ଧୋନୀ କରିବେ କୁକୁଡ଼ା ଚାଷ : ପଡ଼ିଆରୁ କୁକୁଡ଼ା ଫାର୍ମିଂ , ଆନ୍ତର୍ଜତୀୟ କ୍ରିକେଟକୁ ଅଲବିଦା ପରେ ଏବେ କୁକୁଡା ଚାଷରେ ମାହିଙ୍କ ମନ

593

କ୍ରିକେଟରୁ ସନ୍ନ୍ୟାସ ନେବା ପରେ ଏବେ ନୂଆ ନୂଆ ରୁଚିକୁ ଆପଣାଉଛନ୍ତି ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି । କ୍ରିକେଟରରୁ -ଯବାନ , ଯବାନରୁ –କିଷାନ୍ ଆଉ ଏବେ କଡ଼କନାଥ୍ କୁକୁଡ଼ା ଚାଷ ପ୍ରେମରେ ଧୋନି । ମଧ୍ୟପ୍ରଦେଶ ଝାବୁଆ ଜିଲ୍ଲାର ପରିଚୟ କଡ଼କନାଥ୍ କୁକୁଡ଼ାକୁ ଧୋନି ରାଞ୍ଚି ସ୍ଥିତ ନିଜ ଫାର୍ମ ହାଉସରେ ପାଳିବାକୁ ଯାଉଛନ୍ତି । ଏଥିପାଇଁ ସେ ଅଗ୍ରୀମ ଟଙ୍କା ଦେବା ସହ ୨ ହଜାର କଡ଼କନାଥ୍ କୁକୁଡ଼ା ଛୁଆର ଅର୍ଡ଼ର ମଧ୍ୟ ଦେଇସାରିଛନ୍ତି ।

 

ରାଞ୍ଚିରେ ଜୈବିକ ଚାଷ ସହ କଡ଼କନାଥ୍ କୁକୁଡ଼ା ଚାଷ ଓ ବିକ୍ରି କରିବାକୁ ମନ ବଳାଇଥିବା ମାହି ଆଦିବାସୀ କୃଷକ ବିନୋଦ ମେଡ଼ାଙ୍କୁ ଏହି ଅର୍ଡ଼ର ଦେଇଥିବାର ସୂଚନା ମିଳିଛି । ଭେଟନାରୀ କଲେଜରେ ପ୍ରଫେସର ଥିବା ନିଜ ବନ୍ଧୁଙ୍କ ଜରିଆରେ ସେ ବିନୋଦଙ୍କୁ ଡ଼ିସେମ୍ବର ୧୫ ସୁଦ୍ଧା ଅର୍ଡ଼ର ଡ଼େଲିଭରି କରିବାକୁ କହିଛନ୍ତି । ମାହିଙ୍କ ଠାରୁ ଅର୍ଡ଼ର ପାଇ ଖୁସିରେ ବିନୋଦଙ୍କ ଗୋଡ଼ ଆଉ ତଳେ ଲାଗୁନି । କୁକୁଡ଼ା ଚିଆଁ ଅର୍ଡ଼ର ମିଳିବାକୁ ନେଇ ସେ ଯେତେ ଖୁସି ଅଛନ୍ତି ତା’ଠାରୁ ଅଧିକ ଖୁସି ଅଛନ୍ତି ଧୋନିଙ୍କ ପରି ଜଣେ ସଫଳ କ୍ରିକେଟରଙ୍କୁ ସାକ୍ଷାତ କରିବାପାଇଁ । ଆପଣଙ୍କୁ କହିରଖୁଛୁ ମଧ୍ୟପ୍ରଦେଶର ପରିଚୟ ହେଉଛି କଡ଼କନାଥ୍ କୁକୁଡ଼ା । ଏହି କଳାରଙ୍ଗର କୁକୁଡ଼ାକୁ ଭାରତ ସରକାରଙ୍କ ପକ୍ଷରୁ ଜିଆଇ ଟ୍ୟାଗ୍ ମଧ୍ୟ ମିଳିସାରିଛି । କଡ଼କନାଥ୍ କୁକୁଡ଼ାର ରଙ୍ଗ , ରକ୍ତ , ହାଡ଼ ଓ ମାଂସ ସବୁ କଳା । ଏହାର ମାଂସ ଖାଇବାକୁ ଯେତିକି ସ୍ୱାଦିଷ୍ଟ ଶରୀର ପାଇଁ ମଧ୍ୟ ଖୁବ୍ ଉପଯୋଗୀ । ମୋଟାପଣ ଏବଂ କୋଲେଷ୍ଟ୍ରାଲ୍ ଭଳି ସମସ୍ୟାକୁ ଦୂର କରିଥାଏ କଡ଼କନାଥ୍ କୁକୁଡ଼ା ମାଂସ ।