ବିବାଦ ଭିତରେ ଧୋନୀ । ଟିମ୍ ଇଣ୍ଡିଆ ମେଣ୍ଟର ଭାବେ ନୂଆ ଦାୟିତ୍ୱ ମିଳିବା ପରେ ଆସିଲା ଅଭିଯୋଗ ।

1,196

କନକ ବ୍ୟୁରୋ: ଆଇସିସି ଟି-୨୦ ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆର ମେଣ୍ଟର ଭାବେ ଚୟନ ହେବା ପରେ ଏବେ ବିବାଦରେ ଧୋନୀ । ତାଙ୍କ ବିରୋଧରେ ମଧ୍ୟପ୍ରଦେଶ କ୍ରିକେଟ୍ ସଂଘର ପୂର୍ବତନ ଆଜୀବନ ସଦସ୍ୟ ସଞ୍ଜୀବ ଗୁପ୍ତା ଏକ ଅଭିଯୋଗ ଆଣିଛନ୍ତି । ଯେଉଁଥିରେ ସେ ଧୋନୀଙ୍କ ଏହି ନୂଆ ଚୟନକୁ ଲୋଧା କମିଟି ସୁପାରିଶର ନିୟମ ଉଲ୍ଲଘଂନ ବୋଲି କହିଛନ୍ତି । ଏନେଇ ସେ ବିସିସିଆଇର କିଛି ଶୀର୍ଷ ସଦସ୍ୟଙ୍କୁ ମଧ୍ୟ ଚିଠି ଲେଖି ଜଣାଇ ଦେଇଛନ୍ତି ।

ଲୋଧା କମିଟିର ସୁପାରିଶ ମୁତାବକ ବିସିସିଆଇର ଜଣେ ବ୍ୟକ୍ତି କେବଳ ଗୋଟିଏ ପଦରେ ହିଁ ରହିପାରିବ । ହେଲେ ଧୋନୀ ଏବେ ଏକାଧିକ ପଦରେ ଅଛନ୍ତି । ପୂର୍ବରୁ ସେ ଆଇପିଏଲ ଦଳ ଚେନ୍ନାଇ ସୁପରକିଙ୍ଗସର ଅଧିନାୟକ ଥିବାବେଳେ ଏବେ ତାଙ୍କୁ ଟିମ୍ ଇଣ୍ଡିଆର ମେଣ୍ଟର ନିଯୁକ୍ତ କରିବା ନିୟମ ବିରୁଦ୍ଧ ବୋଲି ସେ କହିଛନ୍ତି । ଯାହା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନାଯୋଗ୍ୟ ଯେ, ଆଇସିସି ଟି-୨୦ ବିଶ୍ୱକପ୍ ପାଇଁ ଗତକାଲି ଦଳ ଘୋଷଣା ହୋଇଛି । ବିରାଟ କୋହଲିିଙ୍କ ନେତୃତ୍ୱରେ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ଯାହାର ମେଣ୍ଟର ରହିଛନ୍ତି ପୂର୍ବତନ ବିଶ୍ୱକପ୍ ବିଜୟୀ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ । ହେଲେ ଧୋନୀଙ୍କୁ ଏହି ନୂଆ ଦାୟିତ୍ୱ ମିଳିବା ପରେ ତାଙ୍କୁ ନେଇ ଏହି ବିବାଦ ମଧ୍ୟ ସୃଷ୍ଟି ହୋଇଛି ।

ଅନ୍ୟପଟେ ଧୋନୀଙ୍କ ଏହି ନୂଆ ଦାୟିତ୍ୱକୁ ନେଇ ଗୋଟିଏ ପଟେ ବିବାଦ ସୃଷ୍ଟି ହୋଇଥିଲେ ମଧ୍ୟ ଫ୍ୟାନମାନେ ଖୁସି ଅଛନ୍ତି । ଧୋନୀଙ୍କ ଅଭିଜ୍ଞତା ଟିମ୍ ଇଣ୍ଡିଆକୁ ଟ୍ରଫି ଦେବାରେ ସାହାଯ୍ୟ କରିବ ବୋଲି କୁହାଯାଉଛି । କାହିଁକି ନା, ଧୋନୀଙ୍କ ନେତୃତ୍ୱରେ ହିଁ ଭାରତ ପ୍ରଥମ ଆଇସିସି ଟି-୨୦ ବିଶ୍ୱକପ୍ ଚାମ୍ପିୟନ ହୋଇଥିଲା । ଏଥର ପ୍ରଥମ ଥର ଧୋନୀଙ୍କ ବିନା ଚୂଡାନ୍ତ ଏକାଦଶ ନେଇ ପଡିଆକୁ ଓହ୍ଲାଇବ ବିରାଟ ବାହିନୀ । ଏହାପୂର୍ବରୁ ପ୍ରତିଟି ଟି-୨୦ ବିଶ୍ୱକପରେ ଧୋନୀ ଦଳର ନେତୃତ୍ୱ ନେଉଥିଲେ ।