ଆଇପିଏଲରୁ ଅବସର ନେବେ କି ମାହି? ବଡ ବୟାନ ଦେଲେ ଆକାଶ ଚୋପ୍ରା…

184

କନକ ବ୍ୟୁରୋ: ଚଳିତ ଆଇପିଏଲ ଧୋନୀଙ୍କ ଶେଷ ଆଇପିଏଲ କି? ୨୦୨୧ ମସିହା ଆଇପିଏଲ ପରେ ଅବସର ନେବେ କି ମାହି? ଏଭଳି ଅନେକ ପ୍ରଶ୍ନର ଉତ୍ତର ଆଜି ବି ଅନେକଙ୍କୁ ଅଜଣା । ହେଲେ ଏହାରି ଭିତରେ ଜଣାଶୁଣା ଟିଭି ଭାଷ୍ୟକାର ଆକାଶ ଚୋପ୍ରା ଧୋନୀଙ୍କୁ ନେଇ ଏକ ବଡ ବୟାନ ଦେଇଛନ୍ତି । ଆଉ ଆଇପିଏଲ ଆରମ୍ଭ ହେବାକୁ ଗୋଟିଏ ଦିନ ଥିବାରୁ ଆକାଶଙ୍କ ଏହି ବୟାନ ଏବେ ଚାରିଆଡେ ଚର୍ଚ୍ଚା ସୃଷ୍ଟି କରିଛି ।

ଆସନ୍ତାବର୍ଷ ଆଇପିଏଲ ପାଇଁ ମେଗା ଅକ୍ସନ ହେବାକୁ ଯାଉଛି । ଏହି ଅକ୍ସନରେ ସବୁ ଦଳର ନିଜର ଖେଳାଳିଙ୍କୁ ନିଲାମ ପ୍ରକ୍ରିୟାକୁ ଛାଡିବାକୁ ବାଧ୍ୟ । ଗୋଟିଏ ଟିମ୍ କେବଳ ୨ ଜଣ ଖେଳାଳିଙ୍କୁ ରିଟେନ୍ ରଖିପାରିବ । ଆଉ ଆକାଶ ଚୋପ୍ରାଙ୍କ କହିବା ମୁତାବକ, ସିଏସକେ ଧୋନୀଙ୍କୁ ରିଟେନ୍ ନରଖି ନିଲାମ ପ୍ରକ୍ରିୟାକୁ ଛାଡିଦେବା ଉଚିତ୍ । ଯାହା ପରେ ଧୋନୀଙ୍କ ଅବସର କଥା ପୁଣି ଥରେ ଚର୍ଚ୍ଚାକୁ ଫେରିଛି ।

ଆକାଶଙ୍କ କହିବା କଥା ହେଉଛି, ଧୋନୀ ଅତିବେଶିରେ ଆଉ ଗୋଟିଏ ବର୍ଷ କ୍ରିକେଟ୍ ଖେଳିପାରିବେ । ହେଲେ ଧୋନୀଙ୍କୁ ରିଟେନ୍ ରଖିଲେ ସିଏସକେ ଆଗାମୀ ୩ ବର୍ଷ ପାଇଁ ଧୋନୀଙ୍କ ସହ ଚୁକ୍ତି କରିବାକୁ ପଡିବ । ଏହା ବଦଳରେ ସିଏସକେ ଧୋନୀଙ୍କୁ ନିଲାମ ପ୍ରକ୍ରିୟାକୁ ଛାଡିବାକୁ ସେ କହିଛନ୍ତି ।

ଅନ୍ୟପଟେ ଧୋନୀଙ୍କ ବିନା ସିଏସକେ ଟିମ୍, ଆତ୍ମା ନଥିବା ଶରୀର ଭଳି ହେବ ବୋଲି ମଧ୍ୟ କହିଛନ୍ତି ଆକାଶ ଚୋପ୍ରା । ତେବେ ଆଗାମୀ ଆଇପିଏଲ୍ ଅକ୍ସନ ନେଇ ତାଙ୍କର ଏହି ଭବିଷ୍ୟତବାଣୀ ଏବେ ସବୁଠି ଚର୍ଚ୍ଚାର କାରଣ ପାଲଟିଛି । ସୂଚନାଯୋଗ୍ୟ ଯେ, ଆସନ୍ତାବର୍ଷ ଆଇପିଏଲରେ ଦୁଇଟି ନୂଆ ଟିମ ସହ ମୋଟ ୧୦ଟି ନୂଆ ଟିମ୍ ସାମିଲ ହେବେ । ଯେଉଥିପାଇଁ ଖେଳାଳିମାନଙ୍କର ମେଗା ଅକ୍ସନ ହେବ । ଏହି ନିଲାମ ପ୍ରକ୍ରିୟାରେ ସବୁ ଦଳ ନିଜର ଦୁଇ ଜଣ ଖେଳାଳିଙ୍କୁ ଛାଡି ଅନ୍ୟ ସମସ୍ତ ଖେଳାଳିଙ୍କୁ ନିଲାମ ପ୍ରକ୍ରିୟାକୁ ଛାଡିଦେବେ ।