ବିନା ବେତନରେ ବିସିସିଆଇକୁ ଧୋନୀ ଯୋଗାଇବେ ଏହି ସେବା, ଜୟ ଶାହା ଜଣାଇଲେ ଧନ୍ୟବାଦ

544

କନକ ବ୍ୟୁରୋ : ଆଇପିଏଲ ମ୍ୟାଚ୍ ଶେଷ ହେବା ପରେ ତୁରନ୍ତ ଭାରତୀୟ ଟିମ୍ ଟି-୨୦ ମିଶନ ଉପରେ କାମ ଆରମ୍ଭ କରିବ । ଏଥର ଭାରତୀୟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ରସିଂ ଧୋନୀ ଭାରତୀୟ ଟିମ ସହିତ ମେଣ୍ଟର ଭାବେ କାମ କରିବେ । ଧୋନୀ ତାଙ୍କ ଅନ୍ତର୍ଜତୀୟ କ୍ରିକେଟ କ୍ୟାରିୟରରେ ପ୍ରଥମଥର ପାଇଁ ଏହି ପଦ ସମ୍ଭାଳିବାକୁ ଯାଉଛନ୍ତି । ହେଲେ ସବୁଠାରୁ ବଡକଥା ଏହି କାମ ପାଇଁ ଧୋନୀ ବିସିସିଆଇ ଠାରୁ କୌଣସି ଅର୍ଥ ନେବେ ନାହିଁ ବୋଲି ମନା କରିଦେଇଛନ୍ତି ।

ବିସିସିଆଇ ସଚିବ ଜୟ ଶାହା ଏନେଇ ଜାତୀୟ ଗଣମାଧ୍ୟମ ଏଏନଆଇକୁ କହିଛନ୍ତି କି ଟି-୨୦ ବିଶ୍ୱକପ ମେଣ୍ଟର ଭୂମିକା ତୁଲାଇବା ପାଇଁ ଧୋନୀ ବିସିସିଆଇ ଠାରୁ କୌଣସି ଅର୍ଥ ନେବେ ନାହିଁ । ଏନେଇ ଜୟ ଶାହା ବିସିସିଆଇ ତରଫରୁ ଧୋନୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

କହିରଖୁ କି ଏଥର ଟି-୨୦ ବିଶ୍ୱକପ୍ ୟୁଏଇ ଓ ଓମାନ ଠାରେ ଖେଳାଯିବ । ଅକ୍ଟୋବର ୧୭ ତାରିଖରେ ଏହି ସିରିଜର ପ୍ରଥମ ମ୍ୟାଚ୍ ଖେଳାଯିବାକୁ ଅଛି । ହେଲେ ଭାରତୀୟ ଟିମ୍ ଏହି ସିରିଜର ପ୍ରଥମ ମ୍ୟାଚ ଅକ୍ଟୋବର ୨୪ ତାରିଖରେ ପାକିସ୍ତାନ ବିପକ୍ଷରେ ଖେଳିବ ।

ବିସିସିଆଇ ଯେତେବେଳେ ଟି-୨୦ ବିଶ୍ୱକପ ପାଇଁ ଖେଳାଳୀ ତାଲିକା ଘୋଷଣା କରିଥିଲା ସେତେବେଳୁ ସ୍ପଷ୍ଟ ହୋଇଯାଇଥିଲା କି ଏଥର ମହେନ୍ଦ୍ରସିଂ ଧୋନୀ ଭାରତୀୟ ଟିମର ମେଣ୍ଟର ଭୂମିକା ନିର୍ବାହ କରିବେ । ଟିମ୍ ଇଣ୍ଡିଆର କୋଚ୍ ରବି ଶାସ୍ତ୍ରୀ, କ୍ୟାପଟେନ୍ ବିରାଟ କୋହଲୀ ଓ ଉପ-ଅଧିନାୟକ ରୋହିତ ଶର୍ମାଙ୍କ ପରାମର୍ଶରେ ଏଭଳି ନିଷ୍ପତ୍ତି ନିଆଯାଇଥିଲା ।

ଭାରତୀୟ ଟିମ୍ ପାଇଁ ଏହି ବିଶ୍ୱକପ୍ ବେସ ସ୍ୱତନ୍ତ୍ର ହେବ । କାରଣ ପ୍ରଥମରୁ ବିରାଟ କୋହଲି ଘୋଷଣା କରିଛନ୍ତି କି ଏହି ସିରିଜ ପରେ ସେ ଟି -୨୦ ଫର୍ମାଟର ଅଧିନାୟକ ପଦରୁ ଅବସର ନେବେ । ତେଣୁ ଭାରତୀୟ ଟିମ୍ ନିଶ୍ଚିନ୍ତ ଚେଷ୍ଟା କରିବ କି କୋହଲୀଙ୍କୁ ଏକ ଭଲ ବିଦାୟ ଦେବାକୁ । ଅନ୍ୟପଟେ ୨୦୦୭ ପରେ ଭାରତୀୟ ଟିମ୍ କୌଣସି ଟି-୨୦ ବିଶ୍ୱକପ୍ ବିଜୟୀ ହୋଇନାହିଁ ।