଉଟ କରି ଭାଙ୍ଗିଲେ କୁମାର ସାଙ୍ଗାକାରାଙ୍କ କୀର୍ତ୍ତିମାନ

44

କନକ ବ୍ୟୁରୋ : ଧୋନି ଧୁରନ୍ଧରଙ୍କ ଖାତାରେ ପୁଣି ଏକ ବିଶ୍ୱ ରେକର୍ଡ । କଲୋମ୍ବୋରେ ଦିନିକିଆ କ୍ୟାରିଅରର ୧୦୦ତମ ୱିକେଟ୍ ନେଇ ଏହି ରେକର୍ଡ କରିଛନ୍ତି ପୂର୍ବତନ ଟିମ୍ ଇଣ୍ଡିଆ କ୍ୟାପଟେନ୍ । ବ୍ୟାଟ୍ସମ୍ୟାନଙ୍କୁ ଷ୍ଟମ୍ପ ଆଉଟ କରିବାର ବିରଳ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ମାହି । ପ୍ରେମଦାଶା ଷ୍ଟାଡିୟମରେ ଶ୍ରୀଲଙ୍କା ବିପକ୍ଷ ପଂଚମ ଦିନିକିଆରେ ଅକିଲ ଧନଞ୍ଜୟଙ୍କୁ ଷ୍ଟମ୍ପ ଆଉଟ କରି କ୍ୟାରିୟରର ୧୦୦ତମ ୱିକେଟ ନେଇଛନ୍ତି ଧୋନି ।

ପୂର୍ବରୁ ଶ୍ରୀଲଙ୍କା ୱିକେଟ କିପର କୁମାର ସାଙ୍ଗାକାରାଙ୍କ ନାଁରେ ଦିନିକିଆରେ ୯୯ଟି ୱିକେଟ ଦଖଲ କରିବାର ରେକର୍ଡ ରହିଥିଲା । ୨୦୦୦ରୁ ୨୦୧୫ ଭିତରେ ସାଙ୍ଗାକାରା ତାଙ୍କ ଅନ୍ତର୍ଜାତୀୟ ଦିନିକିଆ କ୍ୟାରିଅରରେ ଏହି ୱିକେଟ ନେଇଥିଲେ । ସେହି ଶ୍ରୀଲଙ୍କାର ରମେଶ କାଲୁୱିତରଣ ୭୫ଟି ୱିକେଟ ନେଇ ଦ୍ୱିତୀୟ ସ୍ଥାନରେ ଥିବାବେଳେ ପାକିସ୍ତାନର ମୋଇନ ଖାନ ୭୩ଟି ୱିକେଟ ସହ ତୃତୀୟ ସ୍ଥାନରେ ଅଛନ୍ତି ।

ଭାରତ-ଶ୍ରୀଲଙ୍କା ଦିନିକିଆ ଶୃଙ୍ଖଳାର ଚତୁର୍ଥ ମୁକାବିଲା ଗୁରୁବାର କଲମ୍ବୋରେ ଖେଳାଯାଇଥିଲା । ଏହି ମ୍ୟାଚ୍‌ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ୩୦୦ତମ ମ୍ୟାଚ୍‌ ଥିଲା । ଦିନିକିଆ କ୍ରିକେଟ୍‌ର ଅନ୍ୟତମ ଶ୍ରେଷ୍ଠ ଫିନିସର୍‌ର ମାନ୍ୟତା ପାଇଥିବା ଧୋନି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର (୪୬୩), ରାହୁଲ ଦ୍ରାବିଡ (୩୪୪), ମହମ୍ମଦ ଆଝାରୁଦ୍ଦିନ (୩୩୪), ସୌରଭ ଗାଙ୍ଗୁଲି (୩୧୧) ଓ ଯୁବରାଜ ସିଂହ (୩୦୪)ଙ୍କ କ୍ଲବରେ ସାମିଲ ହୋଇଛନ୍ତି ।