ଆଇପିଏଲରୁ ଅବସର ନେଇ ଧୋନୀଙ୍କ ବଡ ବୟାନ । କହିଲେ ଚେନ୍ନାଇରେ ଖେଳିବି ଶେଷ ଟି-୨୦ ମ୍ୟାଚ୍ ।

229

କନକ ବ୍ୟୁରୋ: ଆଗାମୀ ଆଇପିଏଲ ସିଜିନ୍ ଖେଳିବେ ତ ଧୋନୀ? ମାହିଙ୍କ ସହ ପଡିଆକୁ ଓହ୍ଲାଇବ ତ ଚେନ୍ନାଇ ସୁପର କିଙ୍ଗସ୍? ଏହିଭଳି ଅନେକ ପ୍ରଶ୍ନ ଏବେ ବି କ୍ରିକେଟ ଜଗତରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଉ ଏହାରି ଭିତରେ ଆଇପିଏଲରୁ ଅବସର ନେଇ ବଡ ବୟାନ ରଖିଛନ୍ତି କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂହ ଧୋନୀ ।

ଚଳିତ ବର୍ଷ ଆଇପିଏଲ୍ ଚାମ୍ପିୟନ ହେବା ପରେ ଶନିବାର ସିଏସକେ ଚେନ୍ନାଇରେ ନିଜର ବିଜୟ ଉତ୍ସବ ପାଳନ କରିଥିଲା । ଏଥିରେ ଦଳର ମାଲିକ, ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ । ଆଉ ଏହି ଉତ୍ସବର ସଭାରେ ଧୋନୀ ନିଜର ଅବସରକୁ ନେଇ ରଖିଥିବା ପ୍ଲାନ ବିଷୟରେ ଖୁଲାସା କରିଥିଲେ ।

ଧୋନୀ କହିଥିଲେ, ସେ ନିଜର ଶେଷ ଟି-୨୦ ମ୍ୟାଚ୍ ଚେନ୍ନାଇରେ ହିଁ ଖେଳିବେ । କ୍ୟାପଟେନ୍ ହିସାବରେ ସେ ସବୁବେଳେ ନିଜ କ୍ରିକେଟକୁ ପ୍ଲାନ ସହକାରେ ଖେଳିଆସିଛନ୍ତି । ଯେଉଁ କାରଣରୁ ରାଞ୍ଚିରେ ସେ ତାଙ୍କର ଶେଷ ଦିନିକିଆ ମ୍ୟାଚ୍ ଖେଳିଥିଲେ । ସେହିପରି ତାଙ୍କର ଶେଷ ଟି-୨୦ ମ୍ୟାଚ୍ ଚେନ୍ନାଇରେ ହେବ ବୋଲି ଧୋନୀ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଏହି ଶେଷ ଟି-୨୦ ମ୍ୟାଚ୍ କେବେ ହେବ ତାହା ସ୍ପଷ୍ଟ କରିନାହାଁନ୍ତି ଧୋନୀ । ଏହା ଆସନ୍ତାବର୍ଷ କିମ୍ବା ୫ ବର୍ଷ ପରେ ମଧ୍ୟ ହୋଇପାରେ ବୋଲି କହିଛନ୍ତି କ୍ୟାପଟେନ୍ କୁଲ୍ ।

ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିସାରିଛନ୍ତି ମାହି । ହେଲେ ଏବେ ବି ସେ ଚେନ୍ନାଇ ତରଫରୁ ଆଇପିଏଲ୍ ଖେଳିଆସୁଛନ୍ତି । ତାଙ୍କ ନେତୃତ୍ୱରେ ଚଳିତ ଥର ଚେନ୍ନାଇ ସୁପର କିଙ୍ଗସ୍ ଚତୁର୍ଥ ଥର ପାଇଁ ଆଇପିଏଲ୍ ଟ୍ରଫି ମଧ୍ୟ ଜିତିଛି । ହେଲେ ଆଗାମୀ ବର୍ଷ ଧୋନୀ ଚେନ୍ନାଇ ଦଳ ସହିତ ରହିବେ, ନାଁ ମେଗା ଅକ୍ସନରେ ନୂଆ ଟିମ୍ ସହ ସାମିଲ ହେବେ ତାକୁ ନେଇ ଏକପ୍ରକାରର ଦ୍ୱନ୍ଦ୍ୱ ଲାଗି ରହିଛି ।

ଆସନ୍ତାବର୍ଷ ଆଇପିଏଲରେ ମେଗା ଅକ୍ସନ ହେବାକୁ ଯାଉଛି । ଯେଉଁଥିରେ ପ୍ରତ୍ୟେକ ଦଳ କେବଳ ୪ ଜଣ ଖେଳାଳିଙ୍କୁ ରିଟେନ୍ କରିପାରିବେ । ତେବେ ସିଏସକେ ଯଦି ଧୋନୀଙ୍କୁ ରିଟେନ୍ ରଖୁଛି, ତେବେ ଦଳକୁ ସେତେଟା ଲାଭ ନମିଳିପାରେ ବୋଲି କୁହାଯାଉଛି । ହେଲେ ଟିମ୍ ମ୍ୟାନେଜମେଣ୍ଟ ଧୋନୀଙ୍କୁ ହିଁ ରିଟେନ୍ ରଖିବେ ବୋଲି କହିଆସୁଛନ୍ତି । ଏପରି ସ୍ଥିତିରେ ଦେଖିବାକୁ ବାକି ଅଛି ଯେ, ସିଏସକେ ଧୋନୀଙ୍କୁ ରିଟେନ୍ ରଖୁଛି କି ନାହିଁ ଏବଂ ଧୋନୀ କେବେ ଆଇପିଏଲକୁ ଅଲବିଦା କହୁଛନ୍ତି ।