ଅନ୍ତର୍ଜାତୀୟ କ୍ରିକେଟରେ ଦେଖିବାକୁ ମିଳିବ ନାହିଁ ଧୋନିଙ୍କ ଜଲୱା: କ୍ରିକେଟର ସବୁ ଫର୍ମାଟରୁ ଅବସର ନେଲେ ପୂର୍ବତନ ଅଧିନାୟକ; ଆଇପିଏଲରେ ଜାରି ରଖିବେ ଖେଳ

ଇନଷ୍ଟାଗ୍ରାମରେ ଭାବବିହ୍ୱଳ ଭିଡିଓ ଛାଡି ସୂଚନା ଦେଲେ ମାହି

262

କନକ ବ୍ୟୁରୋ: ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ୟାପଟେନ୍ ତଥା କ୍ୟାପଟେନ୍ କୁଲ ମହେନ୍ଦ୍ର ସିଂହ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ୨୦୧୪ ମସିହାରେ ଟେଷ୍ଟ କ୍ରିକେଟ୍ରୁ ଅବସର ନେଇଥିଲେ ଧୋନୀ । ଭାରତର ୭୪ ତମ ସ୍ୱାଧିନତା ଦିବସ ଅବସରରେ ଗତକାଲି ସଂଧ୍ୟା ୭ଟା ୨୯ ମିନିଟରେ ଇନଷ୍ଟ୍ରାଗ୍ରାମ ପେଜ୍ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଉଥିବା ଘୋଷଣା କରିଛନ୍ତି । ଅର୍ଥାତ୍ ଦିନିକିଆ ଓ ଟି-ଟୋଂଟି ମ୍ୟାଚରେ ଭାରତୀୟ ଜର୍ସି ପିନ୍ଧି ଆଉ ପଡ଼ିଆକୁ ଓହ୍ଲାଇବେ ନାହିଁ । ତେବେ ଆଇପିଏଲରେ ସେ ତାଙ୍କ ଖେଳ ଜାରି ରଖିବେ ।

ସବୁଠୁ ବଡ଼ କଥା ହେଉଛି, ଯେପରି ପଡ଼ିଆ ଭିତରେ ଥଣ୍ଡା ମିଜାଜରେ ସେ ଖେଳିଥାନ୍ତି, ଅଧିନାୟକ ଦାୟିତ୍ୱ ତୁଲାଇଥାନ୍ତି, ଠିକ୍ ସେହିପରି ଭାବେ ସୋସିଆଲ ମିଡିଆରେ ଅବସର ନେଇଛନ୍ତି ଧୋନୀ । ୧୬ ବର୍ଷର ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରକୁ ସେ ବ୍ରେକ ମାରିଛନ୍ତି । ତେବେ ୨୦୧୯ ୱାଲ୍ଡକପର ସେମିଫାଇନାଲରେ ଭାରତ ପରାଜିତ ହେବା ପରେ ଆଉ ଥରେ ଟିମ୍ ଇଣ୍ଡିଆର ପ୍ରତିନିଧିତ୍ୱ କରିନାହାନ୍ତି ଧୋନୀ । ଏହାପରେ ଧୋନୀଙ୍କ ଅବସର ନେଇ ଜୋରଦାର ଚର୍ଚ୍ଚା ଚାଲିଥିଲା । ଆଉ ଇନଷ୍ଟାଗ୍ରାମ ପେଜରେ ଅବସର ଘୋଷଣା କରି ସବୁ ଚର୍ଚ୍ଚାର ଅବସାନ ଘଟାଇଛନ୍ତି କ୍ୟାପଟେନ୍ କୁଲ ।